କାମାକ୍ଷାନଗର : ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳଲାଇନ୍ର ଲୋକାର୍ପଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ କରିଛନ୍ତି। ଏହି ଅବସରରେ କାମାକ୍ଷାନଗର ରେଳଷ୍ଟେସନ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ମାଇକ୍ ଛଡ଼ାଇ କହିବାରୁ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ମଞ୍ଚ ଛାଡ଼ି ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଥିବାବେଳେ ଏହା ସମଗ୍ର ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି।
ଅନୁଗୁଳ- ସୁକିନ୍ଦା ରେଳଲାଇନ୍ର ଲୋକାର୍ପଣ ଅବସରରେ କାମାକ୍ଷାନଗର ରେଳଷ୍ଟେସନଠାରେ ରେଳବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ। ବିଭାଗ ପକ୍ଷରୁ କାମାକ୍ଷାନଗର ଏନ୍ଏସି ନଗରପାଳ ଧର୍ମାନନ୍ଦ ପରିଡ଼ା, ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, ମଣ୍ଡଳ ସଭାପତି ସନ୍ଦୀପ ପଟ୍ଟନାୟକଙ୍କୁ ମଞ୍ଚାସୀନ କରାଯାଇଥିଲା। ହେଲେ, ମଞ୍ଚରେ କେବଳ ମନ୍ତ୍ରୀ ଓ ସାଂସଦ ନିଜର ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନଙ୍କୁ କହିବାର ସୁଯୋଗ ଦିଆଯାଇ ନଥିଲା।
ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ରେଳ ବିଭାଗକୁ ସମାଲୋଚନା କରି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମନ୍ତ୍ରୀ ଓ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ସ୍ବତନ୍ତ୍ର ଚିଠି ହୋଇଥିଲା। ଚିଠି ହୋଇଥିବା ନିର୍ଧାରିତ ସମୟରେ ମନ୍ତ୍ରୀ ଓ ସାଂସଦ ଷ୍ଟେସନ୍ରେ ପହଞ୍ଚିଥିବା ବେଳେ କୌଣସି କର୍ମଚାରୀ ସ୍ବାଗତ କରିବା ଦୂରର କଥା ଉପସ୍ଥିତ ନ ଥିଲେ। ପୁନଶ୍ଚ ଦୁଇଜଣ ନିମନ୍ତ୍ରିତ ହୋଇଥିବାବେଳେ ପୂର୍ବତନ ସାଂସଦ ଓ ଅନ୍ୟମାନଙ୍କୁ ମଞ୍ଚରେ ବସାଇବା ଥିଲା ରେଳବିଭାଗର ମହାନତା ବୋଲି ସାଂସଦ କଟାକ୍ଷ କରିଥିଲେ। ବିଜେପି ନେତାଙ୍କ ପ୍ରତି ସାଂସଦଙ୍କ ଏହି କଟାକ୍ଷ ପରେ ବିଜେପିର ଉପସ୍ଥିତ କୌଣସି ନେତାଙ୍କୁ ମଞ୍ଚରେ କହିବାର ସୁଯୋଗ ମିଳି ନଥିଲା। ଶେଷ ପର୍ଯ୍ୟାୟରେ ରେଳ ବିଭାଗ ପକ୍ଷରୁ ଧନ୍ୟବାଦ ଦେବାସମୟରେ ପୂର୍ବତନ ସାଂସଦ ଶ୍ରୀ ପାଣି ନିଜଆଡ଼ୁ ଯାଇ ମାଇକ୍ ଛଡ଼ାଇ ନିଜ ବକ୍ତବ୍ୟ ରଖିଥିଲେ। ସେ ପ୍ରୋଟକଲ୍ କଥା କହି ଭାଷଣ ଆରମ୍ଭ କରୁକରୁ ସଭା କାର୍ଯ୍ୟ ସରି ନଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ମଲ୍ଲିକ, ସାଂସଦ ଶ୍ରୀ ସାହୁ ଓ ନଗରପାଳ ଶ୍ରୀ ପରିଡ଼ା ମଞ୍ଚରୁ ଓହ୍ଲାଇ ଯାଇଥିଲେ। ପୂର୍ବତନ ସାଂସଦଙ୍କ ଭାଷଣ ବେଳେ ମନ୍ତ୍ରୀ ଓ ସାଂସଦଙ୍କ ମଂଚରୁ ଉଠିଯିବାରୁ ଏକ ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଥିଲା।
ଏ ସଂପର୍କରେ ସାଂସଦ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଲେ, ରେଳ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନେତାମାନଙ୍କୁ ଡକାଇ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ, ସେ ବିଷୟରେ ରେଳ କର୍ତ୍ତୃପକ୍ଷ କହିପାରିବେ। ତେବେ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନ ରହିବା କଥା ସାଂସଦ ଶ୍ରୀ ସାହୁ ଉଠାଇଥିଲେ। ସେହିପରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ, ସଭା କାର୍ଯ୍ୟ ଶେଷ ହେଲା କହିବା ପରେ ମୁଁ ଆସିଥିଲି। ଏ ବିଷୟରେ ପୂର୍ବତନ ସାଂସଦ ଶ୍ରୀ ପାଣିଙ୍କୁ ପଚାରିବାରୁ ସେ ମଞ୍ଚକୁ ଡକାଯାଇ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ।