ଝାରସୁଗୁଡ଼ା : ଲଇକେରା ଥାନା ଅନ୍ତର୍ଗତ ସାହାସପୁର ଫାଣ୍ଡିରେ ଶନିବାର ଜଣେ ବ୍ୟକ୍ତିଙ୍କୁ ଅମାନବୀୟ ଭାବେ ମାଡ଼ ମରାଯିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଏସ୍ପି ଅଶ୍ୱିନୀ ମହାନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏସ୍ଡିପିଓ କୈଳାସ ଆଚାର୍ଯ୍ୟ ଓ ଲଇକେରା ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୂ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀଦ୍ୱୟ ରବିବାର ଡାକ୍ତରଖାନା ଯାଇ ଆହତ ଭିକୁ ନାୟକ ଓ ତାଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି।
ସୂଚନାନୁସାରେ ସାହାସପୁର ଫାଣ୍ଡି ଅନ୍ତର୍ଗତ ନାଏକକର୍ଲା ଗାଁର ଭିକୁ ଓ ତାଙ୍କ ଭଉଣୀ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହିଥିଲା। ଉକ୍ତ ମାମଲାରେ ପୁଲିସ୍ ଶନିବାର ଭିକୁଙ୍କୁ ଫାଣ୍ଡିକୁ ଡକାଇ ନିସ୍ତୁକ ମାଡ଼ ମାରିଥିଲା। ମାଡ଼ ଖାଇ ଗୁରୁତର ଅବସ୍ଥାରେ ଘରକୁ ଫେରିବା ପରେ ଭିକୁ ବେହୋସ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହେଉଥିବା ବେଳେ ଘଟଣା ସଂପର୍କରେ ରବିବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏସ୍ପି ଶ୍ରୀ ମହାନ୍ତି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଏସ୍ଡିପିଓ ଶ୍ରୀ ଆଚାଯ୍ୟର୍ଙ୍କୁ ପଚାରିବାରେ ସେ କହିଥିଲେ ଯେ, ଫାଣ୍ଡି ଅଧିକାରୀ ଛୁଟିରେ ଯାଇଥିବା ବେଳେ ସେଠାରେ ଡ୍ୟୁଟିରେ ଶନିବାର ଜଣେ କନ୍ଷ୍ଟେବଲ ଥିଲେ। ଭିକୁ ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଜମି ମାମଲାକୁ ନେଇ ବିବାଦକୁ ଥିବାରୁ ଉଭୟ ପକ୍ଷ ଫାଣ୍ଡିକୁ ଯାଇଥିଲେ। ଏହି ସମୟରେ ଭିକୁ ମଦ୍ୟପାନ କରି କନ୍ଷ୍ଟେବଲ୍ଙ୍କ ସହିତ ବଚସା କରିବା ସହ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ। ଫଳରେ କନ୍ଷ୍ଟେବଲ୍ ଜଣକ ମଧ୍ୟ ତାଙ୍କୁ ଦି ଚାପୁଡ଼ା ମାରିଥିଲେ। ମାଡ଼ ଖାଇ ଭିକୁ ଏକ ଲୁହା ଟେବୁଲରେ ବାଡ଼େଇ ହୋଇ ପଡ଼ିଯିବାରୁ ତାଙ୍କ କହୁଣିରେ ଆଘାତ ଲାଗିଛି ବୋଲି ଏସ୍ଡିପିଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଅଭିଯୋଗକାରୀ ଲିଖିତ ଏତଲା ଦେଇନଥିବାରୁ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇ ପାରି ନଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/SBPHO9-JSG-1-1.jpg)