ବିଧାୟକ ବିଜୟ ଶଙ୍କରଙ୍କୁ ଜେରା କରିବ ପୁଲିସ

ଦୁଇ ଥର ଗର୍ଭପାତ, ଖୁବ୍‌ଶୀଘ୍ର ଡାକ୍ତରୀ ମାଇନା, ବିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ୍

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପୁଲିସ ଜେରା କରିବ। ପ୍ରେମିକା ସୋମାଲିକାଙ୍କ ଅଭିଯୋଗ ହାଇକୋର୍ଟଙ୍କ ରାୟ ଅନୁଯାୟୀ ଥାନାରେ ମାମଲା ଭାବେ ରୁଜୁ ହେବା ପରେ ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୁଲିସ ନିକଟ‌ରେ ସୋମାଲିକା ବୟାନ ଦେଇ କହିଛନ୍ତି ଯେ ବିବାହର ପ୍ରତିଶ୍ରୁତି ଦେବା ସହ ଇଚ୍ଛା ବିରୋଧରେ ବିଧାୟକ ଦୁଇ ଥର ତାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୮ ଓ ୨୦୨୧ରେ ଦୁଇ ଥର ଘଟଣା ଘଟିଛି। ଏପରିକି ଦୁଇଥର ଗର୍ଭପାତ କରିଥିବା କଥା ମଧ୍ୟ ସେ କହିଛନ୍ତି। ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ଦିଆଯାଏ ସେତେବେଳେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବିଧାୟକ ଜୀବନରୁ ମାରି ଦେବାକୁ ଧମକ ଦିଅନ୍ତି ବୋଲି ସୋମାଲିକା ପୁଲିସ ଆଗରେ ପ୍ରକାଶ କରିଛନ୍ତି। ଏ ସବୁ ବୟାନର ଭିଡିଓଗ୍ରାଫି କରାଯାଇଛି।

ଅଭିଯୋଗକାରୀଙ୍କ ବୟାନ ରେକର୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛି ପୁଲିସ। ଆଜି ସୋମାଲିକାଙ୍କ ଡାକ୍ତରୀମାଇନା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅସୁସ୍ଥତା ଯୋଗୁଁ ସୋମାଲିକା ସମୟ ମାଗିଛନ୍ତି। ଆସନ୍ତା ସପ୍ତାହର ସୋମବାର କିମ୍ବା ମଙ୍ଗଳବାର ଡାକ୍ତରୀମାଇନା ହୋଇପାରେ। ଏହା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ସିଆରପିସି ଧାରା-୧୬୪ ଅନୁସାରେ ବୟାନ ରେକର୍ଡ କରାଯିବ। ତଥ୍ୟ ପ୍ରମାଣ ହାସଲ କଲା ପରେ ପୁଲିସ ଖୁବଶୀଘ୍ର ବିଧାୟକ ବିଜୟ ଶଙ୍କରଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି।

ଗୋଟିଏ ପଟେ ବିଧାୟକଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଜଣେ ବିବାହିତା ମହିଳାଙ୍କ ସହ ଭିଡିଓ ଭାଇରାଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ନିର୍ଦ୍ଦିଷ୍ଟ କେଉଁ ସମୟର ଜଣାପଡ଼ି ନ ଥିଲେ ମଧ୍ୟ ଏକ ଜନ୍ମ ଉତ୍ସବର ବୋଲି ସ୍ପଷ୍ଟ ହୋଇଛି। ସେହି ଭିଡିଓରେ ମହିଳାଙ୍କ କାନ୍ଧରେ ହାତ ପକାଇବା ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓ ପଦାକୁ ଆସିବା ପରେ ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କ ସ୍ବାମୀଙ୍କର ମଧ୍ୟ ବିବାଦ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଏକାଧିକ ମହିଳାଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ସୋମାଲିକା ଅଭିଯୋଗ କରି ଆସୁଥିଲେ। ଗତକାଲି ବୟାନ ରେକର୍ଡ ସମୟରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର