ଡିଆର୍‌ଡିଓ ନିଷିଦ୍ଧାଞ୍ଚଳରେ ଟେଷ୍ଟ୍‌ ଡ୍ରାଇଭ୍‌! ସମୁଦ୍ରରେ ଫସିଗଲା ପୁଲିସ ଗାଡ଼ି

ଏସ୍‌ପି ଚଳାଉଥିଲେ, ଅସ୍ବୀକାର କଲେ

ବାଲେଶ୍ବର : ନିଷିଦ୍ଧାଞ୍ଚଳ ଘୋଷିତ ଚାନ୍ଦିପୁର ସାମୁଦ୍ରିକ ବେଳାଭୂମିରେ ଟେଷ୍ଟ ଡ୍ରାଇଭ୍‌ କରିବା ବେଳେ ବାଲେଶ୍ବର ଜିଲ୍ଲା ପୁଲିସର ଏକ ନୂଆ ବୋଲେରୋ ଗାଡ଼ି ଚୋରା ବାଲିରେ ଫସିଯାଇଛି। ଖୋଦ୍‌ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଗାଡ଼ି ଡ୍ରାଇଭ୍‌ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏହାକୁ ଅସ୍ବୀକାର କରିଛନ୍ତି ଏସ୍‌ପି ଶ୍ରୀ ମିଶ୍ର। ଗୋଟିଏ ପାଖରେ ଡିଆର୍‌ଡିଓର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପାଖରେ ସାମୁଦ୍ରିକ ପରିବେଶକୁ ସୁରକ୍ଷା ଦେବା ପାଇଁ ଚାନ୍ଦିପୁର ବେଳାଭୂମି ଭିତରେ ଯାନବାହାନ ଚଳାଇବା ପାଇଁ ନିଷେଧାଦେଶ ଜାରି ହୋଇଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପୁଲିସ ପାଇଁ ସଦ୍ୟ କିଣା ହୋଇଥିବା ୧୧ ଲକ୍ଷ ଟଙ୍କାର ନୂଆ ଗାଡ଼ି ସମୁଦ୍ର ବେଳାଭୂମି ଭିତରକୁ ଯିବା ଏବଂ ସେଠାରେ ଏକ ସନ୍ତସନ୍ତିଆ ଜାଗାରେ ପୂରା ତଳକୁ ଦବିଯିବା ଘଟଣା ରହସ୍ୟ ଘେରକୁ ଠେଲି‌ ହୋଇଯାଇଛି। ଆଜି ଦିନତମାମ୍‌ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ପୁଲିସର ସବୁ ବଡ଼ ଅଧିକାରୀ ଘଟଣା ସଂପର୍କରେ ନିରବ ରହିଛନ୍ତି।

ଗତକାଲି (ବୁଧବାର) ସନ୍ଧ୍ୟାରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ର (ଆଇଟିଆର୍‌ ଓପି-୬୦୦୦ ପଏଣ୍ଟ) ମହିଶାଳୀ ପୋଲଠାରେ ସମୁଦ୍ର ଭିତରେ ଥିବା ଏକ ସନ୍ତସନ୍ତିଆ ସ୍ଥାନରେ ଜିଲ୍ଲା ପୁଲିସର ଏହି ନୂଆ ବୋଲେରୋ ପିକ୍‌ଅପ୍‌ (ଓଡି୦୫ବିଏ-୪୬୪୬) ଫସି ଯାଇଥିଲା। ଜୁଆର ପାଣି ମାଡ଼ି ଆସିବାରୁ ଗାଡ଼ିଟି ଧୀରେ ଧୀରେ ସେଠାରେ ଭିତରକୁ ଦବିବାକୁ ଆରମ୍ଭ କରିଥିଲା। ରିଜର୍ଭ ଇନ୍‌ସପେକ୍ଟରଙ୍କଠାରୁ ସୂଚନା ପାଇବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଓଡ୍ରାଫ୍‌ର ଏକ ଟିମ୍‌ ସେଠାରେ ପହଞ୍ଚି ଗାଡ଼ିକୁ ଉଠାଇବାକୁ ଚେଷ୍ଟା କରିଥିଲା। ହେଲେ ଉଚ୍ଚ ଜୁଆର ଥିବାରୁ ଗାଡ଼ିଟି ପାଣି ଭିତରେ ବୁଡ଼ି ରହିଥିଲା। ରାତି ସାରା ଉଜାଗର ରହି ସକାଳ ହୋଇ ଯାଇଥିଲା ପଛେ, ଗାଡ଼ିକୁ ଆଉ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କରି ପାରିନଥିଲା। ଏହି ଖବର ଚାରିଆଡ଼େ ବ୍ୟାପିଯିବା ପରେ ଆଜି ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ଓ ଲୋକଙ୍କ ଭିଡ଼ ଜମିଥିଲା। ଗତକାଲି ଉକ୍ତ ସ୍ଥାନରେ ଡ୍ୟୁଟି କରୁଥିବା ପ୍ରତିରକ୍ଷା ବିଭାଗର ଜଣେ ସୁରକ୍ଷା କର୍ମୀ କହିଥିଲେ, ବାଲେଶ୍ବର ଏସ୍‌ପି ସନ୍ଧ୍ୟାରେ ଏହି ସ୍ଥାନକୁ ଗାଡ଼ି ଡ୍ରାଇଭ୍‌ କରିବାକୁ ଆସିଥିଲେ। ତେବେ ସମୁଦ୍ର ଭିତରେ ଗାଡ଼ି ଚାଲୁ ଚାଲୁ ହଠାତ୍‌ ଗୋଟିଏ ସ୍ଥାନରେ ଫସି ଯାଇଥିଲା। ଏହାପରେ ଏସ୍‌ପି ଓ ତାଙ୍କ ସହ ଯାଇଥିବା ପୁଲିସ କର୍ମଚାରୀ ସେଠାରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ିଟିକୁ ଉପରକୁ ଉଠାଇ ପାରିନଥିଲେ। ଏହି ସମୟରେ ସମୁଦ୍ରରୁ ଉଚ୍ଚ ଜୁଆର ମାଡ଼ିଆସିବାରୁ ଏସ୍‌ପି ଶ୍ରୀ ମିଶ୍ର ସେଠାରେ ଗାଡ଼ି ଛାଡ଼ି ଫେରି ଆସିଥି‌ବା ଉକ୍ତ ସୁରକ୍ଷାକର୍ମୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏସ୍‌ପି କହିଥିଲେ, ଗତକାଲି ସେ ଚାନ୍ଦିପୁର ଅଞ୍ଚଳକୁ ଯାଇଥିଲେ ସତ, କିନ୍ତୁ ସମୁଦ୍ରରେ ସେ ଗାଡ଼ି ଚଳାଇବା ଘଟଣା ଭୁଲ ସୂଚନା। ଏ ନେଇ ତାଙ୍କ ମୋବାଇଲ ନମ୍ବରକୁ ‌ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ।

