ଖାକି ବର୍ଦିରେ ଗଂଜେଇ ଗନ୍ଧ ବାରିଲା ଅବକାରୀ ବିଭାଗ, ମାଲକାନଗିରିରେ ପୁଲିସ ପାର କରାଉଛି ଗଂଜେଇ!

ମାଲକାନଗିରି: ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ମାଲକାନଗିରି ଅବକାରୀ ବିଭାଗ ଗଂଜେଇ ଜବତ କରିବା ସହ କିପରି ପୁଲିସ ଗଂଜେଇ ବେପାରରେ ସାମିଲ ରହିଛି, ତାହାର ମଧ୍ୟ ପର୍ଦାଫାସ କରିଛି। ଖାକି ବର୍ଦିରେ ଗଂଜେଇ ଗନ୍ଧ ବାରି ପାରିଛି ଅବକାରୀ ବିଭାଗ। ଗଂଜେଇ ଚାଲାଣ କରୁଥିବା ଜଣେ ପୁଲିସ ବାବୁକୁ କାବୁ କରିଛି ଅବକାରୀ ବିଭାଗ।

ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଂଜେଇ ଯାଉଛି। ତେବେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନୋଟି ଦଳ ହୋଇ ବିଭିନ୍ନ ସ୍ଥାନରେ ଛକି ରହିଲେ। ବାଲିମେଳା-ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ କ୍ଷୀପ୍ର ଗତିରେ ଆସୁଥିବା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ। ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯାଉଥିଲା।

ତେବେ କୋରକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌କୁ ଅବକାରୀ କର୍ମଚାରୀମାନେ କାବୁ କରିପାରିଥିଲେ। ଭ୍ୟାନ୍କୁ‌ ଯାଞ୍ଚ କଲାବେଳେ ସେଥିରେ ପଣସ ଓ କଖାରୁ ଗଦା ହୋଇ ରହିଥିଲା। ସେହି ପଣସ ଓ କଖାରୁକୁ କାଢିବା ପରେ ସେଥିରେ ୩୧ଟି ଗଂଜେଇ ପ୍ୟାକେଟ ଭର୍ତ୍ତି ହୋଇ ରହିଥିଲା, ଯାହାକୁ ଓଜନ କରିବା ପରେ ଜଣାପଡିଥିଲା ଯେ ସେଥିରେ ୮ କ୍ବିଣ୍ଟାଲ ଗଂଜେଇ ଭର୍ତ୍ତି ହୋଇ ରହିଛି।

ଗଂଜେଇ ଚାଲାଣ କରୁଥିଲେ ପୁଲିସ କନେଷ୍ଟବଳ ସଂଜୀବ ହିରା। ସଂଜୀବଙ୍କ ଘର ଏମଭି-୭ ଗ୍ରାମରେ। ସଂଜୀବ ପୂର୍ବରୁ ମଧ୍ୟ ବହୁ ଥର ଗଂଜେଇ ମାଲକାନଗିରିରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ କରି ସଫଳ ହୋଇଛନ୍ତି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଂକା ହେବ ବୋଲି ଅବକାରୀ ବିଭାଗ କହିଛି।

ମାଲକାନଗିରି ଜିଲ୍ଲାରୁ ଗଂଜେଇ ପାର ହୋଇ ଅନ୍ୟ ଜିଲ୍ଲାରେ ଗଂଜେଇ ଧରା ପଡୁଥିବା ବେଳେ ଏଥିରେ ପୁଲିସ ବିଭାଗର ସଂପୂର୍ଣ୍ଣ ହାତ ରହିଥିବା ଏଥିରୁ ଅନୁମାନ କରାଯାଏ। ଗଂଜେଇ ଲଦି ପୁଲିସ ଗାଡି ଚଳାଉଥିଲେ କେହି ସଂଦେହ କରିବେ ନାହିଁ ଭାବି ଏହି ପୁଲିସ କନେଷ୍ଟବଳ ଜଣକ ଏଭଳି ବହୁ ଥର ଗଂଜେଇକୁ ପାର କରାଇବାରେ ସଫଳ ହୋଇଛନ୍ତି। ଏଥିରେ ଆହୁରି ତିନି ଜଣ ସଂପୃକ୍ତ ଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାର ଆଉ ଜଣେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଅବକାରୀ ବିଭାଗ କହିଛି। ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜିଥିବା ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି।

ଏହି ଘଟଣା ପରେ ମାଲକାନଗିରି ପୁଲିସ ଉପରେ କଳାଦାଗ ପଡିଛି। ଧରାପଡିଥିବା ପୁଲିସ ବାବୁଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଏବଂ  ନଗଦ ୩୯୨୦ ଟଂକା ମଧ୍ୟ ଜବତ କରାଯାଇଛି। ପିକ୍‌ଅପ୍‌କୁ ମଧ୍ୟ ଜବତ କରାଯାଇଥିବା ଅବକାରୀ ବିଭାଗ କହିଛି। ତେବେ ମାଲକାନଗିରି ପୁଲିସ ଏନେଇ କୌଣସି ସ୍ପଷ୍ଟିକରଣ ଦେଇନଥିବା ବେଳେ ପୁଲିସ ଲଜ୍ଜିତ ହୋଇଥିବା ଅନୁମାନ କରାଯାଏ। ଦୀର୍ଘ ଦିନ ପରେ ଅବକାରୀ ବିଭାଗ ଏତେ ପରିମାଣର ଗଂଜେଇ ଧରିବା ସହ ପୁଲିସର ଭିତିରିଆ ବ୍ୟବସାୟକୁ ମଧ୍ୟ ପର୍ଦାଫାସ କରିଥିବା ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର