ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି। ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି। ବର୍ଷା ଥମିଥିବାରୁ ରାସ୍ତା ଫିଟିଛି। କିନ୍ତୁ ଆନ୍ଧ୍ର ଓ ଛତିଶଗଡ଼କୁ ଏବେ ବି ରାସ୍ତା ବନ୍ଦ ରହିଛି। ଜିଲ୍ଲାରେ ବହୁ ଘର ଲଗାଣ ବର୍ଷାରେ କ୍ଷୟକ୍ଷତି ଘଟିଛି। ଜିଲ୍ଲାପାଳ ସଚିନ ପାୱାର ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ସ୍ଥିତି ସଂପର୍କରେ ଗଣମାଧ୍ୟମ ନିକଟରେ ବିବରଣୀ ରଖୁଛନ୍ତି। ଜିଲ୍ଲାରେ ପଲିଥିନ ମହଜୁଦ ରହିଥିବା କହିବା ସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ପଲିଥିନ ପ୍ରଦାନ କରାଯିବ ବୋଲି କହିଥିଲେ।
ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ମୋଟୁ ତହସିଲ ପକ୍ଷରୁ ଲୋକଙ୍କୁ ପଲିଥିନକୁ କାଟି ଅଧା ଅଧା ଦିଆଯାଉଛି, ଯାହାକି କେଉଁ କାମରେ ଲାଗିବ ନାହିଁ। ଘରର ଛାତକୁ ଘୋଡ଼ାଇବାକୁ ହେଲେ ପୁରା ପଲିଥିନ ଦରକାର ପଡୁଛି। କିନ୍ତୁ ମୋଟୁ ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋଟୁ, ଆଲମା, ମୁକାନପାଲି ଏବଂ ବିନାୟକପୁର ଅଂଚଳର ବହୁ ଲୋକ ଆଜି ପଲିଥିନ ପାଇଁ ଆସିଥିବା ବେଳେ ରାଜସ୍ବ ନିରୀକ୍ଷକ ସେମାନଙ୍କୁ ପଲିଥିନ କାଟି ଅଧା ଲେଖାଏଁ ଦେଉଥିବା ଦେଖିବାକୁ ମିଳିଥିଲା। ଏନେଇ ରାଜସ୍ବ ନିରୀକ୍ଷକଙ୍କୁ ପଚାରିବାରୁ ପଲିଥିନ କମ ଆସିଥିବାରୁ ଏଭଳି କରାଯାଉଥିବା କହିଥିଲେ।
ଅନ୍ୟପଟେ ଜିଲ୍ଲାରେ ପ୍ରଚୁର ପରିମାଣରେ ପଲିଥିନ ରହିଥିବା ଜିଲ୍ଲାପାଳ ଯୁକ୍ତି ବାଢନ୍ତି। ଏନେଇ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ତାଂକ ପ୍ରତିକ୍ରିୟା ଦିଆଯାଇପାରି ନାହିଁ। କିନ୍ତୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନଙ୍କୁ ପଚରାଯିବାରୁ ସେଭଳି ହେବ ନାହିଁ ବୋଲି କହିବା ସହ ଏନେଇ ସେ ତୁରନ୍ତ ମୋଟୁ ତହସିଲଦାରଙ୍କୁ ଅବଗତ କରାଇବେ ବୋଲି କହିଥିଲେ। କାହାର ନିର୍ଦେଶରେ ଏଭଳି କରାଯାଉଛି ତାହା ତଦନ୍ତ ସାପେକ୍ଷ। ମୋଟୁ ତହସିଲଦାର ଏନେଇ ଅବଗତ ରହିଛନ୍ତି ନା ଜାଣିଶୁଣି ଏଭଳି କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ମୋଟୁ ଅଂଚଳରେ ସବୁଠାରୁ ବ୍ୟାପକ କ୍ଷତି ହୋଇଥିବା ପରିଲକ୍ଷିତ କରାଯାଉଛି। ଏହାର ତଦନ୍ତ ହେବା ପରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଅଧା ପଲିଥିନକୁ ନେଇ ଲୋକେ ମୁଗ, ବିରି ଏବଂ ଅନ୍ୟ ସାମଗ୍ରୀ ଶୁଖାଇବାରେ ହିଁ କାମରେ ଲଗାଇବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯେଉଁ କାମ ପାଇଁ ପୋଲିଥିନ ଆସିଥିଲା ତାହା ବ୍ୟବହାର ହୋଇପାରୁନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।