ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢାଉ; ଦୁଇ ଭାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

ଚୋରା ବନ୍ଧୁକ କାରବାରକୁ ନେଇ ଖୋଳତାଡ଼

ଭୁବନେଶ୍ବର: ୪ ବର୍ଷର ବ୍ୟବଧାନ ପରେ ପୁଣି ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଗ୍ୟାଙ୍ଗଷ୍ଟାର ଭ‌ାତୃଦ୍ବୟ ‘ଧଳ ବ୍ରଦର୍ସ’ଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ପରେ ପୁଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଗତକାଲି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଆଜିଠୁ ଜେରା କରିବ ପୁଲିସ୍  । ସେପଟେ ଧଳସାମନ୍ତଙ୍କ ଭାଇଙ୍କୁ ସେମାନଙ୍କ  ଘରକୁ ଆଣି ପୁଲିସ୍ ତଲାସି ଆରମ୍ଭ କରିଛି  । ସୂଚନା ଆନୁସାରେ ପ୍ରଥମେ ବଡ଼ ଭାଇ ସୁଶାନ୍ତ ଧଳସାମନ୍ତକୁ  ଘରକୁ ଅଣାଯାଇଥିଲା ଓ କେଉଁଠି କିପରି ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିଲା ତାହା ପଚରା ଯାଇଥିଲା। ସେ ଘରୁ ଯିବା ପରେ ପୁଲିସ ସାନଭାଇ ସୁଶିଲ ଧଳସାମନ୍ତଙ୍କୁ ଘରକୁ ଆଣି ମାରଣାସ୍ତ୍ର ଲୁଚାଇ ରଖିବା ରଖିବା ବାବତରେ ଜେରା କରିଛି।

କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା ଓ ତାଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳି ଜବତ କରିଥିଲା ପୁଲିସ୍  । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ କରାଯାଇଥିଲା । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି  ।

କଟକ-ଭୁବନେଶ୍ବରରେ ଏହି ଦୁଇ ଭାଇ ଦୀର୍ଘ ଦିନ ହେବ ଦାଦା ବଟି, ରାହାଜାନୀ, ଟେଣ୍ଡର ଫିକ୍ସିଂ ଭଳି ଅପରାଧ କରିଚାଲିଥିଲେ । ଏହା ସହ ସେମାନେ ବିଭିନ୍ନ ସମୟରେ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିଛି । ଏଭଳି ଏକ ଅପରାଧିକ ସାମ୍ରାଜ୍ୟ ଗଢ଼ି କଟକ ସହରବାସୀଙ୍କ ନିଦ ହଜାଇ ଦେଇଥିଲେ ଏହି ଦୁଇ ଭାଇ । ଏ ନେଇ ବାରମ୍ବାର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡି ବ୍ରଦର୍ସଙ୍କ ଆଡ୍ଡା ଉପରେ ଚଢାଉ କରି ସେମାନଙ୍କୁ ଗିରଫ୍ କରିଥିଲା ।

ସମ୍ବନ୍ଧିତ ଖବର