ପୁଲିସ ଲେଖି ବୁଲୁଥିଲେ, ମାଡିବସିଲା ସତ ପୁଲିସ

ଭୁବନେଶ୍ୱର: ନିଜ କାରର ପଛ ପଟରେ ପୁଲିସ ଲେଖି ବୁଲୁଥିଲେ, ଆଉ ଖୋଲାଖୋଲି ଧମକ ଦେଉଥିଲେ ଧୀରେ ଚଲାଅ ଗାଡି | ତେବେ ଏହା ଦେଖି ଜଣେ ବ୍ୟକ୍ତି ପୁଲିସ ବାବୁଙ୍କୁ ଟ୍ୱିଟ କରିଥିଲେ | ଏହାପରେ ମାଡିବସିଲା ସତ ପୁଲିସ | କିଛି ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି | ରାଜରାସ୍ତାରେ ଓଡି ୦୨ ଏପି ୪୫୭୪ ନମ୍ବର ଥିବା ସ୍ୱିଫ୍ଟ କାରଟିଏ ବିନା ନିୟମକାନୁନରେ ବୁଲୁଥିଲା | ନମ୍ବର ପ୍ଲେଟ ତଳେ ଲେଖାଥିଲା ଧୀରେ ଚଲାଅ, ମୁଁ ଜଣେ ପୁଲିସ |

ଏହାକୁ ନେଇ ଜଣେ ବ୍ୟକ୍ତି ଆଇପିଏସ ଅଫିସର(ଆଇଜି, କ୍ରାଇମବ୍ରାଞ୍ଚ) ତଥା ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ତଦନ୍ତକାରୀ ଅଫିସର ଅରୁଣ ବୋଥ୍ରାଙ୍କୁ ଟ୍ୱିଟ କରିଥିଲେ | ଏହାପରେ ଅରୁଣ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସହ ଏ ବାବଦରେ କଥା ହୋଇଥିଲେ | ଏହାପରେ ଗାଡ଼ିଟିକୁ ଖୋଜାଯାଇ କାର ମାଲିକଙ୍କ ପାଖରୁ ଚାଲାଣ କଟାଯିବା ସହ ଦାଦାଗିରି ଷ୍ଟିକରକୁ ହଟାଯାଇଥିଲା |

ତଦନ୍ତରୁ ଜଣାପଡିଥିଲା ଯେ ଏହି କାରଟି ଯାଜପୁରର ଜଣେ ଠିକାଦାରଙ୍କର ହୋଇଥିବାବେଳେ ପୁଲିସ ବିଭାଗ ସହ ତାଙ୍କର କୌଣସି ସମ୍ପର୍କ ହିଁ ନଥିଲା | ତେବେ ଡିସିପି ଅନୁପ କୁମାର ସାହୁଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଅରୁଣ ଧନ୍ୟବାଦ ଜଣାଇଛନ୍ତି | ଏଠାରେ ସୂଚନା ଥାଉ କି ପାଟଣାଗଡ଼ରେ ହୋଇଥିବା ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଧରିବାରେ ଅରୁଣ ବୋଥ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

ସମ୍ବନ୍ଧିତ ଖବର