ରାୟଗଡ଼ା: ରାୟଗଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ବ୍ଲକର ୨୮ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସମସ୍ତ ୨୮ଟି ପଞ୍ଚାୟତର ଲୋକ ପ୍ରତିନିଧିମାନେ ଆଦିବାସୀ ଅଟନ୍ତି।ସମସ୍ତେ ନିରୀହ ଓ ସରଳ ହୋଇଥିବାରୁ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର ସହ ଅସହଯୋଗ କରୁଥିବା ଅଭିଯୋଗ କରିଛନ୍ତି। ଅସହ୍ୟ ହେବାରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଥିବା ଲୋକ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ସେମାନଙ୍କର ସଂଗୀନ ଅଭିଯୋଗ ହେଲା ଯେତେବେଳେ ବି ବ୍ଲକ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟର ସମାଧାନ ପାଇଁ ଗଲେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି।
ଲୋକ ପ୍ରତିନିଧିମାନେ ଜନଜାତି ସଂପ୍ରଦାୟର ହୋଇଥିବା ବେଳେ ସେମାନଙ୍କୁ ସହଯୋଗ କରାଯିବା ବଦଳରେ ଅସହଯୋଗ କରାଯାଉଛି। ଲୋକ ପ୍ରତିନିଧିମାନଙ୍କୁ ଧମକ ଦେବା ସହ ସେମାନଙ୍କୁ ନଜଣାଇ କାର୍ଯ୍ୟାଦେଶକୁ ପ୍ରଦାନ କରାଯାଉଛି। ସମସ୍ତ ଲୋକ ପ୍ରତିନିଧିଙ୍କୁ ସମସ୍ତଙ୍କ ସାମ୍ନାରେ ଅସମ୍ମାନ ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ କରାଯାଇଛି। ଏହାର ତଦନ୍ତ କରି ତୁରନ୍ତ ରାୟଗଡା ବ୍ଲକରୁ ସଂପୃକ୍ତ ବିଡିଓଙ୍କୁ ବଦଳି କରାଯାଉ ବୋଲି ଦାବି କରାଯାଇଛି।