ପୁଲିସ୍‌ ବଦଳାଇବ ନିଜ ଆଇନ୍‌ : ଏତଲା ପଞ୍ଜୀକରଣରେ ମନମାନି ରହିବନି

ଥାନାକୁ ଆସିଲେ ମିଳିବ ‘ପ୍ରାପ୍ତି ସ୍ୱୀକାର’, ତାଲିମ ନେବେ ୫୪ କନଷ୍ଟେବଳ

କଟକ : ଥାନାରେ ଏତଲା ପଞ୍ଜୀକରଣ କ୍ଷେତ୍ରରେ ଆଉ ଚଳିବନି ପୁଲିସ ବାବୁଙ୍କ ମନ୍‌ମାନି। ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ଏତଲା ନ ରଖିବା ଅଥବା ଏତଲା ପଞ୍ଜୀକରଣର ନକଲ ନଦେବା ଭଳି ପରିସ୍ଥିତି ବି ଆଉ ରହିବ ନାହିଁ। ଥାନାକୁ ଅଭିଯୋଗ ନେଇ ଆସୁଥିବା ସମସ୍ତଙ୍କୁ ଏକ୍‌ନଲେଜ୍‌ମେଣ୍ଟ (ପ୍ରାପ୍ତି ସ୍ୱୀକାର) ରସିଦ ପ୍ରଦାନ କରାଯିବ। ଥାନାକୁ ଯାଇଥିବା ଲୋକେ ପରବର୍ତ୍ତୀ ସମୟରେ ଏହାକୁ ପ୍ରମାଣସ୍ୱରୂପ ବ୍ୟବହାର କରିପାରିବେ। ଚଳିତ ମାସ ଶେଷ ସୁଦ୍ଧା ବିଭିନ୍ନ ଥାନାର କନଷ୍ଟେବଳଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କଟକ କମିସନରେଟ୍‌ ପୁଲିସର ୧୮ଟି ଥାନାରେ ଏ ପ୍ରକାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତ୍ୱରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଏଣିକି ପ୍ରତ୍ୟେକ ଥାନାର ଅଭ୍ୟର୍ଥନା କକ୍ଷରେ ଜଣେ କନଷ୍ଟେବଳ ଦାୟିତ୍ୱରେ ରହିବେ। ୨୪ ଘଣ୍ଟା ମଧ୍ୟରେ ତିନିଟି ପର୍ଯ୍ୟାୟରେ ତିନି ଜଣ କନଷ୍ଟେବଳ କାର୍ଯ୍ୟ କରିବେ। ସମ୍ପୃକ୍ତ କନଷ୍ଟେବଳ ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମେ ବସାଇ ପାଣି ପିଇବାକୁ ଦେବେ। ତାଙ୍କ ଅଭିଯୋଗ ଶୁଣିବା ପରେ ଏକ ‘ପ୍ରାପ୍ତି ସ୍ୱୀକାର’ ପ୍ରଦାନ କରିବେ। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ଦସ୍ତଖତ ସହିତ ଥାନାର ସିଲ୍‌ ଲଗାଇବେ। ଗୁରୁତର ଅଭିଯୋଗରେ ଏତଲା ପଞ୍ଜୀକରଣରେ ବିଳମ୍ବ ହେଲେ, ଉକ୍ତ ‘ପ୍ରାପ୍ତି ସ୍ୱୀକାର’କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦେଖାଇ ଅଭିଯୋଗ ଆଣିପାରିବେ। ସେହିପରି ଥାନାକୁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଏବଂ କେଉଁ କାରଣ ପାଇଁ ଥାନାକୁ ଆସିଛନ୍ତି, ସେ ସମ୍ପର୍କରେ

ଏକ ରେଜିଷ୍ଟର୍‌ରେ ଉଲ୍ଲେଖ କରାଯିବ। ଯଦି ତାଙ୍କ ଅଭିଯୋଗ ଗୁରୁତର ବା କଗ୍‌ନିଜେବଲ୍‌ ହୋଇଥାଏ, ତେବେ ତାଙ୍କୁ କନଷ୍ଟେବଳ ତୁରନ୍ତ ଦାୟିତ୍ୱରେ ଥିବା ଡିସିଓ (ଡାଏରୀ ଚାର୍ଜ ଅଫିସର୍‌)ଙ୍କ ନିକଟକୁ ପଠାଇ ଅଫିସର୍‌ଙ୍କ ଜରିଆରେ ମାମଲା ପଞ୍ଜୀକରଣ କରାଇବାରେ ସହଯୋଗ କରିବେ। ଅନ୍ୟଥା କୌଣସି ସାଧାରଣ ଅଭିଯୋଗ ହୋଇଥିଲେ, ଡିସିଓଙ୍କ ନିକଟରେ ଷ୍ଟେସନ୍‌ ଡାଏରୀ କରାଇବେ। ପ୍ରତ୍ୟେକ ଥାନାର ୩ ଜଣ କନଷ୍ଟେବଳ ହିସାବରେ ମୋଟ ୫୪ ଜଣ କନଷ୍ଟେବଳଙ୍କୁ ଡିସିପି ଅଖିଳେଶ୍ୱର ସିଂହ ଦୁଇ ଦିିନିଆ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଥାନାକୁ ଆସୁଥିବା ବ୍ୟକ୍ତିଙ୍କୁ କିଭଳି ଢଂଗରେ ‘ପ୍ରାପ୍ତି ସ୍ୱୀକାର’ ପ୍ରଦାନ କରାଯିବ ଏବଂ ତାଙ୍କ ପ୍ରତି କି ପ୍ରକାର ବ୍ୟବହାର ପ୍ରଦର୍ଶନ କରାଯିବ, ସେ ସମ୍ପର୍କରେ ତାଲିମ ଦିଆଯିବ।

ଡିସିପି ଶ୍ରୀ ସିଂହଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଥାନାରେ ଏତଲା ରୁଜୁ ହେଉନଥିବା ଅଭିଯୋଗ ହେଉଛି। ଏସବୁକ ଦୃଷ୍ଟିରେ ରଖି ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଣିକି ଏକ୍‌ନୋଲେଜ୍‌ମେଣ୍ଟ ପ୍ରଦାନ କରାଯିବ। ସାଧାରଣ ଲୋକଙ୍କୁ ମଧ୍ୟ ଉପଯୁକ୍ତ ବ୍ୟବହାର ଦେଖାଇବା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର