ପୁଣି ପ୍ରଶଂସା ସାଉଁଟିଲେ ସରକାର : ‘ମିଲେଟ୍‌ ମିସନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନାକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ବର : ପୁଷ୍ଟି ସାଧନ କ୍ଷେତ୍ରରେ ‘ଓଡ଼ିଶା ମିଲେଟ୍‌ ମିସନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନା ଉଲ୍ଲେଖନୀୟ ସଫଳତା ଆଣିଛି। ରାଜ୍ୟ ସରକାରଙ୍କ ଏହି ଦୁଇଟି ଯୋଜନାର ସଫଳ ରୂପାୟନ ପାଇଁ ଭାରତର ନୀତି ଆୟୋଗ ପ୍ରଶଂସା କରିଛନ୍ତି। ଗର୍ଭବତୀ ମହିଳା, ପ୍ରସୂତି, କିଶୋରୀ ଓ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଏହି ଯୋଜନା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ଅନ୍ୟ ରାଜ୍ୟମାନେ ଏହାକୁ ଆପଣାଇବାକୁ ଆୟୋଗ ପରାମର୍ଶ ଦେଇଛନ୍ତି।

୨୦୧୭ ମସିହାରେ ଓଡ଼ିଶା ମିଲେଟ୍‌ ମିସନ୍‌ ଆରମ୍ଭ ହୋଇଥିଲା। ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୁଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ପାଇଲଟ୍‌ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ୍‌-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ଼୍ଡିଆ ଲଡ଼ୁ ପ୍ରଦାନ କରାଯାଉଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯାହାକୁ ନୀତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି। ଗର୍ଭବତୀ ମହିଳା, କିଶୋରୀ ଓ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ପୁଷ୍ଟି ସାଧନ ପାଇଁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ୨୦୧୯ ମସିହାରୁ ‘ ମୋ ଉପକାରୀ ବଗିଚା’ ଯୋଜନା ଆରମ୍ଭ କରିଛନ୍ତି। ବିଶେଷକରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଋତୁକାଳୀନ ପନିପରିବା ଓ ଫଳ ଆଦି ଖାଇବାକୁ ଦେଇ ସେମାନଙ୍କ ପୁଷ୍ଟି ସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ଉଦ୍ୟମ କରାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ ହଜାର ‘ ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇ ପାରିଛି। ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂରୀକରଣ ଦିଗରେ ଏହି ଯୋଜନା ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର