ରାଜନଗର : ରାଜନଗର ନିର୍ବାଚନ ମଣ୍ତଳୀରେ ବିଜେଡି ପ୍ରାର୍ଥୀ ଭାବେ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କୁ ବିଜେଡି ଟିକେଟ ମିଳିଛି। ଟିକେଟ ପାଇବା ପରେ ଶ୍ରୀ ସାହୁ ୩ଦିନ ହେଲା ନିଜର ପ୍ରଚାର ଓ ରୋଡ ସୋ’ ଆରମ୍ଭ କରିଦେଇଛନ୍ତି। ହେଲେ, ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଆଜି ଶୋଭାଯାତ୍ରା ବାହାରିଥିବା ବେଳେ ପୁଲିସ ଏହାକୁ ଅଟକାଇଛି।

Advertisment

ଆପିକଲ୍‌ ଅଧ୍ୟକ୍ଷ କୃତିବାସ ପାତ୍ର ଓ ନିଶିକାନ୍ତ ପ୍ରଧାନଙ୍କ ସମର୍ଥନରେ ଆଜି ଧ୍ରୁବଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଶୋଭାଯାତ୍ରା ପରିକ୍ରମା କରିଥିଲା। ମଦନପୁର କଲେଜ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ରାଜନଗର ପୁଲିସ ସାନବଡଗୋପାଳପୁର ନିକଟରେ ଅଟକାଇ ଥିଲା। ଗୋଟିଏ ଦିନରେ ଧ୍ରୁବଙ୍କ ଶୋଭାଯାତ୍ରା ସହିତ ଏହି ଶୋଭାଯାତ୍ରା ବାହାରିଥିବାରୁ ଅଘଟଣର ଆଶଙ୍କା କରି ପୁଲିସ ଏହାକୁ ଅଟକାଇ ଥିଲା। ପୁଲିସ ଶୋଭାଯାତ୍ରାକୁ ଅଟକାଇବା ପରେ ସେମାନେ ଫେରିଯାଇଥିଲେ। ଶୋଭାଯାତ୍ରାର ନେତୃତ୍ବ ନେଉଥିବା ନିଶିକାନ୍ତଙ୍କ ଭାଇ ପ୍ରଭାତ କୁମାର ପ୍ରଧାନ ରାଜନଗର ନିର୍ବାଚନ ମଣ୍ତଳୀର ପ୍ରାର୍ଥୀ ପରିବର୍ତନ କରିବା ପାଇଁ ଦାବି କରିଥିଲେ।

ବିଜେଡି ସାଧାରଣ ସଂପାଦକ ନରହରି ଜେନା କହିବା ଅନୁଯାୟୀ ଗତ ବିଧାନସଭା ନିର୍ବାଚନରେ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଓ ଆପିକଲର ଅଧ୍ୟକ୍ଷ କୃତିବାସ ପାତ୍ର ଦଳ ବିରୋଧି କାମ କରି ଦଳକୁ ହରାଇଥିଲେ। ଚଳିତବର୍ଷ ଧ୍ରୁବଙ୍କର ନିଶ୍ଚିନ୍ତ ବିଜୟ ସମ୍ଭାବନା ଥିବାରୁ ଏଥିରେ ବିଜେପି ଭୟଭୀତ ହୋଇପଡିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ତା ଏମାନଙ୍କ ମାଧ୍ୟମରେ ଦଳକୁ ବଦନାମ କରିବା ପାଇଁ ଏହି ଶୋଭାଯାତ୍ରା କରୁଛନ୍ତି। ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି।