ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ତେଜିଲାଣି। ଆରମ୍ଭରୁ ସରକାରୀ କଳର ବ୍ୟାପକ ଦୁରୂପଯୋଗ ହେଉଥିବା ଅଭିଯୋଗ ଆଣି ଆଜି ଭାରତୀୟ ଜନତା ପାର୍ଟିର ୫ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରୀ କଳର କିପରି ଦୁରୂପଯୋଗ କରାଯାଉଛି, ସେ ସଂକ୍ରାନ୍ତ ଦସ୍ତାବିଜ ଓ ନଥିପତ୍ର ସହ ରିପୋର୍ଟ ଦାଖଲ କରିଛନ୍ତି ବିଜେପି ନେତାମାନେ। ବିଜେପି ଅଭିଯୋଗ କରିଛି, ବିନା ମଞ୍ଜୁରିରେ ଉପନିର୍ବାଚନ ପାଇଁ ରାଜ୍ୟ ସରକାର ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ ଜିଣିବାପାଇଁ ସରକାରୀ ଅର୍ଥକୁ ଯେଉଁଭଳି ହିସାବ ନଥାଇ ଖର୍ଚ୍ଚ କରାଯାଉଛି, ସେଭଳି ଦୃଷ୍ଟାନ୍ତ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ବରଗଡ଼ ଜିଳ୍ଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ବିଜେଡି ଅଫିସ୍‌ରେ ପରିଣତ ହୋଇଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ବିଜେପି ଆହୁରି କହିଛି, ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ତାଙ୍କ ଭାଇଙ୍କ ଦ୍ୱାରା ବାହାରୁ ଭଡାଟିଆ ଗୁଣ୍ଡା ଅଣାଯାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଯାଉଛି। ପ୍ରତ୍ୟେକ ବୁଥ୍‌ ପାଇଁ ମାଇକ୍ରୋ ଅବଜରବର୍‌ଙ୍କୁ ପଠାଇବା ଏବଂ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଭୋଟରମାନଙ୍କୁ ଭୟର ବାତାବରଣରୁ ଦୁରରେ ରଖିବାପାଇଁ ଅର୍ଦ୍ଧସାମରିକ ବଳକୁ ଉପଯୁକ୍ତ ସ୍ଥାନମାନଙ୍କରେ ନିୟୋଜିତ କରିବା ଲାଗି ଉକ୍ତ ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ନିର୍ବାଚନ ସେଲ୍‌ର ଅଧ୍ୟକ୍ଷ ଓମ୍‌ ପାଠକ ଏବଂ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସାମିଲ୍‌ ଥିଲେ।

Advertisment

ଅନ୍ୟପକ୍ଷରେ ଏହା ଉପରେ ବିଜେଡି ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ୟସଭା ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି, ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେହିଭଳି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ବିଜେପି ବିଜେପୁର ଉପନିର୍ବାଚନରେ ହାରିବା ନିଶ୍ଚିତ ଜାଣି ନାଟକବାଜି କରୁଛି। ଆଗକୁ ହତାଶ ହୋଇ ଏଭଳି ଅନେକ ଡ୍ରାମା କରିବ। ଏହା ଲୋକମାନଙ୍କୁ ପ୍ରଭାବିତ କରିପାରିବ ନାହିଁ। ବିଜେପି ଯୁଦ୍ଧ ପୂର୍ବରୁ ପଛଘୁଞ୍ଚା ଦେଇ ପଳାୟନ ପନ୍ଥୀ ହୋଇଛି ତାହା ବିଜେପିର ଆଚରଣ ଓ ଉଚ୍ଚାରଣରୁ ଜଣାପଡୁଛି ବୋଲି ଶ୍ରୀ ନାୟକ କହିଛନ୍ତି।