ପୁରୀ: ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି। ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି। ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନ କରି ଆଳତି କରିଦେଇଥିଲେ। ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି। ଯଦିଓ ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ବିଭ୍ରାଟ ନୁହେଁ, ତଥାପି ଏଭଳି ଏକ ଭୟଙ୍କର ତ୍ରୁଟିକୁ ନେଇ ବରିଷ୍ଠ ସେବାୟତ ଓ ଗଣନାକାରୀମାନେ ନାନା ଆଶଙ୍କା କରିଛନ୍ତି। ଏଭଳି ବିଭ୍ରାଟ ହେଲେ କେବଳ ରାଜ୍ୟ ନୁହେଁ, ବରଂ ସମଗ୍ର ଦେଶ ପ୍ରତି ବିପଦ ମାଡ଼ି ଆସିବ ବୋଲି ସେମାନେ ଆକଳନ କରିଛନ୍ତି।
ଆଜି ରାତି ୧୧ଟା ୨୫ରେ ବଡ଼ସିଂହାର ଭୋଗ ହୋଇଥିଲା। ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା। ପଲଙ୍କଗୁଡ଼ିକ ଏବେ ଅସ୍ଥାୟୀ ଘରେ ରଖାଯାଇଛି। ଅସ୍ଥାୟୀ ଘରୁ ପଲଙ୍କ ଆସିବାକୁ ପୁଷ୍ପାଳକ ସେବାୟତମାନେ ଅପେକ୍ଷା କରିଥିଲେ। ଚାଙ୍ଗଡ଼ା ମେକାପ ସେବାୟତ ଏହି ପଲଙ୍କ ନେଇ ଆସିବା କଥା। କିନ୍ତୁ ସମୟ ଗଡ଼ି ଚାଲିଥିଲା, ସେମାନେ ଆସୁ ନଥିଲେ। ବାସ୍ତବରେ କେହି ଭିଆଇପି ଦର୍ଶନ କରିବାକୁ ଆସିବାକୁ ଥିବାରୁ ବରିଷ୍ଠ ଅଧିକାରୀମାନେ ସେବାୟତଙ୍କୁ କହି ଏହି ପ୍ରକ୍ରିୟାକୁ ବିଳମ୍ୱିତ କରାଉଥିବା ଶୁଣିବାକୁ ମିଳିଥିଲା। ଏଭଳି ଖବର ପହଞ୍ଚିବା ପରେ ପୁଷ୍ପାଳକ ସେବାୟତମାନେ ବିଗିଡ଼ି ଯାଇଥିଲେ। ଏଣୁ ପଲଙ୍କ ବିଜେ ନହେଉଣୁ ଆଳତି ଆରମ୍ଭ କରିଦେଇଥିଲେ। ଆଳତି ପରେ ପଲଙ୍କ ବିଜେ ହୋଇଥିଲା। ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଭିଆଇପି ଦର୍ଶନ ପାଇଁ ଆସିବାକୁ ଥିବାରୁ ଜିଲ୍ଲା ପ୍ରଶାସନର ଅଧିକାଂଶ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେମାନଙ୍କ ସମ୍ମୁଖରେ ଏହି ସବୁ ଘଟଣା ଘଟିଥିଲା।
ଏତିକିରେ କଥା ସରିନଥିଲା। ଚାଙ୍ଗଡ଼ା ମେକାପମାନେ ପଲଙ୍କ ଆଣି ରଖିବା ବେଳେ ମହାପ୍ରଭୁଙ୍କ ପଲଙ୍କ ଗୋଟିଏ ଗୋଡ଼ର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଏହା ଚଟାଣରେ ଲାଗୁ ନଥିଲା। ପୂର୍ବରୁ ଅନେକ ଥର ଚାଙ୍ଗଡ଼ା ମେକାପ ସେବାୟତମାନେ ଏହି ପଲଙ୍କ ଗୋଡ଼ର ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ନଥିଲା। ଏଣୁ ଆଜି ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ଜଣେ ଚାଙ୍ଗଡ଼ା ମେକାପ ସେବାୟତ ବଡ଼ ପାଟିରେ କହିଥିଲେ, ଠାକୁରଙ୍କ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମହାପ୍ରଭୁଙ୍କ ପଲଙ୍କ ମରାମତି ହେଇ ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/06/temple-2025-09-06-01-38-58.jpg)