ଚିରଞ୍ଜୀବୀ କର
କଟକ: ରାଜ୍ୟରେ ମାଓବାଦୀଙ୍କୁ ସଂପୂର୍ଣ୍ଣ ମୂଳପୋଛ କରିବାକୁ ଓଡ଼ିଶା ପୁଲିସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏବେ ଛତିଶଗଡ଼ ମାଓବାଦୀ ଓଡ଼ିଶା ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛନ୍ତି। ଓଡ଼ିଶା ପୁଲିସ ସ୍କାନରରେ ଥିବା ମୋଟ ୧୨୦ ମାଓବାଦୀଙ୍କ ମଧ୍ୟରୁ କେବଳ ଛତିଶଗଡ଼ କ୍ୟାଡର୍‌ର ୧୦୦ ମାଓବାଦୀ ସକ୍ରିୟ ଥିବା ଓଡ଼ିଶା ପୁଲିସ ଗୁଇନ୍ଦା ତଥ୍ୟ ହସ୍ତଗତ କରିଛି। ଓଡ଼ିଶା ପୁଲିସ ଟାର୍ଗେଟରେ ଏବେ ଆନ୍ଧ୍ର-ଓଡ଼ିଶା ସୀମା ସ୍ପେସାଲ ଜୋନାଲ୍ କମିଟି ମୁଖ୍ୟ ଉଦୟ, ଛତିଶଗଡ଼ରେ ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ମୋଡେମ୍ ବାଲକ୍ରିଷ୍ଣ, କନ୍ଧମାଳରେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ ମୁଖ୍ୟ ତଥା ଜଗତସିଂହପୁର ଜିଲ୍ଲାର ବାସିନ୍ଦା ନିଖିଲ ରହିଛନ୍ତି। ତାଲିକାରେ ଥିବା ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ନହେଲେ ଏନ୍‌କାଉଣ୍ଟର ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଲାଲଗଡ଼ରେ ବଡ଼ ହଲ୍‌ଚଲ୍ ସୃଷ୍ଟି ହୋଇଛି।

Advertisment

ରାଜ୍ୟ ସ୍ପେସାଲ ଇଣ୍ଟେଲିଜେନ୍ସ ଵିଙ୍ଗ୍‌(ଏସ୍‌ଆଇଡବ୍ଲ୍ୟୁ)ର ତଥ୍ୟ ଅନୁଯାୟୀ, ୨୦୨୫ ଜାନୁଆରି ୨୯ ସୁଦ୍ଧା ଓଡ଼ିଶା ଓ ସୀମାନ୍ତ ରାଜ୍ୟରେ ସକ୍ରିୟ ମାଓବାଦୀଙ୍କ ସଂଖ୍ୟା ୧୨୦ ରହିଛି। ଏମାନଙ୍କ ମଧ୍ୟରେ କେବଳ ଛତିଶଗଡ଼ କ୍ୟାଡରର ୧୦୦ ଜଣ ଥିବା ବେଳେ ଓଡ଼ିଶାର ୧୦ ଜଣ, ଆନ୍ଧ୍ରପ୍ରଦେଶର ୧୦ ଜଣ ଅଛନ୍ତି। ସକ୍ରିୟ ଥିବା ମାଓବାଦୀଙ୍କ ମଧ୍ୟରେ ବରଗଡ଼ ଓ ବଲାଙ୍ଗୀରରେ ୭ ଜଣଙ୍କ ଗତିବିଧି ଚିହ୍ନଟ ହୋଇଥିବା ବେଳେ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡିରେ ୭୫ ଜଣ ଅଛନ୍ତି। ମାଲକାନଗିରି ଜିଲ୍ଲାରେ ଯଦିଓ କେହି ସକ୍ରିୟ ନାହାନ୍ତି, କିନ୍ତୁ ସୀମାକୁ ଲାଗି ଥିବା ଆନ୍ଧ୍ରପ୍ରଦେଶରେ ୧୯ଜଣ ସକ୍ରିୟ ଅଛନ୍ତି। ନୂଆପଡ଼ା ଜିଲ୍ଲାରେ ସକ୍ରିୟ ନଥିବା ବେଳେ ସୀମାକୁ ଲାଗି ରହିଥିବା ଛତିଶଗଡ଼ ସୀମାରେ ୨୦ ଜଣ ମାଓବାଦୀ ସକ୍ରିୟ ଅଛନ୍ତି। ଛତିଶଗଡ଼ ପଟୁ ମାଓ ଗୋଷ୍ଠୀ ନୂଆପଡ଼ା ଦେଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ନୂଆପଡ଼ାରୁ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲା ଯାଏଁ ବ୍ୟାପିଛନ୍ତି। ଏବେ ଛତିଶଗଡ଼-ନୂଆପଡ଼ା ରାସ୍ତାରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ତଥ୍ୟ ରହିଛି। ଏହାକୁ ବିଚ୍ଛିନ୍ନ କରିବାକୁ ଓଡ଼ିଶା ପୁଲିସ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛି। ଅନ୍ୟପଟେ ଓଡ଼ିଶା ସୀମାରୁ ୬୦ କିମି ଦୂର ଝାଡ଼ଖଣ୍ଡରେ ମାଓବାଦୀମାନେ ଡେରା ପକାଇଛନ୍ତି। 

ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧରେ ଗତିବିଧି ଠାବ
ମାଓ ଅପରେସନ୍ ପାଇଁ ୩ ନୂଆ ଓଏସ୍ଏସ୍ ବାଟାଲିୟନକୁ ଅନୁମୋଦନ
ଜଗତସିଂହପୁରର ନିଖିଲ, ଆନ୍ଧ୍ରର ଉଦୟ, ଛତିଶଗଡ଼ର ବାଲକ୍ରିଷ୍ଣ ଉପରେ ନଜର

