ଛେଳି ଚୋରି କରି ଖାଇଦେଲା ପୁଲିସ, ଥାନାରେ ଉତ୍ତେଜନା

ଏଏସ୍‌ଆଇଙ୍କ କାରନାମା, ଥାନାବାବୁ କରୁଛନ୍ତି ବୁଝାମଣା

ବଲାଙ୍ଗୀର/ସିନ୍ଧେକେଲା: ନୂଆବର୍ଷ ପାଇଁ ସବୁଠି ଭୋଜିଭାତର ମାହୋଲ। ଆଉ ଏଥିରୁ କେମିତି ବାଦ୍‌ ପଡ଼ିବ ପୁଲିସ। ଏଥିପାଇଁ ବିଭିନ୍ନ ଥାନାରେ ବି ଶୁକ୍ରବାର ଜମିଥିଲା ଭୋଜିଭାତର ଆସର। ହେଲେ ମେଲ୍‌ଛା (ଛେଳି) ଚୋରି କରି ଖାଇଯିବା ଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାରେ। ସିନ୍ଧେକେଲା ଥାନାର ପୁଲିସ ଅଧିକାରୀ ଜଣେ ଗରିବ ଲୋକଙ୍କ ମେଲ୍‌ଛା ଚରିବାକୁ ଯାଇଥିବା ସମୟରେ ତାକୁ କାଟି ଖାଇଯାଇଛନ୍ତି। ମେଲ୍‌ଛାର ମାଲିକ ତାହା ଜାଣିବା ପରେ ଘଟଣା ଉଗ୍ରରୂପ ନେଇଛି। ଗାଁ ଲୋକ ଥାନା ଘେରାଉ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ପୁଲିସ ଛେଳି ଚୋରି କରିବା ଓ ଖାଇବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଚୋରି କରିଥିବା ଏଏସ୍‌ଆଇ ବାବୁ ଫେରାର ମାରିଥିବା ବେଳେ ଥାନାବାବୁ ଉତ୍ତ୍ୟକ୍ତ ଲୋକଙ୍କ ସହ ବୁଝାମଣା ଚଳାଇଛନ୍ତି।

ସିନ୍ଧେକେଲା ଥାନାରେ ଏଏସ୍‌ଆଇ ଥିବା ସୁମନ ମଲ୍ଲିକ ଓ କିଛି କର୍ମଚାରୀ ଥାନା ପରିସରକୁ ଚରିବା ପାଇଁ ଆସିଥିବା ଦୁଇଗୋଟି ଛେଳିକୁ ଭୋଜି ଭାତ କରି ଖାଇବା ପାଇଁ କାଟୁଥିଲେ। ଏହି ସମୟରେ ମାଲିକ ସଂକୀର୍ତ୍ତନ ଗୁରୁ ଛେଳିକୁ ଖୋଜି ଖୋଜି ଥାନା ପଛପଟେ ଥିବା ଷ୍ଟାଫ କ୍ବାର୍ଟର୍ସ ଆଡ଼କୁ ଯାଇଥିଲେ। ଛେଳି ଚିତ୍କାର କରୁଥିବା ଶବ୍ଦ ଶୁଣି ଖୋଜି ଖୋଜି କଟା ଯାଉଥିବା ସ୍ଥାନରେ ପହଞ୍ଚିଥିଲେ। ଉକ୍ତ ଛେଳି ତାଙ୍କର ବୋଲି କହି ପ୍ରତିବାଦ କରିଥିଲେ। ଛେଳି ମାଲିକଙ୍କୁ ଧକ୍କା ମାରିବା ସହ ସାର୍ଟ କଲର ଧରି ଥାନାରେ ପୂରାଇ ଦେବାକୁ ଏଏସ୍‌ଆଇ ସୁମନ ମଲ୍ଲିକ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସିନ୍ଧେକେଲା ଥାନା ସାମ୍ନାରେ ଉତ୍ତେଜନା ଦେଖାଦେଇଥିଲା।

ପୁଲିସର ଏ ପ୍ରକାର କାର୍ଯ୍ୟକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ଶୁକ୍ରବାର ଆଇଆଇସି ଆଲୋକ ବେହେରା ବଲାଙ୍ଗୀର ଏସ୍‌ପି ଅଫିସକୁ ମିଟିଙ୍ଗ ପାଇଁ ଯାଇଥିଲେ। ଥାନା ସାମ୍ନାରେ ଉତ୍ତେଜନା ହେଉଥିବା ଜାଣି ବଣିକ ସଂଘ ସଭାପତି ସୁବାସ ଜୈନ, ପୂର୍ବତନ ସରପଞ୍ଚ ନରେଶ ଅଗ୍ରଓ୍ବାଲ, ସମାଜସେବୀ ଅନିଲ ତ୍ରିପାଠୀ, ଜିଲ୍ଲା ବିଜେପି ସମ୍ପାଦକ ଅନିଲ ନାଏକ, ଦୀନେଶ ଜୈନ ପ୍ରମୁଖ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ।

ଥାନାଧିକାରୀଙ୍କୁ ଫୋନ୍‌ରେ ଜଣାଇବା ପରେ ସେ ଦୋଷୀ ବିରୋଧରେ ଦୃ୍ଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିବା ପରେ ଉତ୍ତେଜନା କମିଥିଲା। କହିବାରୁ ଉତ୍ତେଜନା କମିଥିଲା। ପରେ ଆଇଆଇସି ଶ୍ରୀ ନାଏକ ଥାନାକୁ ପହଞ୍ଚି ଛେଳି ମାଲିକ ସଂକୀର୍ତ୍ତନ ଗୁରୁ ଓ ତାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ। ଦୋଷୀ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପରିବାର ବର୍ଗ କିପରି ନ୍ୟାୟ ପାଇବାକୁ ଚାହୁଛନ୍ତି ବୋଲି ଆଇଆଇସି ପଚାରିଥିଲେ। ଛେଳି ମାଲିକଙ୍କ ପରିବାର ଲୋକେ ଛେଳିର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର