ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ସମୟରେ ପୋଲରୁ ୨୦ଫୁଟ ତଳକୁ ଖସି ପଡ଼ିଲା ପୁଲିସ ଗାଡ଼ି, ଆଇଆଇସିଙ୍କ ଡାହାଣ ହାତ ଭାଙ୍ଗି ଥିବା ବେଳେ ଚାଳକ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ନିକଟସ୍ଥ ପୋଲରୁ ସୋମବାର ଅପରାହ୍ନରେ ଏକ ପୁଲିସ ଗାଡ଼ି ଖସି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ପୁଲିସ ଗାଡ଼ିରେ ବସିଥିବା ଆଇଆଇସିଙ୍କ ଡାହାଣ ହାତ ଭାଙ୍ଗିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି।

ଆଇଆଇସି ଆଜି ବିଶେଷ ସୂତ୍ରରୁ ସୂଚନା ପାଇଥିଲେ କି ଏକ ଇଣ୍ଡିଗୋ ଇସିଏସ୍‌ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍‌ ଗାଡ଼ି ଯୋଗେ ଆଇଆଇସି ଅଲେଖ ଗରଡିଆ ଏହି ଗଞ୍ଜେଇ ବୋଝେଇ ଗାଡ଼ିର ପିଛା କରୁଥିଲେ। ପିଛା କରୁଥିବା ସମୟରେ ମଣ୍ଡାକିଆ ଗ୍ରାମ ନିକଟସ୍ଥ ବୁଡ଼ାମାହା ପୋଲ ନିକଟରେ ପୁଲିସ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି ହୋଇଥିଲା। ଏହାପରେ ଗାଡ଼ିଟି ପୋଲରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଗାଡିର ବେଗ ଦ୍ରୁତ ଥିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ପାରି ନଥିଲେ।

ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ରାଇକିଆ ଥାନା ଆଇଆଇସି ଅଲେଖ ଗରଡିଆଙ୍କ ଡାହାଣ ହାତ ଭାଙ୍ଗି ଥିବା ବେଳେ ଗାଡ଼ି ଚାଳକ ମିଥୁନ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଦୁହିଁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଇଆଇସି  ଗରଡିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରି ଦିଆଯାଇଛି। ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଗଞ୍ଜେଇ ଗାଡ଼ିକୁ ଛାଡି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି। ଗଞ୍ଜେଇ ଚଲାଣ କରୁଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର