ପୁଲିସ୍‌କୁ ଆକ୍ରମଣ କରି ଗାଡ଼ି ସହ ଗୋରୁ ବେପାରୀ ଚମ୍ପଟ୍‌

ବସ୍ତା-୨/ରୁପ୍‌ସା/ଗାନ୍ଧିଛକ: ଗୋରୁ ବେପାରିଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରୁ ଗତକାଲି ରାତିରେ ବେଆଇନ ଗୋରୁ ଚାଲାଣ ହେଉଥିଲା। ଗୋରୁ ବୋଝେଇ ଓଡି-୦୪-୪୨୨୭ ନମ୍ବରର ଏକ ଟାଟା ଏସିଇ ଗାଡ଼ିକୁ ସ୍ଥାନୀୟ ଲୋକ ଅଟକ ରଖିବା ସହ ବସ୍ତା ପୁଲିସକୁ ଖବର ଦେଇଥିଲେ।

ଖବର ପାଇବ‌ା ପରେ ଅମର୍ଦାରୋଡ ଫାଣ୍ତି ପୁଲିସ ପହଞ୍ଚି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ପରେ ଜବତ ହୋଇଥିବା ଗାଡ଼ିକୁ ଗୋଶାଳା ନିଆଯାଇ ସେଠାରେ ଗୋରୁଗୁଡ଼ିକୁ ଓହ୍ଲାଯାଇଥିଲା। ଗୋରୁଗୁଡ଼ିକୁ ଓହ୍ଲାଇବା ପରେ ଅର୍ମଦାରୋଡ ଫାଣ୍ଡି କନେଷ୍ଟବଳ ରମେଶ ଦାସ ଗୋରୁ ବେପାରୀ ଡ୍ରାଇଭର ସହ ଗାଡ଼ି ନେଇ ଥାନାକୁ ଯାଉଥିଲେ। ଏହି ସମୟରେ ଡ୍ରାଇଭର ଜଣକ ହଳଦୀପଦା ଛକ ନିକଟରେ ଗାଡ଼ିରେ ଥିବା କନେଷ୍ଟବଳ ରମେଶଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ କନେଷ୍ଟବଳ ରମେଶ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ଗାଡ଼ିରୁ ତଳକୁ ଡେଇଁ ପଡ଼ିଥିବା ବେଳେ ଗୋରୁ ବ୍ୟବସାୟୀ ଡ୍ରାଇଭର ଗାଡ଼ି ନେଇ ସେଠାରୁ ଚମ୍ପଟ ମାରିଥିଲା। କନେଷ୍ଟବଳ ରମେଶ ବସ୍ତା ପୁଲିସକୁ ଫୋନ୍‌ ଯୋଗେ ସବୁ କଥା ଜଣାଇଥିଲେ। ବସ୍ତା ପୁଲିସ ସଂ‌‌‌ଗେ ସଂଗେ ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ରମେଶଙ୍କ ମୁହଁ, ହାତ ଓ ଜଂଘରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବ‌େଳେ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର