ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଗତକାଲି ପୁଲିସ-ଗ୍ରାମବାସୀଙ୍କ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣିକି ଗାଁ ଭିତରକୁ ପୁଲିସକୁ ପୂରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଖୋଲା ଚାଲେଞ୍ଜ କରିଛନ୍ତି।

Advertisment

ବାଉଁଶ ବାନ୍ଧି ଗାଁର ୩ ପ୍ରବେଶପଥକୁ ସିଲ୍‌ କରି ଦିନରାତି ଜଗି ରହିଛନ୍ତି। ଏପଟେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି। ଫଳରେ ଧୀରେଧୀରେ ଢିଙ୍କିଆ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଯାହାକି ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟ ପ୍ରକଳ୍ପ ନିମନ୍ତେ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୋସ୍କୋର ପଦାର୍ପଣ ଦିନଠାରୁ ସ୍ଥାନୀୟ ଅଞ୍ଚଳରେ ଯେଉଁଭଳି ବିରୋଧ କରାଯାଉଥିଲା, ବର୍ତ୍ତମାନ ସମାନ ଢଙ୍ଗରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁକୁ ବିରୋଧ କରାଯାଉଛି। ଏହି ନୂତନ ପ୍ରକଳ୍ପ ପାଇଁ ଏବେ ପୋସ୍କୋ ଭଳି ପରିସ୍ଥିତି ସୃଷ୍ଟି‌ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ଏହିଭଳି ପରିସ୍ଥିତିରେ ପ୍ରଶାସନ କି ଭୂମିକା ଗ୍ରହଣ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଶୁକ୍ରବାର ବିଳମ୍ବିତ ରାତିରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କ ସମେତ ୧୧ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେପଟେ ପୁଲିସ ମାଡ଼ରେ ଗାଁର ୭ ଜଣ ମହିଳା ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଢିଙ୍କିଆ ସମିତିସଭ୍ୟ ତଥା ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବାଇଁଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଗ୍ରାମବାସୀ କହୁଛନ୍ତି। ବୋମାମାଡ଼ ଘଟଣାର ଖବର ପାଇ ଗାଁକୁ ଯିବା ସମୟରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା ବୋଲି ପୁଲିସ କହିଛି। ଉଭୟ ପକ୍ଷ ମଧ୍ୟରୁ କିଏ ସତ କହୁଛି, ତାହା ଏଯାବତ୍‌ ସ୍ପଷ୍ଟ ହୋଇନି। କିନ୍ତୁ ଏହା ସତ ଯେ ଢିଙ୍କିଆ ଏବେ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଆକ୍ରମଣର ଶିକାର ହୋଇଥିବା ଅଭୟଚାନ୍ଦପୁର ଥାନା ଇନ୍‌ସପେକ୍ଟର ପ୍ରଦ୍ୟୁମ୍ନ ବେହେରାଙ୍କର ରଘୁନାଥପୁର ଥାନାକୁ ବଦଳି ହୋଇଛି। ଆସନ୍ତାକାଲି ନୂଆ ଇନ୍‌ସପେକ୍ଟର ଭାବେ ପୁରୀରୁ ଜୀବନାନନ୍ଦ ଜେନାଙ୍କୁ ଏଠାକୁ ବଦଳି କରି ଅଣାଯାଇଛି। ତେବେ, ଗାଁକୁ ପ୍ରବେଶ ନିଷେଧ ଥିଲେ ମଧ୍ୟ ପୁଲିସ ନିଶ୍ଚିତ ଭାବେ ଅଭିଯୁକ୍ତମାନଙ୍କୁ ଗିରଫ କରିବ ବୋଲି ଦୃଢ଼ ଭାବେ କହୁଛି। ପୁଲିସ ଏହି ଘଟଣାରେ ୩ ଶହ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ‌‌ବୋଧହୁଏ ସେଥିପାଇଁ ନୂଆ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯାହାକୁ ନେଇ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ଏହିଭଳି ପରିସ୍ଥିତିରେ ଏକ ଅଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦୁଇଜଣ ଯୁବକ ପୁଲିସ ଉପରେ ଆକ୍ରମଣ ସହ ଗାଡ଼ି କାହିଁକି ଜାଳିଲନି ବୋଲି ଆଲୋଚନା କରୁଛନ୍ତି। ଗୋବିନ୍ଦପୁର ଗାଁର ଜଣେ ପ୍ରକଳ୍ପ ସପକ୍ଷବାଦୀକୁ ଆକ୍ରମଣ କରିବା ସଂକ୍ରାନ୍ତରେ ମଧ୍ୟ କଥା ହେଉଛନ୍ତି। ତେବେ, ଏହି ଭିଡିଓରେ କେତେଦୂର ସତ୍ୟତା ରହିଛି, ତାହା ଜଣାପଡ଼ିନି।

ଏ ନେଇ ପୂର୍ବତନ ବିଧାୟକ ଲଲା‌ଟେନ୍ଦୁ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଜେଏସ୍‌ଡବ୍ଲ୍ୟୁକୁ ସମର୍ଥନ କରି ଯଦି ପୁଲିସ ଏମିତି ପଦକ୍ଷେପ ନେଇଥିବ, ତେବେ ତାହା ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣାରେ ଯିଏ ବି ଦୋଷୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ। ମାତ୍ର ପୁଲିସ ଯଦି ବୋମାମାଡ଼ ଘଟଣାର ତଦନ୍ତ କରିବା ପାଇଁ ଏତେ ପ୍ରସ୍ତୁତି ହୋଇ ଯିବାର କଣ ଆବଶ୍ୟକତା ଥିଲା ବୋଲି ‌ସେ ପ୍ରଶ୍ନ କରିଛନ୍ତି। ପ୍ରକଳ୍ପ ନିମନ୍ତେ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଠିକ୍ ଭାବେ ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।