ଭୁବନେଶ୍ବର: ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି। ୨୦୩୦ ସୁଦ୍ଧା ସବୁ ପ୍ରକାର ଗାଡ଼ିରେ ଇଭି ଗ୍ରହଣୀୟତାକୁ ୫୦%ରେ ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨ଚକିଆ, ୩ଚକିଆ, ଚାରିଚକିଆ, ବସ୍, ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ, କୃଷି ଉପକରଣ, ନିର୍ମାଣ ଉପକରଣ ଏବଂ ଆର୍ଥ ମୁଭିଂ ଉପକରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଇଭିକୁ ପ୍ରୋତ୍ସାହିତ କରାଯିବ। ପୁରୁଣା ଗାଡ଼ି ବଦଳାଇ ନୂଆ ଇଭି ନେଲେ ସାଧାରଣ ଗ୍ରାହକ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି। ଏଥି ସହିତ ରାଜ୍ୟରେ ଇଭି, ଏହାର ଉପକରଣ ଓ ବ୍ୟାଟେରି ନିର୍ମାଣକୁ ମଧ୍ୟ ସରକାର ପ୍ରୋତ୍ସାହିତ କରିବେ।
ଚିଠା ଇଭି ବିଲ୍କୁ ନେଇ ଅଂଶୀଦାର ମାନଙ୍କଠାରୁ ମତାମତ ଆହ୍ବାନ କରାଯାଇଛି। ଯେକୌଣସି ବ୍ୟକ୍ତି ଡାକ କିମ୍ବା, [email protected]ରେ ଇମେଲ୍ କରି ନିଜର ମତାମତ ୩୦ ଦିନ ଭିତରେ ପଠାଇପାରିବେ ବୋଲି ସରକାର ଜଣାଇଛନ୍ତି। ଏହି ବିଲ୍ର ବୈଧତା ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ। ନୀତିର ବିଜ୍ଞପ୍ତି ପ୍ରକାଶ ପାଇବାର ମାସକ ଭିତରେ ପରିଚାଳନା ମାର୍ଗଦର୍ଶିକା ଜାରି କରାଯିବ।
ଚିଠା ଇଭି ନୀତି ୨୦୨୫ରେ ଇ-ରିସ୍କା ଓ କାର୍ଟ ପାଇଁ ଗାଡ଼ି ପିଛା ଫ୍ଲାଟ୍ ୨୦ ହଜାର ଟଙ୍କା, ୩ଚକିଆ ଇଭି (ଏଲ୍୫ଏମ୍ ଓ ଏଲ୍୫ଏନ୍) ବର୍ଗରେ ଗାଡ଼ି ପିଛା ଫ୍ଲାଟ୍ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ଇଲେକ୍ଟ୍ରିକ୍ କାର୍ (ଏଲ୍ଏମ୍ଭି) ଉପରେ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ, ପରିବହନ ଉପଯୋଗୀ ଇଲେକ୍ଟ୍ରିକ୍ ଚାରିଚକିଆ କାର୍ ଉପରେ ଗାଡ଼ି ପିଛା ଫ୍ଲାଟ୍ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦିଆଯିବ। ଇଲେକ୍ଟ୍ରିକ୍ ୪ଚକିଆ ମାଲ୍ବାହୀ ଗାଡ଼ି (ଏନ୍୧) ଉପରେ ୩.୫ ଟନ୍ ଭାର ବହନ କ୍ଷମତା ଥିବା ଗାଡ଼ି ପାଇଁ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଇଲେକ୍ଟ୍ରିକ୍ ବସ୍ (ଏମ୍୩, ଏମ୍୪) ଉପରେ ୨୦ ଲକ୍ଷ ଟଙ୍କା ଏବଂ ଇଲେକ୍ଟ୍ରିକ୍ ଟ୍ରକ୍ (ଏନ୍୨ ଓ ଏନ୍୩) ଉପରେ ବିଭିନ୍ନ ଭାର ବହନ କ୍ଷମତା ଅନୁସାରେ ୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ନିଜ ଗାଡ଼ିର ରେଟ୍ରୋଫିଟିଂ କରିବାକୁ ଚାହିବେ ସେମାନଙ୍କୁ ୨ଚକିଆ ଯାନ ପାଇଁ ରେଟ୍ରୋଫିଟିଂ ମୂଲ୍ୟର ୩୦ ପ୍ରତିଶତ ଏବଂ ୩ଚକିଆ ପାଇଁ ୨୫ ପ୍ରତିଶତ ରାଶି ପ୍ରୋତ୍ସାହନ ଆକାରରେ ପ୍ରଦାନ କରାଯିବ।
ଗ୍ରାହକଙ୍କୁ ୨୦ହଜାରରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ
୫ ବର୍ଷ ପର୍ଯ୍ୟନ୍ତ ଗାଡ଼ି ବିକି ହେବନି
ଚିଠା ଇଭି ନୀତି ଅନୁସାରେ କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ନୀତିର ଲାଭ ମିଳିବ। ପ୍ରୋତ୍ସାହନ ରାଶିରେ କିଣା ହୋଇଥିବା ଗାଡ଼ିର ମାଲିକାନା ୫ ବର୍ଷ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରିବନି। ବିଜ୍ଞପ୍ତି ପ୍ରକାଶ ପାଇବାର ଛଅ ମାସ ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ସବୁ ଗାଡ଼ି ଇଭି ହେବ। ପୌରାଞ୍ଚଳରେ ବର୍ଜ୍ୟ ସଂଗ୍ରହ ଓ ସଚେତନ କରୁଥିବା ଗାଡ଼ି ଇଭି ହେବ। ସମସ୍ତ ଆମ୍ୟୁଜ୍ମେଣ୍ଟ୍ ପାର୍କ, ପର୍ଯ୍ୟଟନସ୍ଥଳ ଓ ବଣଭୋଜି ସ୍ଥଳରେ ସଟଲ୍ ସେବାରେ ଇଭି ବ୍ୟବହାର କରାଯିବ। ବୋଟିଂ ସୁବିଧା ଥିବା ସ୍ଥାନରେ ପେଡାଲ୍ ଚାଳିତ ବୋଟ୍ କିମ୍ବା ସୋଲାର-ଇଲେକ୍ଟ୍ରିକ୍ ବୋଟ୍କୁ ଅନୁମତି ପ୍ରଦାନ କରାଯିବ। ନୀତି କାର୍ଯ୍ୟକାରୀ ହେବାର ୧୨ ମାସ ଭିତରେ ଏହାକୁ ଲାଗୁ କରାଯିବ। ସ୍କୁଲ, କଲେଜର ବସ୍, ଆମ୍ବୁଲାନ୍ସ ଓ ପିସିଆର୍ ଭ୍ୟାନ୍ଗୁଡ଼ିକୁ ଇଭି କରାଯିବ।
ଚାର୍ଜି ଭିତ୍ତିଭୂମି ଅଭାବ ଦୂର କରିବା ଲାଗି ମଧ୍ୟ ନୀତିରେ ବ୍ୟବସ୍ଥା ରହିଛି। ସବୁ ପୁରୁଣା ଓ ନୂଆ ପେଟ୍ରୋଲ ପମ୍ପରେ ଏବଂ ଓଏସ୍ଆର୍ଟିସିର ସବୁ ବସ୍ ଷ୍ଟେସନ୍ ଓ ବସ୍ ଷ୍ଟପ୍ରେ ଗୋଟିଏ ଲେଖାଏଁ ଚାର୍ଜିଂ ଷ୍ଟେସନ୍ ରହିବ। ପାଞ୍ଚ ବର୍ଷ ମଧ୍ୟରେ ରାଜପଥ ପାର୍ଶ୍ବରେ ଏକ ଦୃଢ଼ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରିବା ଲାଗି ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଢାଞ୍ଚା ଲାଗୁ କରାଯିବ। ସାର୍ବଜନୀନ ଚାର୍ଜିଂ ବ୍ୟବସ୍ଥା ପାଇଁ ପ୍ରତି ଚାର୍ଜିଂ ଷ୍ଟେସନ୍ ପିଛା ସର୍ବାଧିକ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। ଇଭି କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବା ଲାଗି ଅତିକମ୍ରେ ତିନିଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ଷ୍ଟାର୍ଟଅପ୍ଗୁଡ଼ିକୁ ସହଯୋଗ କରିବା ଲାଗି ଇନ୍କ୍ୟୁବେସନ୍ କେନ୍ଦ୍ର, ଇମର୍ଜିଂ ସେକ୍ଟର ସିଡ୍ ଫଣ୍ଡ୍ ଏବଂ ୧୫ କୋଟି ଟଙ୍କାର ଆର୍ଆଣ୍ଡ୍ଡି ଫଣ୍ଡ୍ର ବ୍ୟବସ୍ଥା ରହିବ। ଏହି ନୀତିରେ ବର୍ଷକୁ ୧୦୦ ଜଣ ପିଛା ନୀତି ଅବଧି ଭିତରେ ଅତିକମ୍ରେ ୫୦୦ କୁଶଳୀ ଶ୍ରମଶକ୍ତି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୀତିକୁ ପରିବହନ ବିଭାଗ କାର୍ଯ୍ୟକାରୀ କରିବ, ଯେଉଁଥିରେ ଏକ ସ୍ବତନ୍ତ୍ର ଇଭି ସେଲ୍ ରହିବ।
ଇଭି ଉପରେ ପ୍ରୋତ୍ସାହନ
ଗାଡ଼ି ପ୍ରୋତ୍ସାହନ (ଟଙ୍କାରେ)
ଇ-ରିକ୍ସା, ଇ-କାର୍ଟ ୨୦,୦୦୦
ଇଲେକ୍ଟ୍ରିକ୍ ୩ଚକିଆ ୩୦,୦୦୦
ଏଲ୍ଏମ୍ଭି ଇ-କାର୍ ୧,୫୦,୦୦୦ ପର୍ଯ୍ୟନ୍ତ
ଏଲ୍ଏମ୍ଭି ୪ଚକିଆ ପରିବହନ ଗାଡ଼ି ୨,୦୦,୦୦୦
୪ଚକିଆ ମାଲବାହୀ ୧,୫୦,୦୦୦ ପର୍ଯ୍ୟନ୍ତ
ଇ-ବସ୍ (ଏମ୍୩, ଏମ୍୪) ୨୦,୦୦,୦୦୦
ଇ-ଟ୍ରକ୍ (ଏନ୍୨, ଏନ୍୩) ୫,୦୦,୦୦୦-୨୦,୦୦,୦୦୦ ପର୍ଯ୍ୟନ୍ତ