କଟକ : ରାଜ୍ୟରେ ସାଇବର୍ ଅପରାଧୀଙ୍କ ବ୍ୟାଙ୍କ ଠକେଇ ମାମଲା ଯେଭଳି ଢ˚ଗରେ ବୃଦ୍ଧି ପାଉଛି, କ୍ରାଇମ୍ବ୍ରାଞ୍ଚର ସାଇବର ଥାନା ତଦନ୍ତ କରିବାକୁ ଅସମର୍ଥ ହେଲାଣି। ଅତ୍ୟଧିକ ମାମଲାର ଚାପ ରହୁଥିବାରୁ ଥାନାସ୍ତରରେ ଅଫିସରଙ୍କୁ ବ୍ୟାଙ୍କ୍ ଠକେଇ ମାମଲାର ତଦନ୍ତ କରିବା ସମ୍ପର୍କରେ ଆଜି ପାଠ ପଢ଼ାଯାଇଛି। ପ୍ରଥମ ପର୍ଯ୍ୟାୟରେ କ୍ରାଇମ୍ବ୍ରାଞ୍ଚ ସମେତ କମିସନରେଟ୍ ପୁଲିସ ଓ ସେଣ୍ଟ୍ରାଲ୍ ରେଞ୍ଜ୍ର ୩୫ଜଣ ପୁଲିସ ଅଫିସରଙ୍କୁ ତାଲିମ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରେଞ୍ଜ୍ର ଅଫିସରଙ୍କୁ ବି ତାଲିମ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ଆଜି ଦୁଇଦିନିଆ ‘ବ୍ୟାଙ୍କ ଠକେଇ- ପ୍ରତିରୋଧ ଓ ତଦନ୍ତ’ ସମ୍ପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇସିଆଇସିଆଇ ବ୍ୟାଙ୍କ ଏବ˚ କ୍ରାଇମ୍ବ୍ରାଞ୍ଚର ମିଳିତ ଉଦ୍ୟମରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଏଡିଜି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ, ଏଟିଏମ୍ ଠକେଇ, କ୍ରେଡିଟ୍ କାର୍ଡ ଠକେଇ, ୟୁପିଆଇ ଠକେଇ ସମେତ ଅନ୍ଲାଇନ୍ରେ ହେଉଥିବା ସମସ୍ତ ପ୍ରକାର ବ୍ୟାଙ୍କ ଠକେଇର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ଥାନାସ୍ତରରେ ଅଫିସରଙ୍କୁ ଦକ୍ଷ କରାଯିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଏବେ ପ୍ରଥମ ପର୍ଯ୍ୟାୟରେ ସେଣ୍ଟ୍ରାଲ ରେଞ୍ଜ୍ ଏବ˚ କମିସନରେଟ୍ ପୁଲିସକୁ ସାମିଲ କରାଯାଇଛି। ସାଇବର ଅପରାଧର ତଦନ୍ତ କିଭଳି କରାଯିବ, ଏଥିରେ ବ୍ୟାଙ୍କ ଅଧିକାରୀଙ୍କ କି ପ୍ରକାର ସାହାଯ୍ୟ ନିଆଯାଇ ପାରିବ, ସେ ସମ୍ପର୍କରେ ତାଲିମ ଦିଆଯାଇଥିବା ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହି ଅବସରରେ ଏଡିଜିଙ୍କ ସମେତ କ୍ରାଇମ୍ବ୍ରାଞ୍ଚ ଆଇଜି, ଏସ୍ପି, ଆଇସିଆସିଆଇ ବ୍ୟାଙ୍କର ଭୁବନେଶ୍ବର ଓ ମୁମ୍ବାଇ ଶାଖାରୁ ଆସିଥିବା ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/police-cap.jpg)