କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପୁଲିସ ଦ୍ବାରା ଲୋକଙ୍କୁ ନିର୍ଯାତନା ଦିଆଯାଉଛି: ମାଓବାଦୀ

ମାଓବାଦୀଙ୍କ ପ୍ରେସ ବିଜ୍ଞପ୍ତି ଜାରି 

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ରେଞ୍ଜର ମିଲିଙ୍ଗିରି ଏରିଆ କମିଟିର ସଚିବ ସୋମ଼ଡୁ ପ୍ରେସ ବିଜ୍ଞପ୍ତି ଜାରି କରି କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଭଡାଟିଆ ପୁଲିସମାନେ ଲୋକଙ୍କୁ ହତ୍ୟା ଏବଂ ନିର୍ଯାତନା ଦେଉଛନ୍ତି ସେନେଇ ଉଲ୍ଲେଖ କରିଛନ୍ତି। ବସ୍ତର ଅଂଚଳରେ ପ୍ରାକୃତିକ ସଂପଦକୁ ଲୁଟ କରିବା ପାଇଁ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ରାସ୍ତା ନିର୍ମାଣ ଏବଂ ବ୍ରିଜ ନିର୍ମାଣକୁ ବିରୋଧ କରନ୍ତୁ ବୋଲି ମାଓବାଦୀ ଆହ୍ବାନ କରିଛନ୍ତି। ଅନୁସୂଚିତ ଜନଜାତିଙ୍କର ପେସା କାନୁନର ଧଜ୍ଜିଆ ଉଡାଉଛନ୍ତି। ପୁଲିସ ପ୍ରଶାସନ ଦ୍ବାରା ଜବରଦସ୍ତ ଗ୍ରାମସଭାକୁ ସଫଳ କରିବାରେ ଲାଗିଛନ୍ତି। ବିଭିନ୍ନ ପଞ୍ଚାୟତରେ ଗ୍ରାମବାସୀଙ୍କ ବିନା ଅନୁମତିରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି। ରାସ୍ତା ନିର୍ମାଣ ପରେ ଗରିବ ଲୋକଙ୍କ ଜମିକୁ ହଡପ କରିଦିଆଯିବ।

ଜଂଗଲରୁ ସଂଗ୍ରହ କରୁଥିବା ଆମ୍ବ, ପଣସ, ମହୁଲ, ଝୁଣା, ମହୁ, ତେନ୍ତୁଳି, ଅଁଳା ଇତ୍ୟାଦି ଜଂଗଲଜାତ ଦ୍ରବ୍ୟ ଲୋକେ ଆଉ ପାଇବେ ନାହିଁ। ଗତ ଫେବ୍ରୁଆରି ୧୯ ତାରିଖରେ ବୁରଗୁମ ନିବାସୀ ଅର୍ଜୁନ ସୋଡିଙ୍କୁ ପୁଲିସ ଇନଫର୍ମର ଦ୍ବାରା ପୁଲିସ ଡକାଇ ତାଂକୁ ଆମ୍ବୁସ ଲଗାଇ ହତ୍ୟା କରାଯାଇଥିଲା। ଅର୍ଜୁନ ସହ ସାଥିରେ ଥିବା କୁଡହାମୀ ହିଡମାକୁ ମଧ୍ୟ ପୁଲିସ ଜେଲ ପଠାଇ ଦେଲା। ଅର୍ଜୁନର ଶବକୁ ପରିବାର ଲୋକଙ୍କୁ ପ୍ରଦାନ କରାଗଲା ନାହିଁ। ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ମଧ୍ୟ ପୁଲିସ ମହୁଲ ଗୋଟାଇବାକୁ ଯାଇଥିବା କିଛି ମହିଳାଙ୍କୁ ପ୍ରତି ଅସଦାଚରଣ କରିଥିବା ନେଇ ମାଓବାଦୀ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଡିଆରଜି ଯବାନ ଗ୍ରାମବାସୀଙ୍କୁ ନିର୍ଯାତନା ଦେବା ସହ ତାଂକ ଘରୁ ଜବରଦସ୍ତ ଖାଦ୍ୟ ଜିନିଷ ଲୁଟ କରୁଛନ୍ତି, ଯେଉଁମାନେ ପୁଲିସ ସହ ମିଶି ପୁଲିସ ଇନଫର୍ମର ବନି ଗ୍ରାମବାସୀଙ୍କୁ ହଇରାଣ କରିବା ସହ ହତ୍ୟା କରିବାରେ ସହଯୋଗ କରୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯିବ ବୋଲି ମାଓବାଦୀ କହିଛନ୍ତି। ପୁଲିସ କ୍ୟାମ୍ପ ଗୁଡିକ ହଟାଇବା ପାଇଁ ଦାବି କରନ୍ତୁ ବୋଲି ଆହ୍ବାନ ଦିଆଯାଇଛି। ପୁଲିସର ଅତ୍ୟାଚାର, ଦମନ ଏବଂ ନିର୍ଯାତନାକୁ ବିରୋଧ କରନ୍ତୁ। ଡିଆରଜି ଯବାନ କରୁଥିବା ଅତ୍ୟାଚାରକୁ ବନ୍ଦ କରାଯାଉ ବୋଲି ମାଓବାଦୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର