କଟକ ଦଶହରାରେ ରାଜନୈତିକ ଚର୍ଚ୍ଚା

କଟକ : ଦୁଇବର୍ଷ ଜାକଜମକରେ କଟକ ଦଶହରା ପାଳନ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବେଳେ ଏଥର ପୂଜା ଆୟୋଜନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରାସ୍ତାରେ ଅସମ୍ଭାଳ ଭିଡ ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ସାଜସଜ୍ଜା କଟକର ପରିବେଶକୁ ବଦଳାଇ ଦେଇଛି। ଏଭଳି ସ୍ଥିତିରେ ବିଭିନ୍ନ ପୂଜାକୁ ନେଇ ବିଭିନ୍ନ ରାଜନୈତିକ ଦଳର ଗତିବିଧି ବି ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

କଟକର ଗଣପର୍ବ ଦଶହରାର ସାରା ରାଜ୍ୟରେ ରହିଛି ସ୍ବତନ୍ତ୍ର ଆକର୍ଷଣ। ଦଶହରା ସମୟରେ କଟକ ଭାଇଚାରାର ନିଦର୍ଶନ ସ୍ବରୂପ ଜାତି, ଧର୍ମ, ଦଳ ନିର୍ବିଶେଷ‌ରେ ସମସ୍ତଙ୍କୁ ଏକାଠି ହେବାର ଦେଖିବାକୁ ମିଳେ। କିନ୍ତୁ, ଜନସଂପର୍କ ଅଭିଯାନକୁ ଅଧିକ ଦୃଢ଼ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ରାଜ୍ୟ ମୁଖ୍ୟମାନେ ମଣ୍ଡପ ପରିଦର୍ଶନ କରିବା‌ର ପରମ୍ପରା ଅନେକବର୍ଷରୁ ରହି ଆସିଛି। ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାସମୟରେ, ଏମିତିକି ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ସମୟରେ କଟକର ପୂଜା ମଣ୍ଡପ ପରିଦର୍ଶନ ଏକ ପରମ୍ପରା ଭାବେ ପାଳନ ହୋଇ ଆସୁଥି‌ଲା। ସେହି ଧାରାରେ ଅନ୍ୟ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାମାନେ ମଧ୍ୟ ଦଶହରା ସମୟରେ କଟକର ପୂଜା ମଣ୍ଡପ ପରିଦର୍ଶନ କରୁଥିଲେ।

ବିଜେଡି ପାଇଁ କାମ ଚଳାଇଲେ ମନ୍ତ୍ରୀ ଅଶୋକ ପଣ୍ଡା
ସୁରେଶଙ୍କୁ ଧରି ବୁଲିବେ ପିସିସି ସଭାପତି ଶରତ ପଟ୍ଟନାୟକ
ବିଜେପି ରାଜ୍ୟ ନେତାଙ୍କ କାର୍ଯ୍ୟକ୍ରମକୁ ନେଇ ସୂଚନା ନାହିଁ

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାର ପ୍ରଥମପାଳିରେ ବି ଏହି ଧାରାରେ କଟକର ପୂଜା ମଣ୍ଡପ ପରିଦର୍ଶନ ପାଇଁ ଲଗାତାର ଭାବେ ତିନି ବର୍ଷ ଆସିଥିଲେ। କିନ୍ତୁ, କେତେକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଦଶହରା ସମୟରେ ପୂଜା ମଣ୍ଡପ ପରିଦର୍ଶନ କରିବାକୁ ଆସୁ ନଥିବା ବେଳେ ଶାସକ ଦଳ ପକ୍ଷରୁ ଅନ୍ୟ ମନ୍ତ୍ରୀମାନେ ଏହି ପରମ୍ପରା ବଜାୟ ରଖି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ବି ତାଙ୍କର ପୂଜା ମଣ୍ଡପ ପରିଦର୍ଶନ କାର୍ଯ୍ୟକ୍ରମ ନାହିଁ। ବିଜେଡିର ବରିଷ୍ଠ ନେତା ଭାବେ ସହର ବାହାରୁ ଚଳିତବର୍ଷ ମନ୍ତ୍ରୀ ଅଶୋକ ପଣ୍ଡା ଆସି କଟକର ବିଭିନ୍ନ ପୂଜାମଣ୍ଡପ ସୋମବାର ଦିନ ପରିଦର୍ଶନ କରିଛନ୍ତି। ଅବଶ୍ୟ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ବିଧାୟକ ସୌଭିକ ବିଶ୍ବାଳ, ମେୟର ସୁବାସ ସିଂହ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି।

ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କଟକ ଆସି ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ସହିତ ଶରତ ପଟ୍ଟନାୟକ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବେ ବୋଲି ସୂଚନା ଜାରି କରାଯାଇଛି। କିନ୍ତୁ, ବାରବାଟୀ-କଟକ ବିଧାନସଭା ଆସନ ଅକ୍ତିଆର କରି ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ସଫଳତା ଦେଇଥିବା ଇଂ. ମହମ୍ମଦ ମୋକିମ୍‌ ଶରତ ପଟ୍ଟନାୟକଙ୍କ ସହିତ ମଣ୍ଡପ ପରିଦର୍ଶନ କରିବେ କି ନାହିଁ, ଦଳ ପକ୍ଷରୁ ସେ ସଂପର୍କରେ ସୂଚନା ଦିଆଯାଇ ନାହିଁ। ଏହାକୁ ନେଇ ସାଧାରଣରେ ବି ଆଲୋଚନା ଜାରି ରହିଛି।

ଅନ୍ୟପଟେ ବିଜେପି ପକ୍ଷରୁ ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ସମୀର ଦେ ତାଙ୍କର ଲମ୍ବା ରାଜନୈତିକ ଇନିଂସରେ କଟକର ପୂଜା ପରିବେଶକୁ ସରଗରମ କରି ରଖି ଆସୁଥିଲେ। ସେ ପ୍ରତ୍ୟକ୍ଷ ଭାବେ ପୂଜା ଆୟୋଜନ ସହ ସଂପୃକ୍ତ ରହୁଥିଲେ। ତିନି ଥର ବିଧାୟକ ଏବଂ ଏକାଧିକ ବିଭାଗର ମନ୍ତ୍ରୀ ରହିବାସମୟରେ ଶ୍ରୀ ଦେ ଦଳର ବରିଷ୍ଠ ନେତା ମାନଙ୍କୁ ଆଣି କଟକର ବିଭିନ୍ନ ମଣ୍ଡପ ପରିଦର୍ଶନ କରାଉଥିଲେ। ଶ୍ରୀ ଦେଙ୍କ ଶାରୀରିକ ଅସୁସ୍ଥତାରେ ବିଜେପି ବି କଟକ ଦଶହରାରେ ଚମକ ହରାଇଥିବା ଅନୁଭବ ହେଉଛି। ଦଳର କୌଣସି ରାଜ୍ୟସ୍ତରୀୟ ନେତା ଏଯାଏ କଟକ ଦଶହରା ବୁଲିବାକୁ ଆସି ନଥିବା ବେଳେ ପ୍ରମୁଖ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବି ଏଯାଏ କୌଣସି ସୂଚନା ନାହିଁ।

ସମ୍ବନ୍ଧିତ ଖବର