ପିପିଲି ପୀଡ଼ିତା ରାୟକୁ ନେଇ ରାଜନୀତି

ପୀଡ଼ିତା ପରିବାରକୁ ମିଳିଛି ନ୍ୟାୟ: ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ବର: ପିପିଲି ବେବିନା ମୃତ୍ୟୁ ଘଟଣାର ରାୟ ଆସିବା ପରେ ଜୋର ଧରିଛି ରାଜନୀତି। ପିପିଲି ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ପୀଡିତା ପରିବାରକୁ ନ୍ୟାୟ ମିଳିଛି । ବେବିନାକୁ କିଏ ମାରିଛି ବୋଲି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର ଥିଲା ନିଆରା। ମନ୍ତ୍ରୀଙ୍କ କହିବା କଥା, ବେବିନାକୁ କିଏ ମାରିଲା ସେଥିପାଇଁ ସେତେବେଳର ସମୟ ଦାୟୀ । ସବୁପକ୍ଷ ଓ ପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ଠିକ ବିଚାର କରିଥିବା କହିଛନ୍ତି ମନ୍ତ୍ରୀ। ସେତେବେଳେ ଛବିରାଣୀ ପରିବାରକୁ ନ୍ୟାୟ ମିଳିଥିଲା ଏବେ ବେବିନା ହତ୍ୟା ଘଟଣାରେ କୋର୍ଟଙ୍କ ରାୟ ବେବିନା ପରିବାର ପାଇଁ ମଙ୍ଗଳ । ବିଜେପି ମହିଳା ମୋର୍ଚ୍ଚା କିନ୍ତୁ ମନ୍ତ୍ରୀଙ୍କ କଥାକୁ ସହଜରେ ଗ୍ରହଣ କରିନି ।

ନ୍ୟାୟ ମନ୍ତ୍ରୀଙ୍କୁ ମିଳିଛି: ବିଜେପି ମହିଳା ମୋର୍ଚ୍ଚା
ଆନ୍ଦୋଳନକୁ ଓହ୍ଲାଇବ ମହିଳା କଂଗ୍ରେସ

ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନ୍ୟାୟ ପୀଡ଼ିତାର ପରିବାରକୁ ମିଳିନି କୋର୍ଟଙ୍କ ରାୟ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ନ୍ୟାୟ ପ୍ରଦାନ କରିଛି । ଅନ୍ୟପଟେ ମହିଳା କଂଗ୍ରେସ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ବୋଲି ଦେଇଛି ଚେତାବନୀ । ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, କୋର୍ଟଙ୍କ ରାୟକୁ କ୍ଷମତାର ଅପପ୍ରୋୟଗ କରି ପ୍ରଭାବିତ କରିଛନ୍ତି ମନ୍ତ୍ରୀ ମହାରଥୀ । ତା ନହୋଇଥିଲେ ଦୀର୍ଘ ୬ବର୍ଷ ପରେ ପୀଡ଼ିତାର ପରିବାରୁ ନ୍ୟାୟ ମିଳିବା କଥା କହିନଥାନ୍ତେ ମହାରଥୀ । ମନ୍ତ୍ରୀ ପ୍ରଦୀପ ମହାରଥୀ ଯେଭଳି ପ୍ରତିକ୍ରିୟା ରଖିଛନ୍ତି ତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗକୁ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଘେରାଉ କରାଯିବା ସହ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିବ ମହିଳା କଂଗ୍ରେସ ।

ସମ୍ବନ୍ଧିତ ଖବର