ଘୁ.ଉଦୟଗିରି(ସମୀର କୁମାର ପାଢୀ): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ଥାନାର ଜଣେ କର୍ତ୍ତବ୍ୟ ରତ ମହିଳା ପୁଲିସ ଏସ୍ଆଇ ସ୍ୱାଗତିକା ଆତ୍ମହତ୍ୟା ଘଟଣାକୁ ପାଞ୍ଚ ମାସ ପୁରିବାକୁ ଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ରହସ୍ୟ ଭିତରେ ରହିଯାଇଛି ଏହି ଘଟଣା। କେଉଁ କାରଣରୁ ଏସଆଈଙ୍କ ମୃତ୍ୟୁ ହେଲା ସେ ରହସ୍ୟ ଉପରୁ ପରଦା ହଟାଇ ପାରିନି କନ୍ଧମାଳ ପୁଲିସ। ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଗତବର୍ଷ ଅଗଷ୍ଟ ୨୭ ତାରିଖରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା ପରେ ପରିବାର ଲୋକ ନ୍ୟାୟ ଭିକ୍ଷା କରି ଥାନା ସମ୍ମୁଖରେ ଅନସନରେ ବସିଥିଲେ। ଦୁଇଦିନ ପରେ ମୃତ ଏସଆଇଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ଜିଲ୍ଲା ପୁଲିସ ଏହି ଘଟଣାକୁ ନେଇ ହରଡ଼ଘଣାରେ ପଡି ଯାଇଥିଲେ। ତତ୍କାଳୀନ ଏସପି ଭିନିତ ଅଗ୍ରୱାଲ ଘୁ.ଉଦୟଗିରି ଥାନାରେ ପହଞ୍ଚି ମୃତ ଏସଆଇଙ୍କ ପରିବାର ସଦସ୍ୟଙ୍କୁ ଭେଟି ଅନସନରୁ ଉହରିବାକୁ ଅନୁରୋଧ କରିବା ସହ ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ଏସପି ଯାଜପୁର ବଦଳି ହୋଇ ଗଲେଣି। ନୂତନ ଏସପି ଯୋଗ ଦେଲେଣି। ସ୍ୱାଗତିକା ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ କାରଣ ଏଯାବତ୍ ଜଣାପଡିନାହିଁ।
ଡିଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ କୌଣସି ଠୋସ ତଥ୍ୟ ପଦାକୁ ଆସିପାରିନାହିଁ । ଏସ ଆଇ ସ୍ୱାଗତିକା କଣ ପାଇଁ ଆତ୍ମ ହତ୍ୟା କଲେ ତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କୌଣସି ଦିଗ ପାଇପାରୁ ନ ଥିବା ଚର୍ଚ୍ଚା ଜୋର ଧରିଛି ।
ଅଗଷ୍ଟ ୨୬ ତାରିଖ ରାତିରେ ସ୍ୱାଗତିକା ଥାନାରୁ କାମ ସାରି ଘରକୁ ଫେରିଥିଲେ। ୨୭ ତାରିଖ ସକାଳେ ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।ତତ୍କାଳୀନ ଆଇ ଆଇସି ରେବତୀ ଶବର, ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥଲେ। ସ୍ୱାଗତିକା ଏକା ରହୁଥିବା ବେଳେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡି ନ ଥିଲା। ସ୍ୱାଗତିକାଙ୍କ ମାଆ ଘୁ.ଉଦୟଗିରିରେ ପହଞ୍ଚି ଝିଅର ମୃତ୍ୟୁ ପାଇଁ ତତ୍କାଳୀନ ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରିଥିଲେ।
ପୂର୍ବରୁ ସ୍ୱାଗତିକା ନିଜ ମା ସହିତ କଥା ହେବା ବେଳେ ସେହି ସମୟର ଆଇଆଇସି ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି କହିଥିଲେ। ଆଉ ନିର୍ଯାତନା ସହି ନ ପାରି ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଥିଲା ଏବଂ ସ୍ଥାନୀୟ ଥାନାରେ ନିଜ ଝିଅର ମୃତ୍ୟୁ ପାଇଁ ତତ୍କାଳୀନ ଆଇଆଇସିଙ୍କୁ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଲିଖିତ ଏଫଆଇଆର ଦରଜ କରିଥିଲେ। ସ୍ଥାନୀୟ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା।
ତେବେ ତତ୍କାଳୀନ ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ଏହାର ତଦନ୍ତ ଦାୟିତ୍ୱ ଡି ଏସପି ବିଶ୍ଵାମିତ୍ର ହରପାଲଙ୍କୁ ଦିଆଯାଇଥିଲା। ସେ ଏଥି ସହ ତତ୍କାଳୀନ ଆଇଆଇସି ରେବତୀ ସବରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତେବେ ଏହି ଘଟଣାକୁ ପାଞ୍ଚ ମାସ ବିତିବାକୁ ଗଲାଣି ତଥାପି କେଉଁଠି ଅଟକିଛି ତଦନ୍ତ ତାହା ଜଣାପଡିନାହିଁ। ସ୍ୱାଗତିକା ଆତ୍ମହତ୍ୟାର ପ୍ରାୟ ୭ ମାସ ପୂର୍ବରୁ ଘୁ.ଉଦୟଗିରି ଥାନାରେ ନିଯୁକ୍ତି ପାଇଥିଲେ। ସେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ହୋଇଥିବା ବେଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ଥିଲେ। ସ୍ୱାଗତିକା ଏକା ରହିଥିବା ବେଳେ କେଉଁ କାରଣରୁ ଓ କେମିତି ତାଙ୍କ ମୃତ୍ୟୁ ହୋଇଛି ତାହାର ଟେର ପୁଲିସ ପାଇ ପାରୁ ନ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତଦନ୍ତ ଚାଲିଛି ଓ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଡିଏସପି।
ପ୍ରଶ୍ନ ଉଠୁଛି ସ୍ୱାଗତିକାଙ୍କ ମାଙ୍କ ଅଭିଯୋଗ ଆଧାରରେ ଆଇଆଇସିଙ୍କୁ ତଦନ୍ତ ଭୁକ୍ତ କରାଯାଇଛି କି ? ଘଟଣା ପୂର୍ବ ଦିନର ଥାନାର ସିସି ଟିଭି ଫୁଟେଜ ସଂଗ୍ରହ କରାଯାଇଛି କି? ଘୁ.ଉଦୟଗିରି ଥାନାରେ କର୍ତ୍ତବ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କୁ ତଦନ୍ତ ଅନ୍ତର୍ଭୁକ୍ତ କରାଯାଇଛି କି? ନିର୍ଯାତନା ଦେବା ପଛର କାରଣ କାଣ?ନା ସେ ଆଉ କୌଣସି କାରଣ ପାଇଁ ସ୍ୱାଗତିକା ଆତ୍ମହତ୍ୟା କଲେ ? ପୁଲିସ ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ପାଇଲାଣି ନା ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ତଦନ୍ତକାରୀ ଅଧିକାରୀ। ମୃତ ମହିଳା ଏସଆଇ ସ୍ୱାଗତିକାଙ୍କ ପରିବାର ଲୋକ ଏକ ବଡ଼ ଅଭିଯୋଗ ଉଠେଇ ପୁଲିସକୁ କାଠଗଡାକୁ ଟାଣିଛନ୍ତି। ପରିବାର ସଦସ୍ୟଙ୍କ ଅଭିଯୋଗ ପରିବାର ସଦସ୍ୟଙ୍କୁ ନ ଜଣେଇ ତାଙ୍କ ବିନା ଉପସ୍ଥିତରେ କିଭଳି ତାଙ୍କ ଶବ ବାହାର କରାଗଲା, ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରୁ ସୁଇସାଇଡ଼ ନୋଟ ମିଳିଥିଲା କି? ଯଦି ମିଳିଥିଲା ତାହାହେଲେ ସେଥିରେ କଣ ଲେଖା ଥିଲା? ଯାହା ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକ ସେଇ ଆଇଆଇସି କିଭଳି ଶବ ବାହାର କରିଥିଲେ ବୋଲି ଏହିଭଳି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ରହିଯାଇଛି ମହିଳା ଏସଆଇଙ୍କ ଆତ୍ମହତ୍ୟା ଘଟଣା। ଏହିଭଳି ସ୍ଥିତିରେ ସମ୍ପୃକ୍ତ ମହିଳା ପୁଲିସ ଏସ୍ଆଇଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି। ପୁଲିସ ଖୋଜୁଛି ପୁଲିସର ଆତ୍ମ ହତ୍ୟାର ରହସ୍ୟ।