ଗରିବ ବିଧବାଙ୍କ ୩୫ ହଜାର ଟଙ୍କା ନେଇଗଲା ପୁଲିସ!

ସ୍ବାମୀଙ୍କ ସାପକାମୁଡ଼ା ମୃତ୍ୟୁ କ୍ଷତିପୂରଣ ଟଙ୍କା, ଚଢଉ ବେଳେ ପୁଲିସ ଜୁଲୁମ ଅଭିଯୋଗ

ବୀରମିତ୍ରପୁର: ଦୋଷ ନ ଥାଇ ବି ଦଣ୍ତ ପାଇଲେ ନିରୀହ ବିଧବା ମହିଳା ମାରିୟମ୍ କୁଲ୍ଲୁଙ୍କ ପରିବାର। ପୁଲିସ କର୍ମଚାରୀମାନେ ଚଡ଼ଉ ଆଳରେ ତାଙ୍କ ଘରୁ ୩୫ ହଜାର ଟଙ୍କା ନେଇ ଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ମାରିୟମ୍। ଘରେ ଟଙ୍କା ନ ଥିବାରୁ ଝିଅ ବାହାଘର ଅଟକି ଯାଇଛି। ସାପ କାମୁଡ଼ାରେ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ମିଳିଥିବା ଏହି କ୍ଷତିପୂରଣ ଅର୍ଥ ପୁଲିସ କର୍ମଚାରୀମାନେ ନେଇଯିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସମଗ୍ର ପରିବାର। ଭୟରେ କାହା ଆଗରେ ମୁହଁ ଖୋଲି ପାରୁନାହାନ୍ତି କି ଥାନାକୁ ଯାଇ ଏତଲା ଦେବାକୁ ସାହସ ଜୁଟାଇ ପାରୁନାହାନ୍ତି।

ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଗାଁରେ ଚଳିତ ମାସ ୧୭ ତାରିଖ ରାତିରେ ପୁଲିସ ଦଳ ଚଡ଼ଉ କରି ପିପୁଲ୍‌ସ ଲିବରେସନ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ) ସହ ସମ୍ପର୍କ ଥିବା ଅଭିଯୋଗରେ ରାଜୁ କିଣ୍ଡୋଙ୍କୁ ଗିରଫ କରିଥିଲେ। ଏହି ଚଡ଼ଉ ବେଳେ ପୁଲିସ ରାଜୁଙ୍କ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବିଧବା ମାରିୟମ୍ କୁଲ୍ଲୁଙ୍କ ଘରେ ମଧ୍ୟ ପଶିଥିଲେ। ଚଡ଼ଉ ଆଳରେ ପୁଲିସ ଦଳ ବିଧବାଙ୍କ ବାକ୍ସ ଭାଙ୍ଗି ସେଥିରେ ଥିବା ୩୫ ହଜାର ଟଙ୍କା ନେଇ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଟଙ୍କା ନ ନେବା ପାଇଁ ମାରିୟାମ୍ ପୁଲିସ ନିକଟରେ ଯେତେ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ। ବରଂ ମାମଲାରେ ଫସାଇ ଦେବାକୁ କୁଆଡ଼େ ଧମକ ଦେଇଥିଲେ।

ଉଲ୍ଲେଖନୀୟ, ଗତ ୨୦୧୮ ମସିହାରେ ମାରିୟମ୍‌ଙ୍କ ସ୍ବାମୀ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ପ୍ରାୟ ୨ ମାସ ତଳେ ତାଙ୍କୁ କ୍ଷତିପୂରଣ ବାବଦରେ କିଛି ଟଙ୍କା ମିଳିଥିଲା। ନିଜର ୨୪ ବର୍ଷ ବୟସ୍କା ଝିଅକୁ ବାହା ଦେବା ପାଇଁ ଯୋଜନା କରି ମରିୟମ୍ ସେଥିରୁ ୩୫ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଆଣି ଘରେ ରଖିଥିଲେ। କିନ୍ତୁ ରାଜୁ କିଣ୍ଡୋଙ୍କୁ ଧରି ସାରିବା ପରେ ପୁଲିସ ଉେଦ୍ଦଶ୍ୟମୂଳକ ଭାବେ ମାରିୟମଙ୍କ ଘରେ ପଶିଥିବା ଅଭିଯୋଗ ହୋଇଛି। ମରିୟମ କହିଛନ୍ତି, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ସ୍ବାମୀଙ୍କ ମୃତ୍ୟୁ ପରେ ପର ଘରେ ମୂଲ ଲାଗି ସେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଅର୍ଥ ଅଭାବରୁ ସେ ଆଉ ଝିଅ ବାହାଘର କରି ପାରିବେ କି ନା ସନ୍ଦେହରେ ଅଛନ୍ତି। ସୁନ୍ଦରଗଡ଼ ଏସ୍‌ପି ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବାକୁ ମାରିୟମ୍ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର