ସମ୍ବଲପୁର : ହଜି ଯାଇଥିବା ହଳେ ଚପଲର ସଂଧାନରେ ମାସେ କାଳ ଲାଗିଥିଲେ ୩ଟି ସଂସ୍ଥା। ସମ୍ବଲପୁରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଛାଣି ପକାଇଥିଲେ। ଶେଷରେ ୧୦ ହଜାର ଟଙ୍କିଆ ଚପଲ ହଳକ ମିଳିଥିଲା। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଅଭିଯୋଗକାରୀ ହେଉଛନ୍ତି ଖୋଦ୍‌ ସମ୍ବଲପୁର ମଣ୍ଡଳ ରେଳ ଅଧିକାରୀ ବିନୀତ୍‌ ସିଂହ। ତାଙ୍କ ୨୦ ବର୍ଷୀୟା ଝିଅ ଲକ୍ଷ୍ନୌ ମେଲ୍‌ର ଏସି ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବାବେଳେ ସେଠାରୁ ତାଙ୍କର ୧୦ ହଜାର ଟଙ୍କା ମୂଲ୍ୟର ନୂଆ ଜୋତା ହଳକ ଚୋରି ହୋଇ ଯାଇଥିଲା ବୋଲି ଶ୍ରୀ ସିଂହ ଗତ ଜାନୁଆରି ୫ ତାରିଖ ଦିନ ସମ୍ବଲପୁର ଆର୍‌ପିଏଫ୍‌ ଥାନାରେ ଅଭିଯୋଗ କରିଥିଲେ। ସମ୍ବଲପୁର ଆର୍‌ପିଏଫ୍‌ ପୁଲିସ୍ ଏହି ମାମଲାକୁ ବରେଲି ଥାନାକୁ ପଠାଇ ଦେଇଥିଲା ବୋଲି ସ୍ଥାନୀୟ ଆର୍‌ପିଏଫ୍‌ ଇନ୍ସପେକ୍ଟର ଏମ୍‌. ଯାଦବ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ତେବେ ଚପଲ ମିଳିବା ପରେ କେସ୍ ବନ୍ଦ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

Advertisment

ବରିଷ୍ଠ ରେଳ ଅଧିକାରୀଙ୍କ ଅଭିଯୋଗ ପାଇବା ପରେ ଆର୍‌ପିଏଫ୍‌, ଜିଆର୍‌ପି ଓ ଆଇଆର୍‌ସିଟିସି ଭଳି ୩ଟି ସଂସ୍ଥା ଜୋତା ଖୋଜିବାରେ ଲାଗି ପଡ଼ିଥିଲେ। ସମ୍ବଲପୁରରୁ ନେଇ ଉତ୍ତର ପ୍ରଦେଶର ବରେଲି ଓ ଦିଲ୍ଲୀ ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ଡିଆର୍‌ଏମ୍‌ଙ୍କ ଝିଅଙ୍କ ସହଯାତ୍ରୀଙ୍କ ଠିକଣା ଖୋଜାଯାଇଥିଲା। ପୁଲିସ୍‌କୁ ଆଇଆର୍‌ସିଟିସି ଏହା ପ୍ରଦାନ କରିଥିଲା। ସହଯାତ୍ରୀଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳା ଡାକ୍ତର ଥିଲେ। ପୁଲିସ୍ ତାଙ୍କ ପାଖରେ ପହଞ୍ଚିବା ପରେ ତାଙ୍କଠାରୁ ଜୋତାହଳକ ମିଳିଥିଲା।

ଡାକ୍ତରଜଣକ କହିବା ମୁତାବକ ସେଦିନ ଭୋର ୪ଟା ବେଳକୁ ଟ୍ରେନ୍‌ ୟୁପିର ବରେଲି ରେଳଷ୍ଟେସନ୍‌ରେ ପହଞ୍ଚିବାବେଳକୁ ହଠାତ୍‌ ତାଙ୍କ ନିଦ ଭାଙ୍ଗିଯାଇଥିଲା। ତାଙ୍କୁ ସେଠାରେ ଓହ୍ଲାଇବାକୁ ଥିବାରୁ ହଡ଼ବଡ଼େଇ ଯାଇ ସେ ନିଜ ଜିନିଷପତ୍ର ନେଇ ବାହାରି ପଡ଼ିଥିଲେ। ସେତିକିବେଳେ ଅସାବଧାନତାବଶତଃ ସେଠାରେ ଥିବା ସମାନ ଆକାରର ଅନ୍ୟ ହଳେ ଜୋତା ନେଇ ଚାଲି ଯାଇଥିଲେ। ତାଙ୍କ ନିଜ ଜୋତା ମଧ୍ୟ ସେଠାରେ ଛାଡ଼ି ଚାଲି ଯାଇଥିଲେ। ତେବେ ଡାକ୍ତର ପରେ ପୁଲିସ୍‌କୁ ଡିଆର୍‌ଏମ୍‌ ଝିଅଙ୍କ ଜୋତା ଫେରାଇ ଦେଇଥିଲେ। ଏହା ଚୋରି ନୁହେଁ ବୋଲି ହୃଦ୍‌ବୋଧ ହେବା ପରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ରୁଜୁ କରି ନଥିଲା।