କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ସଭାପତିଙ୍କ ନାଁରେ ଯୌନ ଶୋଷଣ ମାମଲା, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ପୁଲିସ!

ତିନି ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ନ୍ୟାୟ ଆଶାରେ ପୀଡ଼ିତା ବାରଦୁଆର

କେନ୍ଦ୍ରାପଡ଼ା: ଅଧସ୍ତନ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା, ଅଶ୍ଳୀଳ ଇଙ୍ଗିତ କରିବା ଏବଂ ଧମକ ଦେବା ଭଳି ସଂଗିନ ଅଭିଯୋଗ ରୁଜୁ ହୋଇଛି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କ ନାଁରେ। କିନ୍ତୁ ତିନି ମାସ ହେଲା ମାମଲା ରୁଜୁ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ପୀଡ଼ିତା ନ୍ୟାୟ ପାଇଁ ବିଭିନ୍ନ ଫୋରମର ଦ୍ବାରସ୍ଥ ହୋଇ ଚାଲିଥିବାବେଳେ ପୁଲିସ କିନ୍ତୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ଶ୍ରୀ ସାହୁଙ୍କ ନାଁରେ ଆସିଥିବା ଯୌନ ଶୋଷଣ ଅଭିଯୋଗ କେନ୍ଦ୍ରାପଡ଼ା ପୁଲିସର ତଦନ୍ତ ଫାଇଲରେ ବାନ୍ଧି ହୋଇରହିଛି।

ପୀଡ଼ିତା ଜଣକ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କର କର୍ମଚାରୀ। ସଭାପତି ଶ୍ରୀ ସାହୁ ତାଙ୍କୁ ମୋବାଇଲ୍ ଶିଖିବା ନାଁରେ ନିଜ ଚାମ୍ବରକୁ ଡାକି ଅସଦାଚରଣ କରିବା, ବାରମ୍ବାର ଫୋନ୍ ତଥା ଭିଡିଓ କଲ୍ କରିବା, ଚାମ୍ବରକୁ ଡାକି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ଏବଂ ଜୋରଜବରଦସ୍ତ ଶରୀରର ବିଭିନ୍ନ ଅଂଶକୁ ଛୁଇଁଥିବା ସଂପର୍କରେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଗତ ଏପ୍ରିଲ୍ ୩୦ତାରିଖରେ ସେ ଏତଲା ଦେଇଥିଲେ। ମାତ୍ର ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଗତ ଜୁଲାଇରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ଚଞ୍ଚକତା ପୂର୍ବକ ପିଛିଲା ତାରିଖରେ ଅର୍ଥାତ୍ ଅଭିଯୋଗର ତିନି ମାସ ପରେ ଜୁଲାଇ ୨୩ ତାରିଖରେ ମାମଲା (କେସ୍ ନଂ ୧୩୮/୨୦୧୯) ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦଫା ୫୦୯, ୩୫୪(ଖ)(୧), ୫୦୬ ଓ ୨୯୪ରେ ମାମଲା ରୁଜୁ କରିଥିଲା। କିନ୍ତୁ ତା’ ପରେ ବି ଶ୍ରୀ ସାହୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ଗ୍ରହଣ କରୁ ନଥିବା ଅଭିଯୋଗ ଆଣି ପୀଡ଼ିତା ଜିଲ୍ଲାପାଳ, ଲୋକାଲ୍ କମ୍ପ୍ଲେଣ୍ଟ କମିଟି ଏବଂ ଅଗଷ୍ଟ ୩ତାରିଖରେ ରାଜ୍ୟ ମହିଳା କମିସନଙ୍କୁ ଜଣାଇଥିଲେ। ସେଥିରେ ବି ତାଙ୍କୁ ନ୍ୟାୟ ମିଳିନି। ଏ ସଂପର୍କରେ ଅତିରିକ୍ତ ଏସ୍‌ପି ଅମିତା ପଟ୍ଟନାୟକ କହିଛନ୍ତି ଯେ, ମାମଲାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେମାନଙ୍କ ଭିତରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଯାଞ୍ଚ ଚାଲିଛି। ଖୁବ୍‌ଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ମାମଲାରେ ପ୍ରଭାବଶାଳୀଙ୍କୁ ବଂଚାଇବା ପାଇଁ ପୁଲିସ୍‌ର ଦନ୍ତହୀନ ତଦନ୍ତକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମି ନଥିବାବେଳେ କେନ୍ଦ୍ରାପଡ଼ାରେ ଯୌନ ଶୋଷଣର ଶିକାର ଜଣେ ଯୁବତୀଙ୍କୁ ନ୍ୟାୟ ଦେବାରେ ସ୍ଥାନୀୟ ପୁଲିସର ବିଫଳତା , ମୁଖ୍ୟମନ୍ତ୍ରୀଙ୍କ ’ମୋ ସରକାର’ ଅଭିଯାନର ମୂଳ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଥିବା ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର