ଅନୁଗୁଳ : ଗୋଟିଏ ପଦବି ପାଇଁ ଗଣ୍ଡାଏ ଆଶାୟୀ। ଜଣଙ୍କୁ ସ୍ବୀକୃତି ଦେଲେ ଅନ୍ୟ ତିନି ଜଣ ଖପା। ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନୁଗୁଳ ଜିଲ୍ଲାର ପ୍ରାୟ ସବୁ ପଞ୍ଚାୟତରେ ଏ ପ୍ରକାର ସ୍ଥିତି ଜଳଜଳ ଦିଶିଲାଣି। ପରସ୍ପର ବିରୋଧରେ କନ୍ଦଳ ଏବଂ ପ୍ରତିଦ୍ବନ୍ଦ୍ବୀରୂପକ ଫାଟ ତିଆରି ହେଲାଣି। ରାଜ୍ୟର ଦୁଇ ପ୍ରମୁଖ ଦଳ କୁହାଯାଉଥିବା ବିଜେଡି ଏବଂ ବିଜେପିର ସଂଗଠନ ଗାଁ ଗଣ୍ଡାରେ ଫାଟିଲାଣି। ଦଳ ଦଳ ଭିତରେ ସଂଗଠନ ଭାଗଭାଗ ହେଲାଣି।

Advertisment

ସରପଞ୍ଚ ଏବଂ ସମିତିସଭ୍ୟ ପଦବି ପାଇଁ ଯଦିଓ ସରକାରୀ ଭାବେ କୌଣସି ରାଜନୈତିକ ଦଳର ପ୍ରତ୍ୟକ୍ଷ ସମ୍ପୃକ୍ତି ନାହିଁ, କିନ୍ତୁ ପରୋକ୍ଷରେ ଦଳୀୟ ସମ୍ପୃକ୍ତି ହିଁ ସରପଞ୍ଚ/ସମିତିସଭ୍ୟ ନିର୍ବାଚନର ଜୟ ପରାଜୟ ନିର୍ଭର କରୁଛି। ଏଥିପାଇଁ ପଞ୍ଚାୟତରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ବିଜୁ ଜନତା ଦଳ। ତ୍ରୁଣମୂଳସ୍ତରରେ ଦଳର ଲୋକପ୍ରିୟତା ବିଜେପିଠାରୁ ଢେର୍‌ ଅଧିକ। ତେଣୁ, ବିଜେଡି ବ୍ୟାନରରେ ସରପଞ୍ଚ ‌ହେବାକୁ ଗୋଟିଏ ଗୋଟିଏ ପଞ୍ଚାୟତରେ ୩/୪ଜଣ ପ୍ରାର୍ଥୀ ଆଗଭର ହେବା ସ୍ବାଭାବିକ କଥା। ଦଳ ଜଣଙ୍କୁ ଚୟନ କଲା ବେଳକୁ ଅନ୍ୟ ତିନି ଜଣ କେବଳ ଅସନ୍ତୁଷ୍ଟ ହୋଇ ନାହାନ୍ତି, ବରଂ ପଞ୍ଚାୟତରେ ବିରୋଧୀ ଗୋଷ୍ଠୀ ତିଆରି କରୁଥିବା ଜଣାପଡ଼ିଛି। ପ୍ରାର୍ଥୀ ଚୟନରେ ବିଭ୍ରାଟ ହେବାର ଅନ୍ୟତମ କାରଣ ହେଉଛି, କ୍ଷମତାର ମୋହ। ବର୍ତ୍ତମାନ ଯେଉଁ ପଞ୍ଚାୟତରେ ଯିଏ ସରପଞ୍ଚ କ୍ଷମତା ଭୋଗ କରୁଛି, ଆସନ୍ତା ନିର୍ବାଚନରେ ବି କ୍ଷମତା ଦଖଲ କରିବାକୁ ସେ ଲାଳାୟିତ। ନିଜ ସ୍ତ୍ରୀ କିମ୍ବା ସମ୍ପର୍କୀୟଙ୍କୁ ଠିଆ କରି ପଞ୍ଚାୟତ ଦଖଲ ପାଇଁ ଜୋର୍‌ ଉଦ୍ୟମ କରୁଥିବା ବେଳେ ବହୁ ପଞ୍ଚାୟତରେ ଅନ୍ୟ ଗୋଷ୍ଠୀ ଏହାକୁ ଜୋର୍‌ ବିରୋଧ କରୁଛନ୍ତି।

ଏହି କାରଣରୁ ଗତ ନିର୍ବାଚନରେ ବହୁ ନେତା ନିରାଶ ହୋଇଥିଲେ। ଆସନ୍ତା ନିର୍ବାଚନ ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ, ଗତଥର ଭଳି ଚଳିତବର୍ଷ ମଧ୍ୟ ଅସନ୍ତୋଷ ନେତାଙ୍କୁ ଅନେକ ପଞ୍ଚାୟତରେ କୋଣ‌ଠେସା କରାଯିବା ଦଳ ବିଭାଜନର ଅନ୍ୟତମ କାରଣ ବୋଲି କୁହାଯାଉଛି। ସମ୍ପର୍କୀୟ, ଆପଣ ପର ବିଚାର ବି ଦୁଇ ପ୍ରମୁଖ ଦଳ ବିଜେଡି, ବିଜେପିକୁ ତୃଣମୂଳସ୍ତରରେ ଭାଗଭାଗ କରୁଛି।

ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷ ଭାବେ ପ୍ରାର୍ଥୀ ଚୟନରେ ବିଧାୟକଙ୍କର ଭୂମିକା ରହିଛି। ଜିଲ୍ଲାର କିଛି କିଛି ପଞ୍ଚାୟତରେ ପୁରୁଖା ନେତାଙ୍କୁ ଛାଡ଼ି ବିଧାୟକଙ୍କର ଆତ୍ମୀୟ ସ୍ବଜନ, ସମ୍ପର୍କୀୟଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଖେଳିଗଲାଣି।
କେବଳ ସମ୍ପର୍କୀୟ ପ୍ରସଙ୍ଗ ନୁହେଁ, ରାଜନ‌ୈତିକ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ଦଳୀୟ ଅସନ୍ତୋଷର ଅନ୍ୟତମ କାରଣ। ଉଦାହରଣ ସ୍ବରୂପ, ବିଜେଡିରୁ ବିଦାୟ ନେଇଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଏବଂ ବର୍ତ୍ତମାନର ବିଧାୟକ ରମେଶ ସାଏଙ୍କ ନେତୃତ୍ବ। ବିଜେଡିରୁ ବିଦାୟ ନେଲା ପରେ ବି ବି ତୃଣମୂଳସ୍ତରରେ ସଞ୍ଜୀବଙ୍କର ଅନେକ ପୂର୍ବ ଅନୁଗତ ଅଛନ୍ତି, ଯେଉଁମାନେ ବିଜେଡି ଦଳ ସହିତ ଜଡ଼ିତ। ବିଜେଡିର ଖାସ୍‌ କର୍ମୀ। କିଛି କିଛି ପଞ୍ଚାୟତରେ ସଞ୍ଜୀବଙ୍କର ପୂର୍ବ ଅନୁଗତ ବୋଲି ବିଚାର କରାଯାଇ ପ୍ରାର୍ଥୀ ଚୟନରେ ସେହି ତୁଙ୍ଗ ନେତାଙ୍କୁ କୋଣଠେସା କରାଯାଇଛି। କିଛି କିଛି ପଞ୍ଚାୟତରେ ବିଧାୟକ ଶ୍ରୀ ସାଏଙ୍କ ସମ୍ପର୍କୀୟ ଓ ଅନୁଗତଙ୍କୁ ପ୍ରାର୍ଥୀ କରାଯାଇଛି।

ଅନୁରୂପ ସମସ୍ୟା ଠିଆ ହୋଇଛି ଭାରତୀୟ ଜନତା ପାର୍ଟିରେ। ଇଚ୍ଛା ଅନୁସାରେ ପ୍ରାର୍ଥୀ ଚୟନ, ପ୍ରୀୟାପ୍ରୀତି ତୋଷଣ ଦଳକୁ ଖଣ୍ଡ ବିଖଣ୍ଡିତ କଲାଣି। ଏହିପରି ଅନେକ କାରଣ କାରଣ ବିଜେଡି, ବିଜେପି ଦଳକୁ ତ୍ରୁଣମୂଳସ୍ତରରେ ଭାଗଭାଗ କରି ଦେଇଛି।