ଚୂଡ଼ାନ୍ତ ପର୍ଯ୍ୟାୟରେ ମଡେଲ୍‌ ଥାନା ପ୍ରସ୍ତୁତି : ପାସ୍‌ପୋର୍ଟ ଯାଞ୍ଚ ପାଇଁ ଘରକୁ ଯିବ ପୁଲିସ୍‌

ମୁଖ୍ୟାଳୟରେ ଡିଜିଙ୍କ ବୈଠକ

କଟକ : ପାସ୍‌ପୋର୍ଟ ଭେରିଫିକେସନ୍‌ କିମ୍ବା ଜବ୍‌ ଭେରିଫିକେସନ୍‌ ଭଳି ସେବା ଏଣିକି ଘରେ ଯୋଗାଇ ଦିଆଯିବ। ପୁଲିସ ଅଫିସର ଆବେଦନକାରୀଙ୍କ ଘରେ ପହଞ୍ଚି ଏଭଳି ସେବା ଯୋଗାଇ ଦେବେ। ଥାନାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ରାଜ୍ୟରେ ଖୋଲିବାକୁ ଥିବା ୩୪ଟି ମଡେଲ୍‌ ଥାନାରେ ଏପ୍ରକାର ସୁବିଧା ଯୋଗାଇ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ଖୋଲିବାକୁ ଥିବା ଗୋଟିଏ ଲେଖାଏ ମଡେଲ୍‌ ଥାନା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁ ଥାନାରେ କର୍ମଚାରୀ ଏବଂ ଭିତ୍ତିଭୂମିର ଅଭାବ ଥିଲା, ସେଗୁଡ଼ିକ ପୂରଣ କରାଯାଇଛି। ଅନେକ ଥାନାରେ ବର୍ତ୍ତମାନ ସୁଦ୍ଧା ପୁଲିସ କର୍ମଚାରୀଙ୍କ ଅଭାବ ଥିବା ଜିଲ୍ଲା ଏସ୍‌ପି ଆଜି ଦର୍ଶାଇଛନ୍ତି। ଡିଜିପି ଡାକ୍ତର ଆର୍‌.ପି. ଶର୍ମା ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଆୟୋଜିତ ଭିଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ଆଜି ମୁଖ୍ୟାଳୟରେ ଆୟୋଜିତ ବୈଠକରେ ମଡେଲ୍‌ ଥାନାରେ ସାଧାରଣ ଲୋକଙ୍କ ସହିତ କିଭଳି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖାଯିବ, ସେ ସମ୍ପର୍କରେ ଜିଲ୍ଲା ଏସ୍‌ପିଙ୍କୁ ପରାମର୍ଶ ଦିଆଯାଇଥିଲା। ଥାନାର ଅଭ୍ୟର୍ଥନା କକ୍ଷର ପର୍ଯ୍ୟାପ୍ତ ବସିବା ଏବଂ ପାଣି ଯୋଗାଣର ବ୍ୟବସ୍ଥା ରହିବ। ଉକ୍ତ କକ୍ଷ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ସାଧାରଣ ଲୋକଙ୍କୁ ଉପଯୁକ୍ତ ବ୍ୟବହାର ଦେଖାଇବେ। ମହିଳା ଓ ଶିଶୁ ଡେସ୍କ ଠିକ ଭାବେ କାର୍ଯ୍ୟକ୍ଷମ କରିବ। ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ନାମ ଅଭ୍ୟର୍ଥନା କକ୍ଷର ପଞ୍ଜିକରଣ ଖାତାରେ ଉଲ୍ଲେଖ କରାଯିବ। ପ୍ରତ୍ୟେକ ଲୋକଙ୍କୁ ଏକ ସ୍ୱୀକାର ପତ୍ର ପ୍ରଦାନ କରାଯିବ। ବରିଷ୍ଠ ପୁଲିସ ଅଫିସର୍‌, ଚାଇଲ୍ଡ ହେଲ୍ପ ଲାଇନ୍‌, ଜରୁରୀକାଳୀନ ସେବାର ଯୋଗାଯୋଗ ନମ୍ବର ଅଭ୍ୟର୍ଥନା କକ୍ଷର କାନ୍ଥରେ ଉଲ୍ଲେଖ କରାଯିବ। ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି, ସେମାନଙ୍କ ନାମ ପୁଲିସ ପଞ୍ଜିକରଣ କରିବା ବାଧ୍ୟତାମୂଳକ। ନିୟମିତ ବ୍ୟବଧାନରେ ଥାନା ସ୍ତରରେ ସାଧାରଣ ଲୋକଙ୍କ ସହିତ ଆଲୋଚନାଚକ୍ର ଆୟୋଜିତ କରି ବିଭିନ୍ନ ସମସ୍ୟାର ସମାଧାନ କରାଯିବ। ଆମ ପୁଲିସ ବ୍ୟବସ୍ଥାକୁ ଅଧିକ ସଶକ୍ତିକରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ। ସ୍କୁଲ, କଲେଜ ଏବଂ ଲେଡିଜ୍‌ ହଷ୍ଟେଲ୍‌ ଭଳି ସମ୍ବେଦନଶୀଳ ଅଞ୍ଚଳର ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବାକୁ ଏକ ସ୍ୱତନ୍ତ୍ର ୟୁନିଟ୍‌ କାର୍ଯ୍ୟକ୍ଷମ କରିବ। ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଥାନା ଇନ୍‌ସ୍ପେକ୍ଟର ନିଜ ଅଞ୍ଚଳରେ ଥିବା ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରାଯାଇ, ସେହି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ବ୍ୟବସାୟୀକ ପେଣ୍ଠସ୍ଥଳରେ ପାଟ୍ରୋଲିଂ ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇ ଅପରାଧୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ। ବ୍ୟାଙ୍କ, ବସ୍‌ଷ୍ଟାଣ୍ଡ, ରେଲେଓ୍ଵ ଷ୍ଟେସନ୍‌ ଭଳି ସ୍ଥାନରେ ସମ୍ପତ୍ତି ଠକେଇ ହେବାର ଆଶଙ୍କା ରହିଛି। ତେଣୁ ସେଭଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ। ରାତ୍ରି ପାଟ୍ରୋଲିଂ ଏବଂ ରୋଡ୍‌ ବ୍ଲକିଂ ବ୍ୟବସ୍ଥା କରାଯାଇ ଅପରାଧୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପ୍ରତ୍ୟେକ ମାସରେ ଥରେ ମଡେଲ୍‌ ଥାନା ଇନସ୍ପେକ୍ଟର ସ୍କୁଲ୍‌ ଓ କଲେଜ ସ୍ତରରେ ଦୁର୍ଘଟଣା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବେ। ହୋଟେଲ୍‌ ଓ ଲଜିଂ ବ୍ୟବସ୍ଥାକୁ ମଧ୍ୟ ନିୟମିତ ଭାବେ ଯାଞ୍ଚ କରାଯିବ। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମ୍ପର୍କରେ ତଥ୍ୟ ଏବଂ ଫଟୋ ସଂଗ୍ରହ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯିବ। ସିସିଟିଏନ୍‌ଏସ୍‌ ମାଧ୍ୟମରେ ପ୍ରତ୍ୟେକ ଏତଲା କପି ପଞ୍ଜିକରଣ କରାଯିବା ସମ୍ପର୍କରରେ ଡିଜିପି ଆଜି କାର୍ଯ୍ୟକ୍ରମରେ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ ନିିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର