ପୁଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ: ପୁଲିସ ଡିଜି

ଭୁବନେଶ୍ବର: ନିର୍ବାଚନୀ ହିଂସା ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଉପସ୍ଥିତ ଥିଲେ। ବୈଠକ ଶେଷରେ ଡିଜିପି କହିଛନ୍ତି, ପୁଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ। ନିର୍ବାଚନ ସମୟରେ  ଗୋଟିଏ ଦୁଇଟି ସ୍ଥାନରେ ହିଂସା ହୋଇଛି। ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଅନ୍ୟ ପର୍ଯ୍ୟାୟରେ ଭୋଟିଂ କିଭଳି ହେବ ଶାନ୍ତିପୂର୍ଣ୍ଣ ହେବ ତାହା ଦେଖିବୁ ବୋଲି ସେ କହିଛନ୍ତି

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୬ ତାରିଖ ଦିନ ମତଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବୁଥ କ୍ୟାପଚରିଂ ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ହୋଇଥିଲା। ନିର୍ବାଚନୀ ହିଂସା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ। ପ୍ରାର୍ଥୀଙ୍କ ସମର୍ଥକଙ୍କ ମାଡ଼ରେ କିଛି ଲୋକ ଆହତ ହୋଇଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଏକ ମତଦାନ କେନ୍ଦ୍ର ବାହାରେ ବୋମାମାଡ଼ ହୋଇଥିଲା। ସେହିପରି କଣାସରେ ମଧ୍ୟ ନିର୍ବାଚନୀ ହିଂସା ଦେଖାଯାଇଥିଲା। ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଶୃଙ୍ଖଳା କରିଥିବା ୧୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗତକାଲି ଯାଜପୁର ଓ ଧର୍ମଶାଳା ବ୍ଲକର ୧୦ଟି ବୁଥରେ ବୁଥ ଜବରଦଖଲ, ଟାମ୍ପରିଂ, ପୁଲିସକୁ ମାଡ, ପୁଲିସ ଗାଡି ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ରାତି ତମାମ ବିଭିନ୍ନ ଅଂଚଳରେ ଚଢାଉ କରି ଗିରଫ କରାଯାଇଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର