ରାଜନୀତି-ଅପରାଧ-ଗୋଷ୍ଠୀ ବିବାଦର ବିଷବଳୟରେ ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନୀତିକାନ୍ତି ଅଭିନ୍ନ ଓ ଅଦ୍ବିତୀୟ। ଓଡ଼ିଆ ଘରର ଦୈନନ୍ଦିନ କାର୍ଯ୍ୟ, ଜୀବନଶୈଳୀ ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରତିଫଳିତ। ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ବାର ମାସରେ ତେର ପର୍ବ। ସମଗ୍ର ବିଶ୍ବରେ ଏଭଳି ପୀଠ ବିରଳ। କିନ୍ତୁ ବିଭିନ୍ନ କାରଣରୁୁ ଏବେ ବିବାଦ ଭିତରକୁ ଠେଲି ହୋଇଯାଉଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ବାଦ ବିବାଦ ଲାଗିରହିଥିବା ବେଳେ ମନ୍ଦିରର ସୁରକ୍ଷା ବଳୟ ଡେଇଁ ଜଣେ ବ୍ୟକ୍ତି ଭାଙ୍ଗିଦେଇଛନ୍ତି ରୋଷଘରର ଚୁଲି। ବେଳେ ବେଳେ ଶ୍ରୀକ୍ଷେତ୍ର ଏତେ ଅଶାନ୍ତ ହୋଇଯାଉଛି ଯେ ଗୋଷ୍ଠୀ କନ୍ଦଳରୁ ସେବାୟତଙ୍କ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଘଟଣା ଘଟିଯାଉଛି। ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରର ବିବାଦୀୟ ଘଟଣାବଳୀକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।

ପ୍ରସ୍ତୁତି: ସୁମନ୍ତ ପରିଡ଼ା, ସତ୍ୟନାରାୟଣ ରାଉତରାୟ, ଶ୍ୟାମକାହ୍ନା ପଟ୍ଟନାୟକ
ଫଟୋ-ସନ୍ତୋଷ ବରାଳ

କିଛିଦିନ ତଳେ ଶ୍ରୀମନ୍ଦିର ରୋଷଘରେ ପଶି ଜଣେ ବ୍ୟକ୍ତି ତେୟାଳିଶଟି ଚୁଲି ଭାଙ୍ଗି ଦେଇଥିଲେ। ଏହି ଘଟଣା କେବଳ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ଖାମଖିଆଲି କାମକୁ ଧରା ପକାଇଦେଇନି, ବରଂ ଶ୍ରୀମନ୍ଦିର ପ୍ରତି ଆଗତ ଭବିଷ୍ୟତରେ କେତେ ଯେ ବିପଦ ରହିଛି ତାହା ସତର୍କ କରାଇ ଦେଇଛି। ବଡ଼ ଦେଉଳର ଏହି ବଡ଼ ବିଶୃଙ୍ଖଳା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଶଙ୍କା କରୁଥିବା ସରକାର ଏ ଦିଗକୁ ଗୁରୁତ୍ବ ଦେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତ ଏପ୍ରିଲ ୨ ତାରିଖ ରାତି ୧୦ଟା ୪୦ରେ ବଡ଼ସିଂହାର ଭୋଗ ପରେ ୧୧ଟା ୧୦ରେ ରାତ୍ର ପହୁଡ଼ ହୋଇଥିଲା। ପରଦିନ ସକାଳେ ଦ୍ବାରଫିଟା ନୀତି ପରେ ରୋଷଘର ରନ୍ଧାକାର୍ଯ୍ୟ ପୂର୍ବପ୍ରସ୍ତୁତି ପାଇଁ ନିୟୋଜିତ ସେବକମାନେ ପ୍ରବେଶବେଳେ ରୋଷଘର ଚୁଲି ଭଙ୍ଗା ଘଟଣା ଜଣାପଡ଼ିଥିଲା। ଯେଉଁଥିରେ ଥିଲା ପିଠାଆଡ଼ର ୧୦ଟି, ଥାଳିଆଡ଼ର ୬ଟି, ସାତପୁରୀର ୨୫ଟି, ଅହିଆ (ଡାଲି, ତରକାରି ରନ୍ଧା ପାଇଁ ବଡ଼ ଚୁଲି) ଗୋଟେ ଓ କୋଠଭୋଗର ଗୋଟେ ଚୁଲି। ପ୍ରଥମେ ଏହାକୁ କେହି ଶାବଳରେ ତାଡ଼ି ଦେଇଥିବା ଅନୁମାନ କରାଯାଉଥିଲା। କିନ୍ତୁ ଅଭିଯୁକ୍ତ ଧରାପଡ଼ିବା ପରେ ସେ ହାତରେ ଏହାକୁ ଭାଙ୍ଗି ଦେଇଥିବା କହିଛି। ଏହି କାଣ୍ଡ ଘଟାଇଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର ଯେଉଁ ଢଙ୍ଗରେ ରୋଷଘରେ ପ୍ରବେଶ କରି ଚୁଲା ସବୁ ଭାଙ୍ଗିଛି ବୋଲି କହୁଛି, ଭକ୍ତ, ସେବାୟତ ଏବେ ବି ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଶ୍ରୀମନ୍ଦିରର ଏତେ ବଡ଼ ବଡ଼ ଚୁଲି ହାତରେ ଭାଙ୍ଗିବା ଅସମ୍ଭବ ‌ବୋଲି ସୁଆର ମହାସୁଆର ସେବକମାନେ କହିଛନ୍ତି।

ପଦ୍ମ ପାଖୁଡ଼ା ଭଳି ୨୪୦ ଚୁଲି
ଶ୍ରୀମନ୍ଦିର ରୋଷଶାଳରେ ଓଡ଼ିଆ ଘରର ପ୍ରତିଛବି ଦେଖିବାକୁ ମିଳେ। ମହାପ୍ରଭୁ ସକାଳୁ ଉଠି ଦାନ୍ତ ଘଷିବା ପରେ ଜଳଖିଆ ଖାଇଥାନ୍ତି। ପରେ ଅନ୍ୟାନ୍ୟ ଦୈନିନ୍ଦିନ ନୀତିକାନ୍ତି ସହ ଦ୍ବିପ୍ରହରରେ ଭୋଜନ, ରାତିରେ ପଖାଳ ଖାଆନ୍ତି। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଏହା ରୋଷେଇ ଘର ବୋଲି କୁହାଯାଏ। ତାଙ୍କ ଆଶୀର୍ବାଦ ନ ଥିଲେ ଶହ ଶହ ଲୋକଙ୍କୁ ମହାପ୍ରସାଦ ଯୋଗାଇବା ଅସମ୍ଭବ ବୋଲି ସୁଆର ମହାସୁଆର ସେବକମାନେ ମତ ଦିଅନ୍ତି। ଶ୍ରୀମନ୍ଦିର ରୋଷଘରେ ସମୁଦାୟ ୨୪୦ଟି ଚୁଲା ରହିଛି। ଏଥିରୁ କୋଠଭୋଗ ପାଇଁ ସ୍ବତନ୍ତ୍ର ଚୁଲି ଓ ବରାଦି ଭୋଗ ପାଇଁ ସ୍ବତନ୍ତ୍ର ଚୁଲି ରହିଛି। ତିନିଥର ରୋଷଘର ଚୁଲିରେ ରନ୍ଧା କାର୍ଯ୍ୟ ହୋଇଥାଏ। କୋଠଭୋଗରୁ ରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥାଏ। ବଲ୍ଲଭ ସାଙ୍ଗକୁ ଅନ୍ୟାନ୍ୟ ଭୋଗନୀତି ପାଇଁ ଏଠାରେ ଭୋଗ ପ୍ରସ୍ତୁତ ହୋଇଥାଏ। ଚୁଲାର ଗଠନ ପଦ୍ମପାଖୁଡ଼ା ଭଳି। ଗୋଟିଏ ଗୋଟିଏ ଚୁଲିରେ ୬ଟି ପଖା (ଜାଳେଣି ଜାଳିବା ବାଟ) ରହିଥାଏ। ଏହି ପଖା ୩ଟି ଥର, ଗୋଟିଏ ତାଳୁ ଓ ୨ଟା ପାଖକୁ ଇନ୍ଧନ ଯୋଗାଇଥାଏ। ଥର, ପାଖ ଓ ତାଳୁ ମଧ୍ୟରେ ବି ଭିନ୍ନତା ରହିଛି। ଥରକୁ ଅଧିକ ଇନ୍ଧନ (ଆଞ୍ଚ) ଯାଇଥାଏ। ଏଣୁ ଏଥିରେ ସଅଳ ରୋଷେଇ ହୋଇଥାଏ। ସେହିଭଳି ପାଖରେ ମଧ୍ୟମ ଧରଣର ଆଞ୍ଚ ଓ ତାଳୁରେ ସବୁଠୁ କମ୍‌ ଆଞ୍ଚ ରହିଥାଏ। ସୁଆରସେବକଙ୍କ ମତରେ ଗୋଟିଏ ଗୋଟିଏ ଚୁଲାରେ ପ୍ରାୟ ୯ କେଜି ଚାଉଳ ଏକାଥରକେ ରନ୍ଧା ହୋଇପାରିବ। ଗୋଟିଏ କେଜି ଚାଉଳ ରାନ୍ଧିବାକୁ ମାତ୍ର ୧୦ ମିନିଟ୍‌ ଲାଗିଥାଏ। ପରେ ଦଉଡ଼ି ସାହାଯ୍ୟରେ ଏହାକୁ ଚୁଲାରୁ ଓହ୍ଲାଯାଇଥାଏ। ୧୦ ମିନିଟ୍‌ରେ ରନ୍ଧା ହେଉଥିବା ଏହି ଅନ୍ନ ପ୍ରାୟ ୫ ଶହ ଲୋକ ଖାଇପାରିବେ।

ରୋଷଘରର ଦାୟିତ୍ବ
ରୋଷଘରର ସୁରକ୍ଷା, ସଫାସୁତରା ୫ ଭିନ୍ନ ସେବକଙ୍କ ହାତରେ ନ୍ୟସ୍ତ ଥାଏ। ଏମାନେ ହେ‌ଲେ ରୋଷ ଦୁଆରି, ରୋଷ ପାଇକ, ଧୋପଖାଳିଆ, ଅଙ୍ଗାରୁଆ ଓ ରବାଡ଼ିଆ। ରୋଷଘରକୁ କିଏ ଗଲା ତା’ ଉପରେ ନଜର ରଖିବା ସହ ଏହାକୁ ସଫାସୁତରା ରଖିବାର ଦାୟିତ୍ବବହନ କରିଥାନ୍ତି ଏମାନେ। ଏଥିରେ ପ୍ରମୁଖ ଦାୟିତ୍ବ ହେଉଛି ରୋଷ ଦୁଆରିଙ୍କର। ରୋଷଶାଳକୁ ଅନୁପ୍ରବେଶ ଉପରେ ଏମାନେ ନଜର ରଖିଥାନ୍ତି। କେଉଁମାନେ ରୋଷଶାଳାକୁ ଯାଉଛନ୍ତି, ତାର ସବିଶେଷ ବିବରଣୀ ରଖିଥାନ୍ତି। ଏମାନେ ରୋଷଘର ପ୍ରବେଶ ଦୁଆର ପାଖରେ ରହିଥାନ୍ତି। ରୋଷ ପାଇକଙ୍କ କାମ ହେଉଛି ରୋଷଶାଳ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ଯାଞ୍ଚ୍‌ କରିବା। ଯଦି କିଛି ଅସୁବିଧା ଥାଏ, ତେବେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ। ଧୋପଖାଳିଆ ରୋଷଶାଳା ଧୁଆଧୋଇ ଓ ସଫାସୁତରା କରନ୍ତି। ରବାଡ଼ିଆ ବି ସଫାସୁତରା ଓ ଅନ୍ୟାନ୍ୟ କାମ କରନ୍ତି। ଚୁଲିରେ ମାଟି, ଗୁଡ଼ର ପ୍ରଲେପ ଦେଇଥାନ୍ତି। ଅଙ୍ଗାରୁଆ ଶ୍ରୀମନ୍ଦିର ରୋଷଚୁଲାରୁ ବାହାରୁଥିବା ଅଙ୍ଗାର ବାହାର କରିଥାନ୍ତି। ପାଞ୍ଚ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ପୁରସ୍କାର ଦେଇଥାଏ। ଏବେ ସମସ୍ତଙ୍କୁ ଡବଲ ପାଳିଆ ପୁରସ୍କାର ପ୍ରଦାନ କରାଯାଉଛି। ଏମାନେ ସବୁ ବ୍ୟବସ୍ଥା ଯାଞ୍ଚ କରିବା ପରେ ରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରତିଦିନ ରାତ୍ରପହୁଡ଼ ପୂର୍ବରୁ ଏମାନେ ସଫାସୁତରା ସହ ସମସ୍ତ ବ୍ୟବସ୍ଥା ଯାଞ୍ଚ କଲା ପରେ ରୋଷଘରେ ତାଲା ପଡ଼ିଥାଏ। ରୋଷ ଦୁଆରି କରାଯାଉଛି, ସେ ଯଦି ଆଜି ବିପଦରେ, ଏଭଳି ନିର୍ମାଣ ଓ ଖନନ ସଂପୂର୍ଣ୍ଣ ‌ବନ୍ଦ କରାଯାଉ ବୋଲି ଲୋକେ କହୁଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଗତ ଫେବ୍ରୁଆରିରେ ଶ୍ରୀମନ୍ଦିର ପରିଦର୍ଶନରେ ଆସି ପ୍ରକଳ୍ପ କାମରେ ଅସନ୍ତୋଷ ବ୍ୟକ୍ତ କରିବା ଏବଂ ୧୦୦ ମିଟର ପରିଧି ନିଷିଦ୍ଧାଞ୍ଚଳ ହୋଇଥିବାରୁ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେବାପରେ ପ୍ରସଙ୍ଗ ବିବାଦୀୟ ହୋଇଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୮ ମସିହାରେ ଜାତୀୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆମସାର ଆଇନ ଲାଗୁ ପରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତିରାଜିର ମାନ୍ୟତା ମିଳିଥିଲା। ୧୯୭୫ ମସିହା ଫେବ୍ରୁଆରି ୩ରେ ଏ ସଂପର୍କିତ ଗାଜେଟ୍‌ ନୋଟିଫିକେସନ୍‌ (୨/୩୪/୭୨-ଏମ୍‌/୩.୨.୧୯୭୫) କରାଯାଇଥିଲା। ପରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଏମଓୟୁ ଅନୁଯାୟୀ, ଶ୍ରୀମନ୍ଦିର ସହ କୁରୁମ ବେଢ଼ା, ବେଢ଼ା ଭିତରେ ଥିବା ୯୫ଟି ପାର୍ଶ୍ବ ଦେବାଦେବୀ ମନ୍ଦିର, ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ। ଅଦ୍ୟାବଧି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି।

ଐତିହ୍ୟ କରିଡର ପ୍ରକଳ୍ପର ରୂପରେଖ
୯ ଭାଗରେ ବିଭକ୍ତ ହେବ ୭୫ ମିଟର ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ। ମେଘନାଦ ପାଚେରିଠାରୁ ୭ ମିଟର ହେବ ବଫର ଜୋନ୍‌। ଏହା ମଧ୍ୟରୁ ୨ ମିଟର ମେଘନାଦ ପାଚେରିର ରକ୍ଷଣାବେକ୍ଷଣ, ୫ ମିଟର ୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପିଣ୍ଡି ଓ ସବୁଜ ବଳୟ ସୃଷ୍ଟି କରାଯିବ। ପରବର୍ତ୍ତୀ ୧୦ ମିଟର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ଉଦ୍ଦେଶ୍ୟରେ ଖୋଲା ରଖାଯିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦିଷ୍ଟ ମାର୍ଗ ଦେଇ ଯିବାର ବ୍ୟବସ୍ଥା ହୋଇଛି। ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ୍‌ ସ୍କେପ୍‌ ଜୋନ୍‌ ରହିବ। ଏହା ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯିବ। ପରବର୍ତ୍ତୀ ୮ ମିଟର ବାହ୍ୟ ପରିକ୍ରମା ମାର୍ଗ ଭାବେ ବ୍ୟବହୃତ ହେବ। ଏହାର ଦୁଇ ପାର୍ଶ୍ବରେ ଗଛ ଲଗାଯିବ। ଏହା ଭକ୍ତ ଓ ପର୍ଯ୍ୟଟକଙ୍କୁ ଛାଇ ପ୍ରଦାନ କରିବାରେ ସହାୟ ହେବ। ଏହା ପରବର୍ତ୍ତୀ ୧୦ ମିଟର ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା ରହିବ। ଏହି ଅଞ୍ଚଳରେ ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିବ। ପରବର୍ତ୍ତୀ ୫ ମିଟରରେ କରିଡରର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ। ୪.୫ ମିଟର ମଧ୍ୟରେ ଜୁରୁରୀକାଳୀନ ସେବା ସୁବିଧା ରହିବ। ୭.୫ ମିଟର ମଧ୍ୟରେ ଟ୍ରାଫିକ୍‌ ଲେନ୍‌ ରହିବ। ଏହା ଯାନବାହନ ପ୍ରସ୍ଥାନ ସହ କରିଡର ସଂଲଗ୍ନ ସାହିକୁ ସଂଯୋଗ କରିବ। ୭ ମିଟର ପାର୍ଶ୍ବବର୍ତ୍ତୀ ସାହି ବାସିନ୍ଦାଙ୍କ ସୁବିଧା ପାଇଁ ବ୍ୟବହୃତ ହେବ। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିବ। ସମସ୍ତ କାମ କଳିଙ୍ଗ ଶୈଳୀରେ ନିର୍ମାଣ କରାଯିବ।

ଶ୍ରୀମନ୍ଦିର ଐତିହ୍ୟ କରିଡରର ଦକ୍ଷିଣ-ପୂର୍ବ ପାର୍ଶ୍ବରେ ପ୍ରାୟ ୮୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ୮ ହଜାର ବ୍ୟକ୍ତିଙ୍କ ସୁବିଧା ନିମନ୍ତେ ଏକ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ଏହା ମଧ୍ୟରେ ନିରାପତ୍ତା ବ୍ୟବସ୍ଥା ପାଇଁ ବ୍ୟାଗ୍‌ ସ୍କାନିଂ ସୁବିଧା ରହିବ। ୪ ହଜାର ପରିବାରର ଜିନିଷ ରଖିବା ପାଇଁ କୋ‌ଠରି ରହିବ। ପାନୀୟ ଜଳ ଓ ଟଏଲେଟ୍‌ ସୁବିଧା, ହାତ ଓ ପାଦ ଧୁଆ ପାଇଁ ବ୍ୟବସ୍ଥା, ସୋଭେନିୟର ଓ ବହି ଷ୍ଟୋର୍‌ ଆଦି ଏହି କେନ୍ଦ୍ର ମଧ୍ୟରେ ଉପଲବ୍ଧ ହେବ। ୩ଟି ଛୋଟ ଜିନିଷ ରଖିବା ଘର, ୩ଟି ସୂଚନା ଓ ଦାନ କେନ୍ଦ୍ର, ୫ଟି ଆଶ୍ରୟ ଘର, ୬ଟି ପୁରୁଷ ଓ ମହିଳା ଶୌଚାଳୟ, ୨ଟି ସେବାୟତଙ୍କ ଶୌଚାଳୟ, ଗୋଟିଏ ପୁଲିସ ସେବାକେନ୍ଦ୍ର, ଗୋଟିଏ ଏଟିଏମ୍‌ କିଓସ୍କୋ, ୧୦୦ ଜଣଙ୍କ ବସିବା ପାଇଁ ଗୋଟିଏ ଭଜନ ମଣ୍ଡପ, ୫ ଶହ ଜଣଙ୍କ ନିମନ୍ତେ ଗୋଟିଏ ସଂସ୍କୃତ ମଣ୍ଡପ ନିର୍ମାଣ କରାଯିବ।

ସଂସଦ ଓ ବିଧାନସଭାରେ ଝଡ଼
ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଖବର ପ୍ରସାରିତ ହେବାପରେ ଏହାକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି। ଜନସାଧାରଣ ତଥା ଭକ୍ତଙ୍କ ପାଇଁ ପ୍ରତିନିଧିତ୍ବ କରୁଥିବା ବିଧାୟକ, ସାଂସଦମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଦେଲେଣି। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି। ଅନେକ ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ବିଧାନସଭା ପରିସରରେ ହୋହଲ୍ଲା କରିଥିଲେ। ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ବରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକମାନଙ୍କୁ ନେଇ ଏକ ବିଧାନସଭା ଗୃହ କମିଟି ଗଠନ କରାଯାଇଛି। କିନ୍ତୁ ଏ ଦିଗରେ କମିଟିର ତତ୍ପରତା ଦେଖିବାକୁ ମିଳିନି। ଏଭଳି ସ୍ଥିତିରେ କମିଟିର କାମକୁ ନେଇ ଭକ୍ତ ମହଲ ସନ୍ଦେହ ପ୍ରକଟ କଲେଣି।

ଅପରାଜିତାଙ୍କ ପ୍ରଶ୍ନ ଓ ପିନାକୀଙ୍କ ମନ୍ତବ୍ୟ
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିର୍ମାଣ ପ୍ରସଙ୍ଗ ଲୋକସଭାରେ ଉଠାଇବା ଓ ପୁରୀ ସାଂସଦ ପିନାକୀ ମିଶ୍ର ଏହାର ପ୍ରତିଉତ୍ତର ରଖିବା ପରେ ଏହାକୁ ନେଇ ରାଜନୈତିକ ମହଲରେ କାଦୁଅ ପିଙ୍ଗା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କୌଣସି ଖନନ ହେଉନି, ମାତ୍ର ୪ଟି ଶୌଚାଳୟ ନିର୍ମାଣ ହେଉଛି ବୋଲି ପିନାକୀଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରୁ ଦୃଢ଼ ବିରୋଧ କରାଯାଇଛି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ଆଜି କୀର୍ତ୍ତିରାଜି ଅସୁରକ୍ଷିତ ହୋଇପଡ଼ିଛି। ଆମ୍‌ସାର୍‌ ଆଇନର ଖୋଲା ଉଲ୍ଲଂଘନ କରି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଦୁଃଖ ଓ ପରିତାପର କଥା ଓଡ଼ିଶା ସରକାର ଆମ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିଷିଦ୍ଧାଞ୍ଚଳ ଓ ରେଗୁଲେଟେ‌ଡ୍‌ ଅଞ୍ଚଳରେ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଏସ୍‌ଆଇ ଓ ଏନଏମଏର କୌଣସି ଅନୁମତି ନିଆଯାଇନି। ଚତୁଃପାର୍ଶ୍ବରେ ଏହି ଖନନ ଫଳରେ ଶ୍ରୀମନ୍ଦିରର ଅନେକ ସ୍ଥାନରେ ଫାଟ ଦେଖାଗଲାଣି। ଆଇନର ଉଲ୍ଲଂଘନ କରି ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚାଉଥିବା ଏହି କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଦରକାର। ପ୍ରତ୍ୟୁତ୍ତର ଦେଇ ପିନାକୀ କହିଛନ୍ତି, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ମୁଁ କିଛି ଭୁଲ୍‌ କହିନି। ଏନ୍‌ଏମ୍‌ଏର ଏନ୍‌ଓସି ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସ୍ବପ୍ନର ପ୍ରକଳ୍ପ। ଯେହେତୁ ସଂସଦରେ ସମୟ ନ ଥିଲା, ସେଥିପାଇଁ ସବୁ କହିବା ସମ୍ଭବ ନ ଥିଲା।

ଆମେ କୌଣସି ଅନୁମତି ଦେଇନୁ: ପ୍ରତ୍ନତତ୍ତ୍ବ ବିଭାଗ
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ପାଇଁ ଆମେ କୌଣସି ଅନୁମତି ଦେଇନୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ନିର୍ମାଣ ଓ ଖନନ ନିଷିଦ୍ଧ ଅଟେ। ଏହାପର ୨ ଶହ ମିଟର ରେଗୁଲେଟେଡ୍‌ ଅଞ୍ଚଳ। ଏଠାରେ ବିନା ଅନୁମତିରେ କାମ କରିହେବନି। ଏଥିପାଇଁ ଏନ୍‌ଏମ୍‌ଏର ଅନୁମତି ଦରକାର। କିନ୍ତୁ କୌଣସି ଅନୁମତି ନ ନିଆଯାଇ, ନିଷିଦ୍ଧାଞ୍ଚଳ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆମେ କୌଣସି ଅନୁମତି ଦେଇନୁ ବୋଲି କହିଛନ୍ତି ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା‌ ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ। ଶ୍ରୀମନ୍ଦିର ଫାଟ ସଂପର୍କରେ ଶ୍ରୀ ମଲ୍ଲିକ କହିଛନ୍ତ, ୨୦୧୮ ମସିହାରେ ନାଟମଣ୍ଡପ ଅନୁଧ୍ୟାନ ବେଳେ କୌଣସି ଫାଟ ନ ଥିଲା କି ଏହାର କୌଣସି ମରାମତି କରାଯାଇନି। ଆଇଆଇଟି ମାଡ୍ରାସ କେବଳ ଏହାର ସ୍ଥିତି ଅନୁଧ୍ୟାନ କରୁଛି ଓ ଏବେ ବି ଅନୁଧ୍ୟାନ ଜାରି ରହିଛି। ସେ ସମୟରେ ଆଇଆଇଟି ମାଡ୍ରାସର ଏକ ଟିମ୍‌ ଶ୍ରୀମନ୍ଦିର ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସମୟରେ କୌଣସି ଫାଟ ଦେଖିବାକୁ ମିଳି ନ ଥିଲା ‌ବୋଲି ସେ ସ୍ପଷ୍ଟ କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟମ ଭିତରେ ହେଉଛି: ଜିଲ୍ଲାପାଳ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ନିୟମ ଭିତରେ ହେଉଛି। ଏନ୍‌ଏମ୍‌ଏ ଅନୁମତି ଅନୁଯାୟୀ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ପ୍ରସଙ୍ଗରେ ଏଭଳି ମତ ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସେ କହିଛନ୍ତି, ଏନଏମଏ ଆମକୁ ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଜିନିଷପତ୍ର ରଖିବା ଘର ଆଦି କରିବାକୁ ଏନ୍‌ଓସି ଦେଇଥିଲା। ସେହି ଆଧାରରେ ନିର୍ମାଣ କାର୍ଯ୍ୟ କରାଯାଉଛି। କୌଣସି ବେଆଇନ କାର୍ଯ୍ୟ କରାଯାଉନି। ଶ୍ରୀମନ୍ଦିର ଫାଟ ସଂପର୍କରେ ଜିଲ୍ଲାପାଳ କହିଛନ୍ତି, ଏହା ପୁରୁଣା ଫାଟ। ପୂର୍ବରୁ ବି ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗକୁ ଜଣାଯାଇଛି। ଏବେ ଶ୍ରୀମନ୍ଦିରରେ କୌଣସି ଫାଟ ସୃଷ୍ଟି ହୋଇନି ବୋଲି ସେ କହିଛନ୍ତି।

ଯଦି ଏନ୍‌ଏମ୍‌ଏ ଅନୁମତି ଅଛି, ସାର୍ବଜନୀନ କର
ଯଦି ସରକାର କି ଶ୍ରୀମନ୍ଦିର ପ୍ରଶାସନ ଏନ୍‌ଏମ୍‌ଏ ଅନୁମତି ଆଣିଛନ୍ତି, ତେବେ ଏହାକୁ ସାର୍ବଜନୀନ କରନ୍ତୁ। ସବୁ ବିବାଦର ଅନ୍ତ ଘଟିଯିବ। ଆଜି ଯେଉଁ ବିରୋଧ ତଥା ଅସନ୍ତୋଷ ଦେଖା‌ ଦେଇଛି, ପ୍ରଶାସନ ଅନୁମତି ପତ୍ର ଦେଖାଇ ଦିଅନ୍ତୁ, ତାହା ଆପେ ଆପେ ଅସନ୍ତୋଷ ପ୍ରଶମିତ ହୋଇଯିବ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି। ଶ୍ରୀଜଗନ୍ନାଥ ସେନା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କୁ ଭି. ବିଦ୍ୟାବତୀ ଭେଟିଙ୍କୁ ଭେଟି ଏ ସଂପର୍କରେ ଦାବିପତ୍ର ପ୍ରଦାନ କରିଛି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଆମେ ବିକାଶ ବିରୋଧରେ ନାହୁଁ, କିନ୍ତୁ ବିକାଶ ନାଁରେ ଶ୍ରୀମନ୍ଦିର ଏଭଳି ବିନାଶ ନ କରାଯାଉ ବୋଲି ସଂଗଠନ ପକ୍ଷରୁ ଡିଜିଙ୍କୁ ଲେଖି ଜଣାଯାଇଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଲାଗିପାରିଲାନି ଦଶାବତାର ମୂର୍ତ୍ତି
‌ବର୍ଷେ କି ଦୁଇ ବର୍ଷ ନୁହେଁ, ୧୦ ବର୍ଷ ବିତିଲାଣି, ତଥାପି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଲାଗି ପାରୁନି ଦଶାବତାର ମୂର୍ତ୍ତି। ଯେଉଁଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ଫୁଙ୍ଗୁଳା ଦିଶୁଛି। ବାରମ୍ବାର ଦଶାବତାର ମୂର୍ତ୍ତି ସ୍ଥାପନ ନେଇ ଦାବି ପରେ ବି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ କର୍ଣ୍ଣପାତ କରୁନି କି ତିଳେମାତ୍ର ଖାତିର କରୁନି। ଫଳସ୍ବରୂପ ଦଶାବତାର ମୂର୍ତ୍ତିଙ୍କୁ ନେଇ ଯେଉଁ ମହାତ୍ମ୍ୟ ରହିଥିଲା, ତାହା ଧୀରେ ଧୀରେ ଜନମାନସରୁ ଲିଭିଯିବାକୁ ବସିଛି।

ପ୍ରତିମା ଚୋରି
୨୦୦୧ ମସିହା ନଭେମ୍ବର ୧୧ ତାରିଖ ରବିବାର ଶ୍ରୀମନ୍ଦିର ଇତିହାସରେ ଘଟିଯାଇଥିଲା ଅନ୍ୟ ଏକ ଚାଞ୍ଚଲ୍ୟକର ଘଟଣା। ଶ୍ରୀମନ୍ଦିରର ଦକ୍ଷିଣ ଘରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଏବଂ ଅମାବାସ୍ୟା ନାରାୟଣଙ୍କ ମୂର୍ତ୍ତି ଚୋରି କରିନେଇଥିଲା ଜଣେ ଦୁର୍ବୃତ୍ତ। ଶନିବାର ରାତ୍ର ପହଡ଼ ପଡ଼ିବା ପରେ ଚୋର ଶ୍ରୀମନ୍ଦିରରେ ଲୁଚି ରହି ଏହି କାଣ୍ଡ ଭିଆଇଥିଲା। ଅଥଚ ଚୋରି କରିବା ‌ପରେ ମୂର୍ତ୍ତି ଶ୍ରୀମନ୍ଦିର ବାହାରକୁ ନେଇ ପାରି ନ ଥିଲା। ଏ ଘଟଣା ଓଡ଼ିଆ ଜନମାନସକୁ ଦୋହଲାଇ ଦେଇଥିଲା। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିରରେ ପହଞ୍ଚି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେବା ପରେ ମୂର୍ତ୍ତି ଖୋଜା ଆରମ୍ଭ ହୋଇଥିଲା।
ସେବାୟତଙ୍କଠାରୁ ନେଇ ଶ୍ରୀମନ୍ଦିର ପରିସର ମଧ୍ୟରେ ମୂର୍ତ୍ତି ଖୋଜୁଥିବା ବେଳେ ଏକ ଅଲୌକିକ ଘଟଣା ଘଟିଥିଲା। ନୀଳାଚଳ ଉପବନରେ ଥିବା କୂଅ ନିକଟରେ ମାଙ୍କଡ଼ଟିଏ ‌ରଡ୍ଡି ଛାଡ଼ିବାରୁ ସେବାୟତମାନେ କୂଅ ଭିତରେ ମୂର୍ତ୍ତି ପଡ଼ିଥିବା ନେଇ ସନ୍ଦେହ କରି ସମ୍ପୃକ୍ତ ଅଧିକାରୀଙ୍କୁ ଏ ବାବଦରେ କହିଥିଲେ। ବାରମ୍ବାର ମାଙ୍କଡ଼ ଆଭାସ ଦେବାରୁ କୂଅରୁ ପାଣି ଶୁଖା ଯାଇ ମୂର୍ତ୍ତି ଖୋଜା ଆରମ୍ଭ ହୋଇଥିଲା। ନଭେମ୍ବର ୧୨ ତାରିଖରେ ସମସ୍ତଙ୍କୁ ରୋଷଘରୁ ଖାଲି କରିବା ପରେ ଚାବି ପକାଇ ଗାରଦରେ ଚାବି ଜମା ଦେଇଥାନ୍ତି। ବଡ଼ସିଂହାର ଭୋଗ ବାହାରିବା ପରେ ଏମାନେ ସଫା କରିବା ସହ ସଂପୂର୍ଣ୍ଣ ବ୍ୟବସ୍ଥା ଯାଞ୍ଚ୍‌ କରି ତାଲା ମାରି ଫେରିଥାନ୍ତି।

ଶ୍ରୀମନ୍ଦିର ରାତ୍ର ପହୁଡ଼ ପୂର୍ବରୁ ତଥା ବନ୍ଦ ହେବା ପୂର୍ବରୁ ମନ୍ଦିରକୁ ସଂପୂର୍ଣ୍ଣ ଶୋଧ କରାଯାଇଥାଏ। ୫ରୁ ଅଧିକ ଜେଟିପି (ଜଗନ୍ନାଥ ଟେମ୍ପୁଲ୍‌ ପୁଲିସ) ଠେଙ୍ଗା ଧରି ଶ୍ରୀମନ୍ଦିର କୋଣ ଅନୁକୋଣ ବୁଲିଥାନ୍ତି। ଯଦି କେହି ରହିଯାଆନ୍ତି, ସେମାନଙ୍କୁ ବାହାରକୁ ତଡ଼ିଥାଆନ୍ତି। ଏହା ପ୍ରତିଦିନ କରାଯାଇଥାଏ। ନୀଳାଚଳ ଉପବନ, କୋଇଲି ବୈଠକ, ଶ୍ରୀମନ୍ଦିର ଭିତର ଓ ବାହାର‌ ବେଢ଼ା, ଶ୍ରୀମନ୍ଦିର ନାଟମଣ୍ଡପ ଓ ଅନ୍ୟାନ୍ୟ ସ୍ଥାନ ସବୁ ଟିକିନିଖି ଯାଞ୍ଚ କରାଯାଇଥାଏ।

ଚୁଲି ଭାଙ୍ଗିଥିଲା ଜଗନ
‘ମହାଲକ୍ଷ୍ମୀ କାହାକୁ କେଞ୍ଚାଏ ତ’ କାହାକୁ ମେଞ୍ଚାଏ ଦେଉଛନ୍ତି। ରୋଷଘରେ କେବଳ ବେପାର ଚାଲିଛି। କିଛି ବି ବ୍ୟବସ୍ଥା ନାହିଁ। ଏଥିପାଇଁ ମନରେ ଅସନ୍ତୋଷ ଓ ଅଭିମାନ ଥିଲା। ଏହି ଅଭିମାନ, ବିତୃଷ୍ଣାରେ ଚୁଲି ସବୁ ହାତରେ ଭାଙ୍ଗିଦେଲି। ପଶିବା ସମୟରେ ରୋଷଘର ଖୋଲା ଥିଲା। କେହି ବି ସୁରକ୍ଷାକର୍ମୀ ନ ଥିଲେ। ପ୍ରାୟ ୨ ଘଣ୍ଟା ରୋଷଘରେ ରହିବା ପରେ ଚାଲି ଆସିଥିଲି। ଜେଟିପିମାନେ ମୋତେ ଦେଖିବା ପରେ ଆଣି ବାହାରେ ଛାଡ଼ି ଦେଇଥିଲେ। ଏକୁଟିଆ ସବୁ ଚୁଲି ଭାଙ୍ଗିଛି। କାହାରି ପ୍ରରୋଚନାରେ ଏଭଳି କରିନି। ମୁଁ ମହାପ୍ରଭୁଙ୍କ ପରମ ଭକ୍ତ। ଭଗବାନଙ୍କ ଉପରେ ରାଗି ଚୁଲି ଭାଙ୍ଗିଦେଇଛି। ଯାହା ବି କରିଛି ପାପ କରିଛି। କିଛି ଚୋରି କରିନି କି କାହାର କ୍ଷତି କରିନି।’ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ‌ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର। ଏହାକୁ ନେଇ ରାଜ୍ୟବ୍ୟାପୀ ଜୋର ଧରିଛି ଚର୍ଚ୍ଚା ଓ ସମାଲୋଚନା। ଗତ କିଛି ଦିନ ହେବ ଜଗନ ଭଗବତ ବିଶ୍ବାସୀ ହୋଇପଡ଼ିଥିଲା। ତେଣୁ ସେ ଗତ ୨ ତାରିଖ ଭୋର ସମୟରେ ତା’ର ବାଇକ୍‌ରେ ପୁରୀ ଆସିଥିଲା। ଶ୍ରୀମନ୍ଦିରରେ ବହୁତ ଗହଳି ହୋଇଥିବାରୁ ସେ ତିନି ଥର ବେଢ଼ା ପରିକ୍ରମା କରିଥିଲା। ଆନନ୍ଦ ବଜାରକୁ ଯାଇ ତଳେ ମହାପ୍ରସାଦ ପଡ଼ିଥିବା ଦେଖି ଅସନ୍ତୁଷ୍ଟ ହୋଇଥିଲା। ଲୋକେ ଖାଇବାକୁ ପାଉନାହାନ୍ତି, ଏଠାରେ ତଳେ ମହାପ୍ରସାଦ ପଡ଼ିଛି ବୋଲି ଭାବି ତଳୁ ଅନ୍ନ ମହାପ୍ରସାଦ ଗୋଟେଇ ଖାଇଥିଲା। ଆନନ୍ଦ ବଜାରରେ ଅବଢ଼ା ତଳେ ପଡ଼ିଥିବା ନେଇ ମନରେ ଅସନ୍ତୋଷ ରହିଥିବା ହେତୁ ସେ ଅଧିକ ମହାପ୍ରସାଦ ରନ୍ଧା ନ ହେଉ ବୋଲି ଭାବି ରୋଷଶାଳାକୁ ଯାଇଥିଲା। ଚୁଲି ଭାଙ୍ଗିଦେଲେ ଅବଢ଼ା କମ୍‌ ରନ୍ଧା ହେବ ଭାବି ରୋଷଶାଳାର ଲାଇଟ୍‌ ଲଗାଇ ଚୁଲି ଭାଙ୍ଗି ଦେଇଥିଲା। ଏହି ସମୟରେ ତାକୁ ଜେଟିପିମାନେ ଦେଖି ସିଂହଦ୍ବାର ଦେଇ ବାହାରକୁ ଛାଡ଼ି ଦେଇଥିଲେ। ବାହାରକୁ ଆସିବା ପରେ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ବୁଲାବୁଲି କରି ଗୁଣ୍ଡିଚା ମନ୍ଦିର ନିକଟକୁ ଯାଇଥିଲା। ସେଠାରେ ନୃସିଂହ ମନ୍ଦିର ଭିତରେ ଥିବା ଗଛରେ ପାଣି ମଧ୍ୟ ଦେଇଥିଲା। ଏହାପରେ ସେ ଟ୍ରେନ୍‌ରେ ବସି ଜଟଣୀ ଯାଇଥିଲା ଏବଂ ସେଠାରୁ ଗାଁକୁ ଫେରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ଗୋକୁଳ ରଞ୍ଜନ ଦାସ ଏବଂ ବାସେଳି ସାହି ଥାନା ଆଇଆଇସି କୁଳମଣୀ ସେଠୀ ପ୍ରମୁଖ ଦେଉଳି ଗାଁକୁ ଯାଇ କୃଷ୍ଣେଶ୍ବର ମନ୍ଦିର ପାଖରୁ ଜଗନକୁ ଧରି ପୁରୀକୁ ଫେରିଥିଲେ।

ମହାପ୍ରଭୁଙ୍କୁ ୧୪ ଘଣ୍ଟା ଅଖିଆଅପୂଜା ରଖିଥିଲେ

୨୦୧୮ ମସିହାରେ ଶ୍ରୀମନ୍ଦିରରେ ମହାବିଭ୍ରା‌ଟ ଦେଖିବାକୁ ମିଳିଥିଲା। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କୁ ୧୫ ଘଣ୍ଟା ଅଖିଆଅପୂଜା ରଖି ଦେଇଥିଲେ ସେବାୟତ। ସକାଳ ଦ୍ବାରଫିଟା ନୀତି ପରେ ସମସ୍ତ ନୀତିକାନ୍ତି ବନ୍ଦ ହୋଇଯାଇଥିଲା। ବହୁ ବାଦବିବାଦ ଭିତରେ ଓ ବିଭିନ୍ନ ମହଲରୁ ସମାଲୋଚନା ପରେ ଶେଷରେ ସଂଧ୍ୟା ୬ଟାରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଘଟଣା ପୂର୍ବଦିନ ଭିତରୁଚ୍ଛ ଭବାନୀ ଦାସମହାପାତ୍ର ନିଜର କିଛି ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାକୁ ଶ୍ରୀମନ୍ଦିର ନେଉଥିଲେ। କିନ୍ତୁ ଯେଉଁ ମହିଳାମାନେ ତାଙ୍କ ସହ ଦର୍ଶନ ପାଇଁ ଯାଉଥିଲେ, ସେମାନଙ୍କ ବେଶଭୂଷା ଭିନ୍ନ ଦେଖାଯାଇଥିଲା। ଚୁଟି କହରା ଥିଲା। ଏଣୁ ଦୁଇ ମହିଳା ହିନ୍ଦୁ କି ଅଣହିନ୍ଦୁ, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ ସିଂହଦ୍ବାରରେ ଥିବା ପୁଲିସ ବାବୁମାନେ। ଏଥିପାଇଁ ଦୁଇ ମହିଳାଙ୍କୁ ସେମାନଙ୍କ ପରିଚୟପତ୍ର ମାଗିଥିଲେ। କିନ୍ତୁ ଦୁଇଜଣ ପରିଚୟ ପତ୍ର ଦେଖାଇ ପାରିନଥିଲେ। ଏଥିରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଭିତରୁଚ୍ଛ ଶ୍ରୀ ଦାସମହାପାତ୍ର ଦୁଇଜଣଙ୍କୁ ମନ୍ଦିର ନେବାକୁ ଜିଦ୍‌ ଧରିଥିଲେ, କିନ୍ତୁ ଦାୟିତ୍ବରେ ଥିବା ପୁଲିସ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଭିତରୁଚ୍ଛ ଶ୍ରୀ ଦାସମହାପାତ୍ର ତାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏହି ଘଟଣା ଉଗ୍ରରୂପ ନେଇଥିଲା। ଏହାର ପ୍ରତିବାଦ ସ୍ବରୂପ ସମସ୍ତ ସେବାୟତ ଆନ୍ଦୋଳନକୁ ଓହ୍ଲାଇଥିଲେ। ନ୍ୟାୟ ଦାବିରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରି ଦେଇଥିଲେ। ସିଂହଦ୍ବାରରେ ଓ ଶ୍ରୀମନ୍ଦିର ଭିତରେ ଧାରଣା ଦେଇଥିଲେ। ଏହା ଫଳରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ପୁଲିସ ଅଧିକାରୀଙ୍କ ଆଲୋଚନା ଏବଂ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଥିଲା।

ବିବାଦରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଓ ଏହାର ରୂପରେଖକୁ ସବୁବର୍ଗର ଲୋକେ ସମର୍ଥନ ଜଣାଉଛନ୍ତି। କିନ୍ତୁ ଏଥିପାଇଁ ଯେଉଁ ଅବୈଧ ନିର୍ମାଣ କରାଯାଉଛି, ତାକୁ ଅଗଣିତ ଭକ୍ତ ଓ ସେବାୟତ ଦୃଢ଼ ବିରୋଧ କରୁଛନ୍ତି। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ଆମସାର ଆଇନ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧିରେ ଖନନ ଓ ନିର୍ମାଣ ନିଷେଧ। ଏହା ପରବର୍ତ୍ତୀ ୨ ଶହ ମିଟର ରେଗୁଲେଟେଡ୍‌ ଅଞ୍ଚଳ ଘୋଷଣା କରାଯାଇଛି। ନିୟମାନୁଯାୟୀ ୧୦୦ ମିଟର ନିଷିଦ୍ଧାଞ୍ଚଳରେ କୌଣସି ପରିସ୍ଥିତିରେ ନୂଆ ନିର୍ମାଣ କି ଖନନ ହୋଇପାରିବନି। ୨ ଶହ ମିଟର ରେଗୁଲେଟେଡ୍‌ ଅଞ୍ଚଳରେ ନିର୍ମାଣ ଓ ଖନନ ହୋଇପାରିବ, କିନ୍ତୁ ଏଥିପାଇଁ ଏନ୍‌ଏମ୍‌ଏର ଅନୁମତି ନେବା ଜରୁରୀ। ଏନ୍‌ଏମ୍‌ଏ ଆମସାର ଆଇନ-୧୯୫୮, ସେକ୍ସନ୍‌-୨ (ଡିସି) ଆଧାରରେ ପ୍ରକଳ୍ପ ଅନ୍ତର୍ଭୁକ୍ତ କେବଳ ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍ଟ୍ରିକାଲ୍‌ ରୁମ୍‌, ଜିନିଷ ରଖିବା ଘର, ପାଦଚଲା ଓ ବିଶ୍ରାମ ଜାଗାକୁ ଅନୁମତି ଦେଇଛି। କିନ୍ତୁ ଦାନ କିଓସ୍କୋ, ଆଶୁ ଚକିତ୍ସା କେନ୍ଦ୍ର, ଅଭ୍ୟର୍ଥନା କେନ୍ଦ୍ର, ପୁଲିସ ସେବା କେନ୍ଦ୍ର, ଏଟିଏମ୍‌ କିଓସ୍କୋ ନିର୍ମାଣକୁ ମନା କରି ଦେଇଛି। ଯଦି କରିବାର ଅଛି, ଏହାର ସ୍ପଷ୍ଟ ସ୍ଥାନ ଦର୍ଶାଅ, ନଚେତ୍‌ ଏହାକୁ ରେଗୁଲେଟେଡ୍‌ ଅଞ୍ଚଳ (୧୦୦ ମିଟରର ନିଷିଦ୍ଧାଞ୍ଚଳ ପରେ ଥିବା ୨ ଶହ ମିଟରରେ)କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପ୍ରସ୍ତାବ ଭିନ୍ନ ଭାବେ ପଠାଇବାକୁ କୁହାଯାଇଛି। ଯଦି ୧୦୦ ମିଟର ପରିଧି ଭିତରେ ଖନନ ହେବ ଏହା ଶ୍ରୀମନ୍ଦିର ପ୍ରତି ବିପଦ ବୋଲି ସତର୍କ କରାଯାଇଛି।

ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସରକାର ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜରିଆରେ ବିନା ଅନୁମତିରେ ଅବୈଧ ଖନନ ଓ ନିର୍ମାଣ ଜାରି ରଖିଛନ୍ତି। ତାହା ପୁଣି ଶ୍ରୀମନ୍ଦିରଠାରୁ ମାତ୍ର ୨୫ ଫୁଟ୍‌ ଦୂରରେ। ମନ୍ଦିର ଚାରିପଟେ ଏସ୍କାଭେଟର, ଭାଇବ୍ରେଟର, ବଡ଼ ବଡ଼ ଜେସିବି ଲଗାଇ ୨୦ରୁ ୨୫ ଫୁଟ୍‌ ଗର୍ତ୍ତ ସୃଷ୍ଟି କରାଯାଇଛି। କେଉଁ ଗାତର ଓସାର ୩୦ ଫୁଟ୍‌ ଓ ୪୦/୫୦ ଫୁଟ୍‌ ଲମ୍ବ ତ’ କେଉଁ ଗାତର ଓସାର ଓ ଲମ୍ବ ଏହାଠାରୁ ଅଧିକ। ଯାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କଲାଣି। ଏ ଭିତରେ ନାଟମଣ୍ଡପ, ଜୟ-ବିଜୟ ଦ୍ବାର, ଘଣ୍ଟିଦ୍ବାର, ବେହେରଣ ଦ୍ବାର, ରତ୍ନଭଣ୍ଡାର ବାହାର କାନ୍ଥ ଆଦିରେ ବଡ଼ ବଡ଼ ଫାଟ ସୃଷ୍ଟି ହେଲାଣି। ଏହା ପୁରୁଣା ନୁହେଁ, ନୂଆ ଫାଟ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ ସ୍ପଷ୍ଟ କରିବା ପରେ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି। ଭକ୍ତ ଓ ସେବାୟତଙ୍କ ସମେତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଓ ମହାପ୍ରଭୁଙ୍କ ଭଲ ପାଉଥିବା କୋଟି କୋଟି ଓଡ଼ିଆ ଏହା ବିରୋଧରେ ଆନ୍ଦୋଳନର ସ୍ବର ଉଠାଇଛନ୍ତି। ଯେଉଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ଏହି ପ୍ରକଳ୍ପ ହିଁ ୮୦ ଫୁଟ ଗଭୀର ଏବଂ ଏହା ମଧ୍ୟରେ ୨୦ ଫୁଟ୍‌ ଜଳରାଶି ବିଶିଷ୍ଟ କୂଅରୁ ପାଣି ଶୁଖାଯିବା ପରେ ଅଗ୍ନିଶମ ବାହିନୀର ଧରଣୀଧର ବରାଳ ମୂର୍ତ୍ତି ଖୋଜି ପାଇଥିଲେ। ଶେଷରେ ୧୮ କେ.ଜି. ଓଜନ ବିଶିଷ୍ଟ ଅଷ୍ଟଧାତୁ ନିର୍ମିତ ମଦନମୋହନ ମୂର୍ତ୍ତି ମିଳିଯାଇଥିଲା ସିନା କିନ୍ତୁ ୬ କେ.ଜି ଓଜନ ବିଶିଷ୍ଟ ନାରାୟଣ ମୂର୍ତ୍ତି ମିଳି ନଥିଲା। ଏନେଇ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। କିଛି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ଏ ଘଟଣା‌ରେ ଓଡ଼ିଶା ପୁଲିସ ସେତେ‌ବେଳେ ୨୨ ବର୍ଷୀୟ ଅଷ୍ଟ୍ରେଲିଆ ଅଧିବାସୀ ହାସିନ୍‌ ହଗ୍‌ଲାଣ୍ଡ୍‌ ଓ ଆଉ ଜଣେ ବିଦେଶୀଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା। ଏହା ପୂର୍ବରୁ ସେଇ ବର୍ଷ ନଭେମ୍ବର ୬ ତାରିଖରେ ଲିଙ୍ଗରାଜ ମନ୍ଦିରରୁ ୧୫ ଲକ୍ଷ ଟଙ୍କାର ମୂର୍ତ୍ତି ସମେତ ବହୁ ଦାମୀ ଅଳଙ୍କାର ଚୋରି ହୋଇଯାଇଥିବାରୁ ସେଥିରେ ସମ୍ପୃକ୍ତ ଚୋର ଏହି ଘଟଣାରେ ଜଡ଼ିତ ଥିବା ନେଇ ସନ୍ଦେହ ବଢ଼ିଥିଲା। ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଥିଲା। ପୁଲିସ୍‌ ଗାଡ଼ି ଯାଞ୍ଚ କରି ପଚରା ଉଚରା କରିଥିଲା। ମୂର୍ତ୍ତି ଚୋରା ଚାଲାଣ କରୁଥିବା ଅପରାଧୀମାନଙ୍କୁ ପଚରାଉଚରା କରିଥିଲା। ଶେଷରେ ଚୋର ଧରାପଡ଼ିଥିଲା। ୨୦୦୭ ଏପ୍ରିଲ ୨୨ ତାରିଖରେ ଛତିଶଗଡ଼ ରାଜ୍ୟ ଭିଲାଇର ବାସିନ୍ଦା ସନ୍ତୋଷ ଦାସ ଧରାପଡ଼ିଥିବା ବ‌େଳେ ଚୋରି କରିଥିବା ନେଇ ସିବିଆଇ କୋର୍ଟରେ ପ୍ରମାଣିତ ହେବା ପରେ ତାକୁ ୯ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଏଥିସହ ଅନ୍ୟ ମୂର୍ତ୍ତିକୁ ତରଳାଇ ନଷ୍ଟ କରିଥିବା ଅଭିଯୋଗରେ ବ୍ରହ୍ମପୁରର ଏକ ଜୁଏଲର୍ସର ଦୁଇ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବଟ ଗଣେଶଙ୍କ ରୁପାକୁଣ୍ଡଳ, ଶାଳଗ୍ରାମ ଚୋରି
୨୦୧୧ ଜୁଲାଇ ୩୦ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପାର୍ଶ୍ବ ଭିତର ବେଢ଼ାରେ ଥିବା ବଟ ଗଣେଶଙ୍କ ଦୁଇଟି ରୁପା କୁଣ୍ଡଳ ତଥା କାନର ଅଳଙ୍କାର ଚୋରି ହୋଇଯାଇଥିଲା। ଏହାର ୧୦ ବର୍ଷ ପୂର୍ବରୁ ରୁପାରେ ନିର୍ମିତ ସେଇ ଦୁଇ କର୍ଣ୍ଣକୁଣ୍ଡଳ ଜଣେ ଭକ୍ତ ଦାନ କରିଥିବା ବ‌େ‌ଳେ ଏହାକୁ ବି ଚୋରାଇ ନେଇଥିଲେ। ୨୫୦ ଗ୍ରାମ ଓଜନର ରୁପା ନିର୍ମିତ କର୍ଣ୍ଣ କୁଣ୍ଡଳ ଶୋଭା ବର୍ଦ୍ଧନ କରୁଥିଲେ ହେଁ ଏହା ଉପରେ ବି ଚୋରର ନଜର ପଡ଼ିଥିଲା। କିନ୍ତୁ ଉକ୍ତ ମନ୍ଦିରର ଦ୍ବାର ନଭାଙ୍ଗି ଚୋରି ହେବା ପ୍ରସଙ୍ଗ ଆଶ୍ଚର୍ଯ୍ୟ କରିଥିଲା। ତେଣୁ ସିଂହଦ୍ବାର ଥାନା ପୁଲିସ ଦୁଇ ପୂଜକଙ୍କୁ ସନ୍ଦେହ ଘେରକୁ ଆଣି ପଚରାଉଚରା କରିଥି‌ଲା।

ସେତେବେଳେ ପ୍ରାୟ ୫୦ ଜଣ ପୁଲିସ କର୍ମୀ ମନ୍ଦିରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ ହେଁ ଏଭଳି ଚୋରି ଘଟଣା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ପୂର୍ବରୁ ୧୯୮୪ ମସିହାରେ ଶ୍ରୀମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀଙ୍କ ସୁନା ମୁକୁଟ ଚୋରି ହୋଇଯାଇଥିଲା। ସେହିପରି ୨୦୧୯ ମସିହା ଏପ୍ରିଲ୍‌ ୨ ତାରିଖରେ ଶ୍ରୀମନ୍ଦିର ପରିସରସ୍ଥ ରାମମନ୍ଦିରରୁ ଦୁଇଟି ଶାଳଗ୍ରାମ ସହ ଦାନବାକ୍ସ ତାଲା ଭାଙ୍ଗି ଟଙ୍କା ଚୋରି ହୋଇଥିଲା। ଏଇ ଘଟଣାର ମାତ୍ର କିଛିଦିନ ପରେ ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟର ଗେଟ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ‌ହୋଇଥିବା ଅଭିଯୋଗ ହୋଇଥିଲା। ସିଂହଦ୍ବାର ଥାନା ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ଯାଞ୍ଚ କରି ଅନୁସନ୍ଧାନ ଚଳାଇଥିବା ‌େବ‌ଳେ ଏହି ଘଟଣାରେ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା। ଆନନ୍ଦ ବଜାରରେ ଜଣେ ସେବକ ଅମୁଣିଆ ପ୍ରସାଦ (ମହାପ୍ରଭୁଙ୍କୁ ଅର୍ପଣ ହୋଇନଥିବା) ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା।

ଭାଇରାଲ୍‌ ହୋଇଛି ଶ୍ରୀମନ୍ଦିର ଭିତର ଚିତ୍ର
ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବା ବାରଣ ‌ରହିଛି। ମାତ୍ର କୋହଳ କଟକଣା ଯୋଗୁଁ ଅଧିକାଂଶ ସମୟରେ ଶ୍ରୀମନ୍ଦିର ଭିତର ଚିତ୍ର ଭାଇରାଲ୍‌ ହୋଇଛି। କିଛି ବ୍ୟକ୍ତି ମନ୍ଦିର ଭିତରେ ସେଲ୍‌ଫି ନେଇ ଭାଇରାଲ୍‌ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଥାପି ଏହା ନିୟନ୍ତ୍ରଣକୁ ଆସିପାରିନାହିଁ। ୨୦୧୮ରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସବ୍‌ଇନିସ୍‌ପେକ୍ଟର ମହାଳୟାରେ ବାଇଶିପାହାଚରେ ପିଣ୍ଡଦାନ କରୁଥିବା ବ‌େଳେ ଏହି ଫଟୋ ଭାଇରାଲ୍‌ ହୋଇଥିଲା। ଏହି ଘଟଣାରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ବିଭିନ୍ନ ସମୟରେ ପୁଲିସ, ଜେଟିପି ତଥା ଭକ୍ତମାନେ ସେଲ୍‌ଫି ଉଠାଇ ଦଣ୍ଡିତ ହୋଇଛନ୍ତି।

ଶ୍ରୀମନ୍ଦିରରେ ଅସଦାଚରଣ

ଶ୍ରୀମନ୍ଦିର ମଧ୍ୟରେ ଜଣେ ବରିଷ୍ଠ ସେବାୟତ ନାବାଳକଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ଏହି ନିନ୍ଦନୀୟ ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ଏନେଇ ସିଂହଦ୍ବାର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ନିର୍ଯାତନାର ଶିକାର ହୋଇଥିବା ନାବାଳକଙ୍କ ବାପା ଜଣେ ସେବାୟତ ହୋଇଥିଲେ ହେଁ ଦୃଷ୍ଟିହୀନ ହୋଇଥିବାରୁ ତାଙ୍କୁ ତାଙ୍କ ପୁଅ ଶ୍ରୀମନ୍ଦିରକୁ ନେବା ଆଣିବା କରନ୍ତି। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବ‌େଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ତେବେ ନାବାଳକ ପୁଅ ଭୁବନେଶ୍ବରୀ ମନ୍ଦିରରେ ଦର୍ଶନ କରୁଥିବା ବ‌େଳେ ଲକ୍ଷ୍ମୀ ମନ୍ଦିର ସେବାୟତ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥଲା। ଏ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କରାଯାଇଥିଲା। ୨୦୧୮ ମସିହା ଜୁନ୍‌ ମାସରେ ଯୁବତୀଙ୍କୁ ଜଣେ ସେବାୟତ ଅଶାଳୀନ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ସିଂହଦ୍ବାର ଥାନା ଏନେଇ ମାମଲା ରୁଜୁ କରିବା ସହ ସନ୍ତୋଷ କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଇବର୍ଷ ଶ୍ରୀଜିଉଙ୍କ ନୀତିକାନ୍ତ ବନ୍ଦ ନେଇ ବିଭ୍ରାଟ ଘଟିଥିବା ବ‌େଳେ ମନ୍ଦିର ଭିତରେ ଜଣେ ନାବାଳିକାଙ୍କୁ ଜୟ ବିଜୟ ଦ୍ବାର ନିକଟ‌ ବାହାର କାଠରେ କର୍ତ୍ତବ୍ୟରତ ଜଣେ ପୁଲିସ କର୍ମୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସିଂହଦ୍ବାର ଥାନାରେ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଏତଲା ଦିଆଯାଇଥିଲା।

ଗଡୁଛି ସେବାୟତଙ୍କ ମୁଣ୍ଡ

ଓଡ଼ିଶା ସରକାର ଶ୍ରୀମନ୍ଦିର ପରିଚାଳନା ପାଇଁ ନାନା ପ୍ରକାର ଯୋଜନା ଠାରୁ ଆରମ୍ଭ କରି ଅନେକ ନବକଳେବର ମଧ୍ୟ କରି ସାରିଲେଣି। ଫଳରେ ଏକଦା ଶ୍ରୀଜୀଉମାନଙ୍କର ସେବା କରି ମଧ୍ୟ ଆର୍ଥିକ ଅନଟନରେ ଚଳୁଥିବା କେତେକ ସେବାୟତ କୋଟିପତି ମଧ୍ୟ ହେଲେଣି। କୋଟିପତି ସେବାୟତଙ୍କୁ ଦେଖି ଅନ୍ୟ ସେବାୟତମାନଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଲାଣି। ସତେ ଯେମିତି ସେମାନଙ୍କ ମଧ୍ୟରେ ଧନୀ ହେବାର ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯାହାର ପରିଣତିରେ ସେବାୟତମାନଙ୍କର ମୁଣ୍ଡ ଗଡୁଛି। ଗତ ୧୫ ବର୍ଷ ମଧ୍ୟରେ ତିନି ଜଣ ଜଣାଶୁଣା ସେବାୟତଙ୍କର ହତ୍ୟା ହୋଇଛି। ପ୍ରଥମେ ହାତୀ ଷଡ଼ଙ୍ଗୀ, ପରେ ଗୁନ ସିଂହାରୀ ଏବଂ ନିକଟରେ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି। ତିନି ଜଣ ଯାକ ସେବାୟତଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ତିନିଜଣ ଥିଲେ ଶ୍ରୀମନ୍ଦିରର ବରିଷ୍ଠ ସେବକ ଏବଂ ସେମାନେ ଏକଦା ସେବାୟତଙ୍କ ନେତୃତ୍ବ ନେଉଥିଲେ। ଗତ ୨୦୦୭ ମସିହା ଅଗଷ୍ଟ ମାସ ୩୦ ତାରିଖ ରାତି ପ୍ରାୟ ସାଢ଼େ ନଅଟା ସମୟରେ ଉତ୍ତମ କୁମାର ଷଡ଼ଙ୍ଗୀ ଓ ତାଙ୍କ ଭାଇ ହାତୀ ଓରଫ ଅଜୟ କୁମାର ଷଡ଼ଙ୍ଗୀ ଦୁହେଁ ବାସେଳି ସାହିରୁ ଉତ୍ତରଦ୍ବାର ଦେଇ ସିଂହଦ୍ବାର ସମ୍ମୁଖରେ ଥିବା ତାଙ୍କ ଲଜ୍‌କୁ ଆସୁଥିଲେ। ଏହି ସମୟରେ ସେମାନେ ବଡ଼ ଆଖଡ଼ା ମଠ ତଥା ସୂଚନାକେନ୍ଦ୍ର ସମ୍ମୁଖରେ ପହଞ୍ଚିବା ବେଳକୁ କେତେକ ଅଭିଯୁକ୍ତ ହାତୀଙ୍କ ଛାତିକୁ ଫାଇରିଂ କରି ଫେରାର ହୋଇଯାଇଥିଲେ। ଏହି ମାମଲାରେ ଅକ୍ଷୟ ମହାପାତ୍ର, ଗେଡ଼ା ପ୍ରଫୁଲ୍ଲ ଓରଫ ପ୍ରଫୁଲ୍ଲ ସାହୁ, ଗୋପାଳ ଦାସ, ରଞ୍ଜୁ ପଟ୍ଟନାୟକ ଓ ନରି ଓରଫ ନରସିଂହ ମହାପାତ୍ର ସମ୍ପୃକ୍ତ ଥିବା ନେଇ ପୁଲିସ ତଦନ୍ତରୁ ଜାଣିପାରିଥିଲା। ତେଣୁ ପୁଲିସ ପୂର୍ବରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ଗତ ୨୦୨୦ ମସିହା ଅକ୍ଟୋବର ୨୨ ତାରିଖ ଦିନ ଦୁଇ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନଥିଲା। ଏବେ ଏହି ମାମଲାରେ ପୁଲିସ ବାସେଳି ସାହି ଥାନା ଅନ୍ତର୍ଗତ ବାଲି ସ୍କୁଲ ପାଖରେ ରହୁଥିବା ଗୋପାଳ ଦାସ(୪୫) ଓ ଧାନକୁଟି ସାହିର ରଞ୍ଜୁ ରଞ୍ଜିତ ପଟ୍ଟନାୟକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ ଶଙ୍କର ଖୁଣ୍ଟିଆଙ୍କ ପୁଅ ମାଧବ ଖୁଣ୍ଟିଆ ରହିଥିବା ନେଇ ୨୦୨୦ ମସିହାରେ ପୁରୀରେ ଏସ୍‌ପି ଥିବା ଅଖିଳେଶ୍ବର ସିଂ ଏକ ପ୍ରେସ ବିବୃତିରେ ଜଣାଇଥିଲେ। ବର୍ତ୍ତମାନର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହିତ ମାଧବର ପୂର୍ବରୁ ବିବାଦ ରହିଥିଲା। ତେଣୁ ଏହି ବିବାଦକୁ କେନ୍ଦ୍ର କରି ଜୟନ୍ତଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ
୨୦୧୨ ମସିହା ଅଗଷ୍ଟ ମାସ ୨୨ ତାରିଖ ଅପରାହ୍ନ ପ୍ରାୟ ଛଅଟା ସମୟରେ ପଞ୍ଚୁଆତି ଜାଗା ନିକଟରେ ପୂର୍ବତନ ପୌର ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗୁନ ସିଂହାରୀ ଓରଫ ତଳୁଚ୍ଛ ଭଗବାନ ମହାପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଢ଼ୋକ, ହରି, ତିଲୁ, ଭୀମ, ପପୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ। ଏହି ହତ୍ୟାଭିଯୁକ୍ତମାନଙ୍କୁ ସୁପାରି ଦେଇଥିବା କାଳିଆ ଓରଫ କୃଷ୍ଣଚନ୍ଦ୍ର ପଢ଼ିଆରୀକୁ ପୁଲିସ କୋରାପୁଟରୁ ଗିରଫ କରିଥିଲା। ଗୁନକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା କାଳିଆ ସହିତ ଗୁନର ଜମି ବିବାଦ ରହିଥିଲା। ଏହି ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ହାତ ରହିଥିବା ନେଇ ଗୁନଙ୍କ ମା ସନ୍ଦେହ କରିଥିଲେ। ଗତ ୨୦୧୪ ମସିହା ‌ଫେବୃଆରୀ ମାସ ୨୧ ତାରିଖ ରାତିରେ ଅମଲା କ୍ଲବ ନିକଟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ପୁଲିସ ୨୦୧୪ ମସିହା ମାର୍ଚ୍ଚ ମାସ ୧ ତାରିଖ ଦିନ ଚକା ଓରଫ ଅମିତ ବିକ୍ରମ ହରିଚନ୍ଦନ, କାଳୁ ଓରଫ ସତ୍ୟନାରାୟଣ ପାଣିଗ୍ରାହୀ, ମହାବଳ ଓରଫ ଲୋକନାଥ ମିଶ୍ର, ଜଗନ୍ନାଥ ପଣ୍ଡା ଓ ମାନସ ରଞ୍ଜନକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ସେମାନଙ୍କୁ ସୁପାରି ଦେଇଥିବା ଗୁନଙ୍କ ମା ଶ୍ରଦ୍ଧାମଣୀ ମହାପାତ୍ରଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।

ଗତ ଜାନୁଆରୀ ୧୯ ତାରିଖ ଦିନ। ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହୋଇଯିବା ପରେ ଗୁନଙ୍କ ଭାଇ ଓ ପୁତୁରା ମଧ୍ୟରେ ଲଜ୍ଜା ଭାବନା ଆସିଥିଲା। ଶ୍ରୀମନ୍ଦିର ପରିସରରେ ଯେତେବେଳେ ଗୁନଙ୍କ ବଡ଼ଭାଇ କାଳିଆ ସିଂହାରୀ ଓରଫ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦ ଓରଫ ତଳୁଚ୍ଛ ଆଶିଷ ମହାପାତ୍ରଙ୍କୁ କାଳିଆ ପଢ଼ିଆରୀଙ୍କ ସମର୍ଥକମାନେ କମେଣ୍ଟ ମାରିଲେ, ସେତେବେଳେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ କରିଥିଲା। ଏପରିକି ଦୋଳଗୋବିନ୍ଦଙ୍କୁ କାଳିଆର ପିଲାମାନେ ଠେଲାପେଲା କରିବା ସହିତ ଲଜ୍ଜିତ କରାଉଥିଲେ। ତେଣୁ କାଳିଆଙ୍କୁ ରାସ୍ତାରୁ ହଟାଇବା ପାଇଁ ବାପ ପୁଅ ଦୁହେଁ ମହେଶ୍ବର ମହାନ୍ତିଙ୍କୁ ଗୁଳି କରିଥିବା କାଳୁ ଓରଫ ସତ୍ୟନାରାୟଣ ପାଣିଗ୍ରାହୀକୁ କହିଥିଲେ। କାଳିଆ ପଢ଼ିଆରୀଙ୍କୁ ହତ୍ୟା କରିବା ପାଇଁ କାଳୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଏହି ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ କାଳିଆ ପଢ଼ିଆରୀଙ୍କୁ ହତ୍ୟା କରାଯାଇଥିଲା।

ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ, ତା’ର ପୁଅ ଦୋଳଗୋବିନ୍ଦ ସିଂହାରୀ ସମେତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରଚଣ୍ଡି ସାହି ବାରବାଟି ଯାଗା ନିକଟସ୍ଥ ପଟ୍ଟନାୟକ ଲେନ୍‌ର ବାବା ମହାପାତ୍ର ଓରଫ ଆଶିଷ ମହାପାତ୍ର, ହରିହର ପଣ୍ଡା, ମଣିକର୍ଣ୍ଣିକା ସାହି ପାଟ୍ଟଯୋଷୀ ଲେନ୍‌ର କାଳୁ ଓରଫ ସତ୍ୟନାରାୟଣ ପାଣିଗ୍ରାହୀ , ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳୁପାଟଣାର ଟୁଲିଆ ଓରଫ ସନ୍ଦୀପ ଜେନା ଓ ଗୁଳି ଯୋଗାଇଥିବା ରେଣ୍ଢାର ମୁନା ଓରଫ ରଶ୍ମିରଞ୍ଜନ ପାତ୍ରକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ତେବେ ଆଗାମୀ ଦିନରେ ଆହୁରି ମୁଣ୍ଡ ଗଡ଼ିବ ବୋଲି ଚର୍ଚ୍ଚା ମଧ୍ୟ ହେଉଛି।

ସମ୍ବନ୍ଧିତ ଖବର