ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଟିମନାର ବିରମୁଣ୍ଡା ଅଞ୍ଚଳରୁ ଆସିଛି ସଭ୍ୟ ସମାଜର ମୁଣ୍ଡ ନୂଆଁଇଲା ଭଳି ଦୃଶ୍ୟ। ସ୍ତ୍ରୀଙ୍କର ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ଦେଇଛନ୍ତି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା। ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି। ସ୍ତ୍ରୀଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ବାମୀ, ଦିଅର ସହିତ ୧୪ ଜଣକୁ ଅଟକ ରଖି ପଚରାଉଚରା ଆରମ୍ଭ ହୋଇଛି। ଘଟଣାସ୍ଥଳକୁ ଏସପି ନିଜେ ଗଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 

Advertisment

ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ କରନ୍ତି । ସ୍ତ୍ରୀଙ୍କର ଅନ୍ୟ ଏକ ଗାଁର ଜଣେ ଅବିବାହିତ ଯୁବକଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ଚାରିଦିନ ହେଲା ମହିଳାଙ୍କ ଘରେ ଆସି ରହୁଥିଲେ। ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଉଭୟଙ୍କୁ ଧରି କଙ୍ଗାରୁ କୋର୍ଟ ବସାଇଥିଲେ । ସେଠାରେ ଉଭୟେ ପରକୀୟା ପ୍ରୀତି ସ୍ବୀକାର କରିଥିଲେ। ଖବର ପାଇ ବୁଧବାର ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରୁ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ଼ ମାରିବା ସହ ସ୍ତ୍ରୀକୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ ।

ଏହାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ କଙ୍ଗାରୁ କୋର୍ଟ ନେଇ ଗ୍ରାମବାସୀ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି ନଥିଲେ।  ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଆଇଆଇସି ବାଲୁଙ୍କେଶ୍ବର ନାଏକ ସୂଚନା ଦେଇଥିଲେ।

ଏସପି ଅମ୍ରିତପାଲ କୌର, ଅତିରିକ୍ତ ଏସପି ଓ ପୁଲିସ ଫୋର୍ସ  ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ୧୪ ଜଣଙ୍କୁ ଥାନାକୁ ଆଣି ପଚରଉଚରା କରାଯାଉଛି ।