ପୁଣି ଢିଙ୍କିଆ ପାଲଟିଲା ରଣକ୍ଷେତ୍ର: ଆନ୍ଦୋଳନକାରୀ-ପୁଲିସ ମୁହାଁମୁହିଁ, ପୁଲିସର ଲାଠିଚାର୍ଜ

୧୫ ପୁଲିସ, ୨୦ରୁ ଅଧିକ ଆନ୍ଦୋଳନକାରୀ ଆହତ

ପାନବରଜ ମାପଚୁପ ନିକଟକୁ ଯାଉଥିଲେ ଆନ୍ଦୋଳନକାରୀ

ଜଗତସିଂହପୁର : ପୂର୍ବରୁ ପୋସ୍କୋ ପ୍ରକଳ୍ପ ସମୟରେ ଗଣ୍ଡଗୋଳର କ୍ଷେତ୍ର ପାଲଟିଥିବା କୁଜଙ୍ଗ ବ୍ଲକର ଢିଙ୍କିଆ ପୁଣିଥରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ରଣ‌କ୍ଷେତ୍ର ପାଲଟିଛି। ଆନ୍ଦୋଳନକାରୀମାନେ ପାନବରଜ ମାପଚୁପ ସ୍ଥାନକୁ ଯାଉଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରିଥିବାବେଳେ ଆନ୍ଦୋଳନକାରୀ ମଧ୍ୟ ପୁଲିସକୁ ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୁଲିସ ଆହତ ହୋଇଥିବା ବେଳେ ପୁଲିସ ମାଡ଼ରେ ୨୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରୁ ଏହି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବାଇଁଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଦେବେନ୍ଦ୍ର ହେଉଛନ୍ତି ଢିଙ୍କିଆର ପୂର୍ବତନ ସମିତି ସଭ୍ୟ। ତାଙ୍କୁ ଗଲା ଅକ୍ଟୋବର ମାସରେ ସରକାର ସମିତି ସଭ୍ୟ ପଦରୁ ବହିଷ୍କାର କରିଥିଲେ। ସରକାରଙ୍କ ଉନ୍ନୟନ କାର୍ଯ୍ୟକୁ ଅଞ୍ଚଳରେ ବିରୋଧ କରୁଥିବାରୁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଥିଲା। ଦେବେନ୍ଦ୍ରଙ୍କ ଦୁଇ ଭାଇ କିନ୍ତୁ ବିଜେଡିରେ ଥିବାବେଳେ ସେ ବିଜେଡି ସହିତ ରହି ନଥିଲେ।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡାଙ୍କ ସୂଚନା ମୁତାବକ, ପ୍ରଶାସନ ପକ୍ଷରୁ ‌ଏବେ ପ୍ରଭାବିତ ଅଞ୍ଚଳରେ ପାନବରଜ ଓ ଫଳନ୍ତି ଗଛ ମାପଚୁପ ଚାଲିଛି। ଆଜି ଦିନ ୧୧ଟା ସମୟରେ ଢିଙ୍କିଆର ୫ ଶହରୁ ଅଧିକ ଲୋକ ଶୋଭାଯାତ୍ରାରେ ବରଜ ମାପଚୁପ ସ୍ଥାନକୁ ଆସୁଥିଲେ। ଏହି ସମୟରେ ଗାଁ ମୁଣ୍ଡରେ ସେମାନଙ୍କୁ ପୁଲିସ ଅଟକାଇଥିଲା। କୋଭିଡ୍ କଟକଣା ଯୋଗୁଁ ସେମାନଙ୍କୁ ଅଟକାଯିବା ସମୟରେ ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ‌ହୋଇପଡ଼ିଥିଲେ। ସେମାନେ ପୁଲିସକୁ ଗାଳିଗୁଲଜ କରିଥିଲେ। କିନ୍ତୁ ପୁଲିସ ଶୋଭାଯାତ୍ରାକୁ ଅନୁମତି ନ ଦେବାରୁ ଆନ୍ଦୋଳନକାରୀମାନେ ପୁଲିସକୁ ଆକ୍ରମଣ କରିଥିଲେ। ଏମିତିକି କିଛି ଲୋକ ବ୍ଲେଡ୍ ସାହାଯ୍ୟରେ ପୁଲିସକୁ ଆକ୍ରମଣ କରିବା ସହ ଜରିରେ ପରିସ୍ରା ଭର୍ତ୍ତି କରି ପୁଲିସ ଉପରକୁ ଫୋପାଡ଼ି ଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ମୃଦୁ ଲାଠି ଚାଳନା କରିଥିଲା। ଏଥିରେ ଆହତ ହୋଇଥିବା ଆନ୍ଦୋଳନକାରୀମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

ଆନ୍ଦୋଳନକାରୀଙ୍କ ମାଡ଼ରେ ୧୫ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ମହିଳା ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ବେଳେ ଅଧିକାଂଶ ଅସଦାରଚଣର ଶିକାର ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଗିରଫ ହୋଇଥିବା ଦେବେନ୍ଦ୍ର ପୁଲିସ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିବା ଅଭିଯୋଗ ହୋଇଛି। ପୁଲିସ ଦେବେନ୍ଦ୍ରଙ୍କ ସମେତ ମୁରଲୀ ସାହୁ ଓ ନରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି। କୈଳାସ ସ୍ବାଇଁ ଓ କଲ୍ୟାଣ ଆନନ୍ଦଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟପଟେ ପୁଲିସ ଓ ପ୍ରଶାସନକୁ ଗାଁରେ ପୂରାଇ ନ ଦେବା ପାଇଁ ଢ଼ିଙ୍କିଆରେ ଆନ୍ଦୋଳନକାରୀମାନଙ୍କ ଦ୍ବାରା କରାଯାଇଥିବା ୩ଟି ଫାଟକକୁ ପୁଲିସ ଭାଙ୍ଗି ଦେଇଛି। ପୁଲିସର ଉଗ୍ରରୂପ ଦେଖି ଏବେ ବି ବହୁ ଆନ୍ଦୋଳନକାରୀ ଜଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଲୁଚି ରହିଛନ୍ତି। କିନ୍ତୁ ଗତକାଲି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ କରିବାକୁ ଆସି ଥିବା ଦୁଇ ଜଣ ନେତା ସେମାନଙ୍କୁ ଏଭଳି ଶୋଭାଯାତ୍ରାରେ ଯିବାକୁ ପ୍ରବର୍ତ୍ତାଇ ଥିବା କୁହାଯାଉଛି। ଅନ୍ୟପଟେ ସେମାନଙ୍କ ପାନବରଜକୁ ପ୍ରଶାସନ ଜୋରଜବରଦସ୍ତ ଭାଙ୍ଗୁ ଥିବା ସୂଚନା ପାଇ ସେମାନେ ସେଠାକୁ ଯାଉଥିଲେ ବୋଲି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର