କୋଣାର୍କ ଜଳ ନିଷ୍କାସନ ଚିଠି ପରେ ତେଜିଲା ରାଜନୀତି

ସହରାଞ୍ଚଳ ଜଳ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍‌, ବିଜେପି ହୀନ ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର: କୋଣାର୍କ ମନ୍ଦିର ପରିସରରୁ ଜଳ ନିଷ୍କାସନ ପାଇଁ ଗତକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହାକୁ ନେଇ ବିଜେପି-ବିଜେଡି ପରସ୍ପର ବିରୋଧରେ ବୟାନବାଜି ଆରମ୍ଭ କରିଦେଇଛନ୍ତି। ସହରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟା କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ନେଇ ବିଜେପି ହୀନ ରାଜନୀତି କରୁଛି ବୋଲି ଆରୋପ ଲଗାଇଛି ବିଜେଡି। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଲେ, ବିଶ୍ୱ ଐତିହ୍ୟ କୀର୍ତ୍ତିରାଜି କୋଣାର୍କରେ ପାଣି ଜମିବା ନିଶ୍ଚିତ ଚିନ୍ତାର ବିଷୟ। ତୁରନ୍ତ ଏହି ସମସ୍ୟାର ସମାଧାନର ରାସ୍ତା କଢ଼ାଯିବା ଆବଶ୍ୟକ। ଗୋଟିଏ ପଟେ ରାଜ୍ୟ ସରକାର କୋଣାର୍କରେ ଜଳ ନିଷ୍କାସନ ପାଇଁ କେନ୍ଦ୍ରକୁ ଚିଠି ଲେଖୁଥିଲା ବେଳେ ଅନ୍ୟ ପଟେ ସହରାଞ୍ଚଳରେ ଜଳବନ୍ଦୀ ହେଉଥିବା ଲୋକଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ଆଖି ବୁଜିଦେବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଲୋକଙ୍କୁ ଆହୁରି କଷ୍ଟ ଦେଉଛି। ୨୦୧୪ରେ ରାଜ୍ୟ ସରକାର ସହରାଞ୍ଚଳର ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କା ଘର, ଟଙ୍କିକିଆ ଚାଉଳ, ଶୁଦ୍ଧ ପାନୀୟ ଜଳ, ପକ୍କା ରାସ୍ତା ଓ ଡ୍ରେନେଜ୍‌ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବର୍ଷା ଦିନେ ଜଳ ଜମିବନି ବୋଲି ସରକାର ଜୋର୍‌ ଦେଉଥିଲେ। କିନ୍ତୁ ୧୮ ବର୍ଷର ଶାସନ ପରେ ସରକାରଙ୍କ ଅପାରଗତା ଯୋଗୁଁ କେବଳ ବସ୍ତିବାସିନ୍ଦା ନୁହଁନ୍ତି, ସାରା ସହରବାସୀ ଯନ୍ତ୍ରଣାର ଶିକାର ହେଉଛନ୍ତି। କଟକ-ଭୁବନେଶ୍ୱରରେ ସ୍ୱେରେଜ୍‌ ଓ ଡ୍ରେନେଜ୍‌ କାମ ଦୀର୍ଘ ଦିନ ଧରି ଶେଷ ହେଉ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ ଓ ସଂଗ୍ରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିର ଏହି ଆରୋପର ଜବାବ ଦେଇଛି ବିଜେଡି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି, କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ଅଛି। ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଜମିବା ଯୋଗୁଁ ପର୍ଯ୍ୟଟକମାନେ ଅସୁବିଧା ଭୋଗୁଛନ୍ତି ଓ ଏହା କୋଣାର୍କର ଅବକ୍ଷୟର କାରଣ ହେଉଛି। ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କଲେ। କିନ୍ତୁ ବିଜେପି ଏହାକୁ ବିରୋଧ କରିବା ହୀନ ରାଜନୀତି। ଓଡ଼ିଶାବାସୀ ଏପରି ରାଜନୀତିକୁ ଗ୍ରହଣ କରିବେ ନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିବା ଓ କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଏକା କଥା ନୁହେଁ। ବିଜେପି କର୍ମକର୍ତ୍ତାମାନେ ଏହା ନ ବୁଝିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର