ବରଗଡ଼: ବରଗଡ଼ ଜିଲ୍ଲାର ଅମ୍ବାଭୋନା ହେଉଛି ଓଡ଼ିଶା-ଛତିଶଗଡ଼ର ସୀମାନ୍ତ ବ୍ଲକ୍। ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ପରବର୍ତ୍ତୀ ସ୍ଥିତି ପରଖିବାକୁ ସେଠାରେ ପହଞ୍ଚିଥିଲା ‘ସମ୍ବାଦ'। ସାଧାରଣତଃ ଏଠାକାର ଲୋକେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି। ଲୋକଙ୍କ ସରଳତାର ସୁଯୋଗ ନେଇ କିନ୍ତୁ ଏଠାରେ ସବୁ କିସମର ମାଫିଆ ସକ୍ରିୟ। କାଠ, ନିଶାଦ୍ରବ୍ୟ, ବନ୍ୟପ୍ରାଣୀ, କେନ୍ଦୁପତ୍ର, ଲଘୁଖଣିଜ ସଂପଦ... ଏସବୁର ଚୋରା ଚାଲାଣ ବର୍ଷତମାମ ଏଠାରେ ଲାଗି ରହୁଛି। ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ମାଫିଆ ମିଳିତ ଭାବେ ଏହାକୁ ନିୟନ୍ତ୍ରଣ କରୁଛନ୍ତି। କିନ୍ତୁ ଅମ୍ବାଭୋନାବାସୀଙ୍କ ଜୀବନଧାରା ଉପରେ ଏସବୁର ପ୍ରଭାବ ପଡ଼ିନଥାଏ। ଥାନା ଉପରେ ଯେଉଁ ଆକ୍ରମଣ ହେଲା, ତାହା ସାରା ଗାଁକୁ ସ୍ତବ୍ଧ କରି ଦେଇଛି। କାରଣ ସେମାନେ କେବେ ଦେଖିନଥିବା ଭଳି ଘଟଣା ସେମାନଙ୍କ ଆଖି ସାମନାରେ ଘଟିଗଲା। ଯାହା ସିନେମାରେ ସେମାନେ ଦେଖିଥିଲେ, ସେହି ଦୃଶ୍ୟ ବାସ୍ତବ ହେଲା। ଥାନା ଭଙ୍ଗାରୁଜା ଘଟଣା ପରେ ପ୍ରାୟତଃ ରାସ୍ତାଘାଟ ଶୂନ୍ଶାନ୍। ଜରୁରୀ କାମ ଥିବା ଲୋକେ ଯିବା ଆସିବା କରୁଛନ୍ତି। କିନ୍ତୁ କଣ ଘଟିଲା ବୋଲି ପଚାରିଲେ, କେହି ଉତ୍ତର ଦେବାକୁ ବି ସାହସ କୁଳାଉ ନାହାନ୍ତି। ଲୋକେ ଭୟରେ ଅଛନ୍ତି।
ଅମ୍ବାଭୋନାରୁ ସୀମାନ୍ତ ରୁଚିଦା ପର୍ଯ୍ୟନ୍ତ ନିରବତା ଲାଗି ରହିଛି। ଗ୍ରାଉଣ୍ଡ ଜିରୋରୁ ଆମେ ଯାହା ଜାଣିବାକୁ ପାଇଲୁ। ରବିବାର ଯେଉଁ ଘଟଣା ଘଟିଲା, ସେଥିରେ ଅମ୍ବାଭୋନା, ସୋହେଲା ଏବଂ ଭଟଲିର ଦୁର୍ବୃତ୍ତ ସାମିଲ ଥିବା ବରଗଡ଼ ଏସ୍ପି କହୁଛନ୍ତି। ଶହେରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ହୋଇଥିଲେ ହେଁ ବର୍ତମାନ ଯାଏଁ ୬ଜଣ ଗିରଫ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣରେ ଥିଲେ ହେଁ ଗୋଟିଏ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି। ଗିରଫ୍ ଭୟରେ ସନ୍ଦିଗ୍ଧମାନେ ଫେରାର୍ ମାରିଛନ୍ତି। କାଳେ ପୁଲିସ୍ କିଛି ପଚରାଉଚରା କରିବ, ସେହି ଡରରେ ସାଧାରଣ ଲୋକ ସ୍ବଚ୍ଛନ୍ଦରେ ବୁଲାବୁଲି କରୁନାହାନ୍ତି। ତେବେ ଗୋଟିଏ ଚର୍ଚ୍ଚା, ପୁଲିସ୍ କାହା କାହାକୁ ଧରିବ? ଅସଲ ଲୋକଙ୍କୁ ଜେଲ୍ ପୂରାଇବ ତ? ଛତିଶଗଡ଼ରେ ନିର୍ବାଚନ ହେଲେ ଅମ୍ବାଭୋନା ବ୍ଲକ୍ରେ ବି ହାୱା ବୋହିଥାଏ। କିନ୍ତୁ ଥାନା ଭଙ୍ଗାରୁଜା ଘଟଣା ନିର୍ବାଚନୀ ହାୱାକୁ ରୋକି ଦେଇଛି। ଅନ୍ୟପକ୍ଷରେ, ଜିଲ୍ଲାରେ ପୁଲିସ୍ର ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପ ଉପରେ ଜୋର୍ସୋର୍ ଆଲୋଚନା ଚାଲିଛି। ଭଂଗାରୁଜା ଘଟଣା ପୂର୍ବରୁ ଯଥେଷ୍ଟ ସମୟ ଥିଲେ ହେଁ ପୁଲିସ୍ ମାତ୍ରାଧିକ ଫୋର୍ସ କାହିଁକି ଆଗତୁରା ମୁତୟନ କଲା ନାହିଁ, ତାହା ସବୁଠୁ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି।