ଭୁବନେଶ୍ୱର: ଡ୍ରାଫ୍ଟ ୟୁଜିସି ରେଗୁଲେସନ-୨୦୨୫କୁ ବିରୋଧ କରି ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି। ଏଥିପୂର୍ବରୁ ପିସିସି କାର୍ଯ୍ୟାଳୟରୁ ଛାତ୍ର କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଉଥିବାବେଳେ ଲୋୟର ପିଏମ୍ଜିଠାରେ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲେ। କର୍ମୀମାନେ ପୁଲିସ୍ ବାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ କର୍ମକର୍ତ୍ତା ଓ ନେତୃତ୍ବମାନଙ୍କୁ ପୁଲିସ୍ ସେଠାରୁ ଉଠାଇ ନେଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ ଯେ ୨୦୧୪ ମସିହା ଠାରୁ କ୍ରମାଗତ ଭାବରେ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଆକ୍ରମଣ ହେଉଛି। ଜାତୀୟ ଶିକ୍ଷା ନୀତି କେବଳ ଶିକ୍ଷାର ଘରୋଇକରଣ ଓ କେନ୍ଦ୍ରୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏହି ନୀତି କାର୍ଯ୍ୟକାରୀ ହେବା ପରେ ସ୍କୁଲ ଫି ବୃଦ୍ଧି, ବଜେଟ୍ରେ ଉଚ୍ଚଶିକ୍ଷାର ଅନୁଦାନ କାଟ୍, ସଂରକ୍ଷଣରେ ଉଦାସୀନତା, ଯଥାର୍ଥ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ ଏବଂ ଶିକ୍ଷାନୁଷ୍ଠାନରେ ଆରଏସ୍ଏସ୍ ନୀତିର ପ୍ରଭାବ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।
ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ, ଆରଏସ୍ଏସ୍ ଓ ବଡ଼ବଡ଼ ଉଦ୍ୟୋଗପତିଙ୍କ ହାତରେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଟେକି ଦେବା ପାଇଁ ସରକାର ଷଡ଼ଯନ୍ତ୍ର କରୁଛନ୍ତି।
ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆରଏସ୍ଏସ୍ ଓ ଉଦ୍ୟୋଗପତିଙ୍କ ପ୍ରଭାବ ଅଧିକ ରହିବ। ଏହାବ୍ୟତୀତ ଆହୁରି ଏକାଧିକ ଦାବି ନେଇ ଛାତ୍ର କଂଗ୍ରେସ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛି। ଆଜିର ଏହି ବିକ୍ଷୋଭରେ ମାନସ ଚୌଧୁରୀ, ୟାସିର ନୱାଜ, ରଞ୍ଜିତ ପାତ୍ର, ନିହାର ବେହେରା, ସାହାରୁଖ୍ ଖାନ୍, ସୁନୀଲ କୁମାର ଗାନ୍ଧୀ, ସନ୍ଦୀପ ରାଉତରାୟ, ସିଦ୍ଧାନ୍ତ ଓମ୍ପ୍ରକାଶ, ଆଦିତ୍ୟ ଅଂଶୁମାନ ପାତ୍ର, ପ୍ରତୀକ ଦାସ, ଜଗଦୀଶ ରାଉତ, ସାହିଲ ମହାନ୍ତି, ହେମନ୍ତ ପ୍ରଧାନ, ଶିବରଞ୍ଜନ ସାହୁ, ଓମ୍ ପ୍ରକାଶ ପ୍ରଧାନ, ଚଣ୍ଡିପ୍ରସାଦ ମହାପାତ୍ର, ବିଶ୍ୱସି ରାଜପୁତ, ରୁଦ୍ରପ୍ରସାଦ ଖଟୁଆ, ବିଜୟ ବିଶ୍ୱାଳ, ସାର୍ଥକ ସୌରଭ ପରିଡ଼ା, ଅନନ୍ତ କୁମାର ଜେନା, ଅଙ୍କିତ ହରିଚନ୍ଦନ, ଦେବାଶିଷ ଖଟୁଆ, ଓମ୍ ପ୍ରକାଶ ସାହୁ, ଚନ୍ଦନ ସାହୁ, ଓମ୍ ପ୍ରକାଶ ପରିଡ଼ା, ଆଦର୍ଶ ଗାନ୍ଧୀ, ତାପସ ଦେ, ଅଭିଶେକ ଠୁଙ୍ଗ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ଛାତ୍ର ନେତା ସାମିଲ ଥିଲେ।