ଆଜିଠାରୁ ପୋଲିଓ ଟିକାକରଣ : ୪୩ଲକ୍ଷ ୫୮୪୫ ଶିଶୁଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୧୭ ତାରିଖରେ ଓ ମେ’ମାସ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅନୁଷ୍ଠିତ ହେବ। ପ୍ରତ୍ୟେକ ପର୍ଯ୍ୟାୟର ପ୍ରଥମ ଦିନରେ ୧୫ ଏପ୍ରିଲ ଓ ୨୦ ମେ’ରେ ବିଭିନ୍ନ ଟିକାକରଣ ବୁଥ୍‌ରେ ଟିକାକରଣ କରାଯିବ ଓ ଦ୍ୱିତୀୟ ଓ ତୃତୀୟ ଦିନରେ ଟିକା ପ୍ରଦନକାରୀ କର୍ମକର୍ତା ଘରକୁ ଘର ଯାଇ ଟିକାକରଣ କରିବେ। ୫ବର୍ଷରୁ କମ୍‌ ପିଲାଙ୍କୁ ଏହି ଟିକା ଦିଆଯିବ। ଏହି କାର୍ଯ୍ୟକ୍ରମରେ ୪୩ଲକ୍ଷ ୫ହଜାର ୮୪୫ଜଣ ଶିଶୁଙ୍କୁ ଟିକାକରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ୧୮ହଜାର ୯୬୮ଟି ବୁଥ୍‌ରେ ପ୍ରଥମ ଦିନ ପୋଲିଓ ଟିକାକରଣ କରାଯିବ। ୩୬୭ଟି ଭ୍ରାମ୍ୟମାଣ ଟିକା ପ୍ରଦାନକାରୀ ଦଳ ଓ ୮୪୯ଟି ଟ୍ରାନଜିଟ୍‌ ଟିମ୍‌ ବିଭିନ୍ନ ବସଷ୍ଟାଣ୍ଡ, ହାଟ ଓ ଜନଗହଳିପୂର୍ଣ୍ଣ ସ୍ଥାନ ସମେତ ଉପାନ୍ତ ଅଞ୍ଚଳରେ ଟିକା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। ଅଭିଯାନରେ ୭୫ହଜାର ୮୭୨ଜଣ ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି। ୨୦୦୮ ମସିହା ପରଠାରୁ ରାଜ୍ୟରେ ଗୋଟିଏ ହେଲେ ପୋଲିଓ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ୨୦୧୦ ମସିହାଠାରୁ ଦେଶ ପୋଲିଓ ମୁକ୍ତ ହୋଇଥିବା ବେଳେ ୨୦୧୪ ମସିହାରେ ପୋଲିଓ ମୁକ୍ତ ଦେଶ ଭାବେ ଭାରତକୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର