ପୋଲିଓକୁ ଜିତିଥିବା କାହ୍ନା ଏବେ ଅସହାୟ : ଭଡ଼ା ଘରେ ରୋଗିଣା ବାପା ଓ ମାଆଙ୍କୁ ନେଇ ବିତିଛୁ ତାଙ୍କ ଜୀବନ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ): ବ୍ରହ୍ମପୁର କରଣ ସାହିର କାହ୍ନା(୨୯)। ପିଲାଟି ଦିନରୁ ଭିନ୍ନକ୍ଷମ। ମୁଣ୍ତ ଗୁଞ୍ଜିବାକୁ ଘର ଖଣ୍ତିଏ ନାହିଁ। ଭଡ଼ା ଘରେ ରୋଗିଣା ବାପା ଓ ମାଆଙ୍କୁ ନେଇ ବିତିଛୁ ତାଙ୍କ ଜୀବନ। ଭିନ୍ନକ୍ଷମ ଭତ୍ତା ଓ ଟ୍ୟୁସନରୁ ଯେଉଁ ଦି ପଇସା ମିଳୁଛି ସେଥିରେ ଚଳୁଛି ତାଙ୍କ ପରିବାର। ଘର ଖଣ୍ତିଏ ଲାଗି ୪ ବର୍ଷ ହେଲା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ପୋଲିଓକୁ ଜିତି ସକ୍ଷମ ହୋଇଥିବା କାହ୍ନା ପ୍ରଶାସନର ଅସହଯୋଗ ଲାଗି ଏବେ ହୋଇପଡିଛି ଅସହାୟ।

ବ୍ରହ୍ମପୁର ବଡବଜାର ଥାନା ଅର୍ନ୍ତଗତ କରଣ ସାହିର ରାଜେନ୍ଦ୍ର ମହାପାତ୍ର ଓ ସୁମତିଙ୍କ ଏକମାତ୍ର ସନ୍ତାନ କାହ୍ନା। ରାଜେନ୍ଦ୍ର ମହାପାତ୍ର ଜଣେ କବାଡିବାଲା। ସ୍କ୍ରାପ ବିକ୍ରି କରି ଦୁଇ ପଇସା ଆଣିଲେ ତାଙ୍କ ପରିବାର ଚଳେ। ପାଞ୍ଚ ବର୍ଷ ବୟସରେ କାହ୍ନା ପୋଲିଓରେ ଆକ୍ରାନ୍ତ ହେଲେ। ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଏକରକମ ପଙ୍ଗୁ ହୋଇଗଲା। ଆର୍ଥିକ ବୋଝ ସାଙ୍ଗକୁ ପୁଅ ଏଭଳି ସ୍ଥିତି ଦେଖୃ ଭାଙ୍ଗିପଡିଲେ ରାଜେନ୍ଦ୍ର ଓ ସୁମତୀ। ଏସବୁ ସତ୍ତ୍ବେ ଭାଙ୍ଗି ପଡି ନ ଥିଲେ କାହ୍ନା। ଇଚ୍ଛା ଶକ୍ତି ଓ ଦୃଢ଼ ମନୋବଳ ରଖି ପାଠ ପଢି ମାଟ୍ରିକ ପାସ କଲେ। କିନ୍ତୁ ପୁଅକୁ ଅଧିକ ପାଠ ପଢାଇବା ଲାଗି ରାଜେନ୍ଦ୍ରଙ୍କ ପାଖରେ ଅର୍ଥ ନ ଥିଲା। କାହ୍ନା ମାଟ୍ରିକ୍‌ ପାସ କରିବା ପରେ ନିଜେ କିଭଳି ପାଠ ପଢିବେ ସେଥିଲାଗି ଚିନ୍ତା କଲେ। ପାଠ ପଢ଼ି ଚାକିରି କରିବା ଲକ୍ଷ୍ୟ ନେଇ କାହ୍ନା ଟ୍ୟୁସନ କରିବା ସହ ନିଜେ ପାଠ ପଢିଲେ। ଟ୍ରାଇ ସାଇକେଲରେ ଘରକୁ ଘରକୁ ଯାଇ ଟ୍ୟୁସନ ପଢ଼ାଇବା ସହ ନିଜେ ପଢିଲେ।

ଏଭଳି ବହୁ ସ˚ଘର୍ଷ ମଧ୍ୟରେ କାହ୍ନା ୨୦୧୩ ମସିହାରେ ଖଲ୍ଲିକୋଟ ସ୍ବୟ˚ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୩ ବାଣିଜ୍ୟ ପାସ କଲେ। ଇଚ୍ଛାଥିଲା ଉଚ୍ଚଶିକ୍ଷା ହାସଲ ସହ ସରକାରୀ ଚାକିରି କରିବେ। କିନ୍ତୁ ଭାଗ୍ୟ ସାଥ ଦେଲାନାହିଁ। ଅର୍ଥ ଅଭାବ ଓ ପରିବାରର ବୋଝ ଯୋଗୁଁ ଆଉ ଅଧିକ ପଢିବାକୁ ସକ୍ଷମ ହୋଇପାରିଲେ ନାହିଁ। ଆଉ ସେହିଦିନ ଠାରୁ କାହ୍ନା ଟ୍ୟୁସନ କରି ଆସୁଛନ୍ତି। କାହ୍ନା ୭୫ ପ୍ରତିଶତ ଭିନ୍ନକ୍ଷମ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ମାସିକ ୭ଶହ ଟଙ୍କା ଭତ୍ତା ମିଳୁଛି। ଭତ୍ତା ଓ ଟ୍ୟୁସନରୁ ମିଳୁଥିବା ଅର୍ଥରେ ଚଳୁଛି ତାଙ୍କର ପରିବାର। କିନ୍ତୁ ମୁଣ୍ତ ଗୁଞ୍ଜିବା ଲାଗି ଘରେ ଖଣ୍ତେ ନ ଥିବା ବେଳେ ଭଡା ଘର ରହି ଆସୁଛନ୍ତି। ଠିକଣା ସମୟରେ ଘର ଭଡା ନ ଦେଲେ ଘର ମାଲିକଙ୍କ ତାଗିଦା ଶୁଣିବାକୁ ପଡୁଛି। ଘର ତିଆରି କରିବା ଲାଗି ତାଙ୍କର ଜମି ଖଣ୍ତେ ବି ନାହିଁ। ଘର ଖଣ୍ତେ ପାଇବା ଲାଗି ୨୦୧୫ ମସିହାରୁ ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ତହସିଲଦାର, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। ଏପରିକି ଏ ସ˚କ୍ରାନ୍ତରେ ସ୍ଥାନୀୟ ଏମ୍‌ପି, ବିଧାୟକ ଏବ˚ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବାରସ୍ଥ ହୋଇଥିଲେ ହେଁ ତାଙ୍କର ଗୁହାରି କେହି ଶୁଣୁ ନ ଥିବା କାହ୍ନା କୋହଭରା କଣ୍ଠରେ କହିଛନ୍ତି। ପୋଲିଓ ଜିତି ସକ୍ଷମ ହୋଇଥିବା କାହ୍ନା ଘରେ ଖଣ୍ତିଏ ଲାଗି ଏବେ ଅସହାୟ ହୋଇ ପଡିଛନ୍ତି।

ସମ୍ବନ୍ଧିତ ଖବର