ଏବେ ପ୍ରତି ମାଓବାଦୀ ପ୍ରଭାବିତ ଜିଲ୍ଲାକୁ ଦୁଇଟି ଲେଖାଏଁ ଡ୍ରୋନ୍ ଯୋଗାଇ ଦିଆଯାଇଛି। ଡ୍ରୋନ୍ ମାଧ୍ୟମରେ ଘଞ୍ଚ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରାଯାଇ ସେଗୁଡ଼ିକ ନଷ୍ଟ କରାଯାଉଛି। ଘଞ୍ଚ ଜଙ୍ଗଲ ଭିତରେ ନୂଆ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ କ୍ୟାମ୍ପ୍ ଖୋଲାଯାଉଛି। ଛୋଟ ଟିମ୍ ଗଠନ କରି ଘଞ୍ଚ ଜଙ୍ଗଲ ଭିତରକୁ ପଠାଯାଉଛି। ନୂଆପଡ଼ାରେ ତିନୋଟି ନୂଆ କ୍ୟାମ୍ପ ଛତିଶଗଡ଼ ସୀମାରେ ଖୋଲାଯାଇଛି। ସହରରେ ଥିବା ଏହି କ୍ୟାମ୍ପକୁ ଘଞ୍ଚ ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଛି। ଘଞ୍ଚ ଜଙ୍ଗଲରେ କେନ୍ଦ୍ରୀୟ ଫୋର୍ସ ରହିବ ଏବଂ ସହରରେ ରାଜ୍ୟ ଫୋର୍ସ ରହିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ମୁଖ୍ୟାଳୟର ତଥ୍ୟ ଅନୁଯାୟୀ, ୨୦୨୫ ଜାନୁଆରି ୨୯ ସୁଦ୍ଧା ୧୫ ଜଣ ମାଓବାଦୀ ପୁଲିସ ଗୁଳିରେ ଟଳିଛନ୍ତି। ନୂଆପଡ଼ା ଝାରବନ୍ଧରେ ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ଓ ଛତିଶଗଡ଼ ପୁଲିସ ମିଳିତ ସହଯୋଗରେ ଅପରେସନ୍ କରିଥିଲା। ୨୦୨୪ରେ ୬ ସିପିଆଇ(ମାଓବାଦୀ) କ୍ୟାଡର ନିହତ ହୋଇଥିବା ବେଳେ ୮ ଜଣ ଗିରଫ ଓ ୨୪ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୩ରେ ୩ ଜଣ ସିପିଆଇ(ମାଓବାଦୀ) କ୍ୟାଡର ନିହତ ହୋଇଥିବା ବେଳେ ୧୩ ଜଣ ଗିରଫ ଓ ୫ ଜଣ ଆତ୍ମସମର୍ପଣ କରିଛନ୍ତି।

ଏହି ସମୟରେ ୨୧ ବନ୍ଧୁକ ଓ ୨୫୨ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୨୨ରେ ୭ ଜଣ ସିପିଆଇ(ମାଓବାଦୀ) କ୍ୟାଡର ନିହତ, ୧୨ ଜଣ ଗିରଫ ଓ ୩ ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ୨୯ ବନ୍ଧୁକ ଓ ୮୭ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ୨୦୨୦ରେ ୧୭ ଜଣ ସିପିଆଇ (ମାଓବାଦୀ) ନିହତ ହୋଇଥିବା ବେଳେ ୩୪ ଜଣଙ୍କୁ ଗିରଫ ଓ ୨୫ ଜଣ ଆତ୍ମସମର୍ପଣ କରିଥିଲେ। ଅପରେସନ୍ ସମୟରେ ୬୦ଟି ବନ୍ଧୁକ ଓ ୬୩ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୧୯ରେ ୮ ଜଣ ନିହତ ହୋଇଥିବା ବେଳେ ୫୦ ଜଣ ଗିରଫ ଓ ୧୩ ଜଣ ଆତ୍ମସମର୍ପଣ କରିଥିଲେ। ଏଥିରେ ୨୧ ବନ୍ଧୁକ ଓ ୩୦ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ୨୦୧୮ରେ ୧୯ ସିପିଆଇ(ମାଓବାଦୀ) କ୍ୟାଡର୍‌ ନିହତ ହୋଇଥିଲେ। ୩୯ଜଣ ଗିରଫ ଓ ୨୭ ଜଣ ଆତ୍ମସମର୍ପଣ କରିଥିଲେ। ଏହି ଅପରେସନରେ ୪୦ ବନ୍ଧୁକ ଓ ୨୪ଟି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ୨୦୧୮ରୁ ୨୦୨୫ ଭିତରେ ଓଡ଼ିଶା ପୁଲିସର ଗୁଳି ବିନିମୟ ସମୟରେ ୭୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୬ ଜଣ ଗିରଫ ହେଲେଣି। ପୁଲିସ ଡିଜି ଵାଇ ବି ଖୁରାନିଆ ପ୍ରତି ସପ୍ତାହରେ ମାଓ ମୁକାବିଲା ରଣନୀତିର ସମୀକ୍ଷା କରୁଥିବା ବେଳେ ୨୦୨୬ ସୁଦ୍ଧା ମାଓବାଦୀ ଶିବିର ସଂପୂର୍ଣ୍ଣ ଧ୍ବଂସ ପାଇଁ ପଦକ୍ଷେପ ନିଆଯାଉଛି।