ମିଳିଥିବା ସୂଚନା ମୁତାବକ, ଉକ୍ତ ବୋଲେରୋ ପିକଅପ୍ ସହ ଆଉ ଗୋଟିଏ ସମାନ ଧରଣର ଗାଡ଼ି ବାଲେଶ୍ବର ଜିଲ୍ଲା ପୁଲିସ ନାଁରେ କଟକ ଆରଟିଓରେ ଗତ ଏପ୍ରିଲ ମାସରେ ପଞ୍ଜୀକରଣ ହୋଇଛି। ଯାହାର ବଜାର ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା। ଗତ ସପ୍ତାହରେ ରାଜ୍ୟ ପୁଲିସ ତରଫରୁ ଏହାକୁ ଜିଲ୍ଲା ପୁଲିସକୁ ପ୍ରଦାନ କରାଯାଇଥିଲା। ଗତକାଲି ସନ୍ଧ୍ୟାର ଘଟଣା ସମ୍ପର୍କରେ ଏସ୍‌ପି ଯେତେବେଳେ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି, ଓଡ୍ରାଫ୍‌ ଟିମ୍‌ଠାରୁ ଆରମ୍ଭ କରି ରିଜର୍ଭ ପୁଲିସ ଓ ଆରଟିଓଙ୍କ ପର୍ଯ୍ୟନ୍ତ କାହାରି ପାଖରେ ଏ ବିଷୟରେ କିଛି ଖବର ନାହିଁ, ତାହେଲେ ଉକ୍ତ ପୁଲିସ ଗାଡ଼ିକୁ ସେଠାକୁ ନେଲା କିଏ? ଟେଷ୍ଟ ଡ୍ରାଇଭ୍‌ ପାଇଁ ରିଜର୍ଭ ପୁଲିସ ପଡ଼ିଆଠାରୁ ଆରମ୍ଭ କ‌ରି ବାଲେଶ୍ବର ସହର ଓ ଏହାର ଆଖପାଖରେ ଅନେକ ଛୋଡ଼ବଡ଼ ପଡ଼ିଆ ଥିବା ସତ୍ତ୍ବେ ସମୁଦ୍ର ବେଳାଭୂମିକୁ କାହିଁକି ବଛାଗଲା? ଗାଡ଼ି ସମୁଦ୍ରରେ ଫସିବା ପରେ ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌କୁ ସେଠାକୁ କିଏ ପଠାଇଲା? କାହାର ଅପରିଣାମଦର୍ଶିତା ‌ଯୋଗୁଁ ପୁଲିସ ବିଭାଗର ନୂଆ ଗାଡ଼ିକୁ ସମୁଦ୍ର ପାଣିରେ ରାତିତମାମ୍‌ ଛାଡ଼ି ଦିଆଗଲା? ଏସ୍‌ପି ଯଦି ସତରେ ଏ ବିଷୟରେ କିଛି ଜାଣିନାହାନ୍ତି, ତାହେଲେ ଓଡ୍ରାଫ୍‌ ଟିମ୍ ସେଠାକୁ କଣ ପାଇଁ ଯାଇଥିଲା? …ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଜିଲ୍ଲା ପୁଲିସକୁ କାଠଗଡ଼ାକୁ ଟାଣିଛି। ଯୋଉ ଜାଗାରେ ଗାଡ଼ିଟି ଫସିଛି ସେଠାରୁ ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବୋଲି ଓଡ୍ରାଫ୍‌ର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। କାରଣ ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ସତ୍ତ୍ବେ ଗାଡ଼ିଟିକୁ ସେଠାରୁ ବାହାର କରାଯାଇପାରୁନାହିଁ। ବରଂ ଚୋରା ବାଲି ଓ ମାଟିରେ ତଳକୁ ତଳକୁ ଗାଡ଼ିଟି ଦବିବାରେ ଲାଗିଛି।

ନିକଟରେ ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ଗାଡ଼ି ଚାଳକଙ୍କ ବେଆଇନ ପ୍ରବେଶ ଯୋଗୁଁ ଏଠାକାର ପ୍ରତିରକ୍ଷା ତଥା ସାମୁଦ୍ରିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବେଳାଭୂମି ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରିବା ସହିତ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲା। ଏମିତିକି ବା‌ଲେଶ୍ବର ଆର୍‌ଟିଓ ମଧ୍ୟ ସେଠାରେ ଚଢ଼ଉ କରି ବେଳାଭୂମିରେ ବେଆଇନ୍‌ ପ୍ରବେଶ କରିଥିବା ଗାଡ଼ି ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଥିଲେ। ବଡ଼ କଥା ହେଉଛି ଯେଉଁ ସ୍ଥାନ ନିଷିଦ୍ଧାଞ୍ଚଳ ଘୋଷିତ ହୋଇଛି, ସେହି ଅଞ୍ଚଳରେ ପୁଲିସ ଗାଡ଼ି କାହିଁକି ପ୍ରବେଶ କରିଥିଲା, ତାର ଉତ୍ତର ଏବେ ପୁଲିସ ବିଭାଗକୁ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର