ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାରକୁ ନେଇ ହଟଚମଟ

ଭୁବନେଶ୍ୱର : ବିଜେଡି ୨୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୁରୀ ତାଳବଣିଆ ପଡ଼ିଆରେ ଶକ୍ତି ପ୍ରଦର୍ଶନ କଲା। ଏହା ଯେତିକି ଚର୍ଚ୍ଚାର ବିଷୟ ନଥିଲା ତାହାଠାରୁ ଢେର୍‌ ଅଧିକ ଚର୍ଚ୍ଚାର ବିଷୟ ଥିଲା ‘ସମ୍ବାଦ’ ସମେତ ଅନେକ ଓଡ଼ିଆ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର। ବିଜେଡି ପ୍ରତିଷ୍ଠା ହେବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଦୈନିକ ମୁଦ୍ରିତ ଗଣମାଧ୍ୟମରେ ଏଭଳି ସାକ୍ଷାତକାର ଦେଇ ନଥିଲେ। ଆଗକୁ ବିଜେପୁର ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନର ସମ୍ଭାବନା ଥିବାରୁ ତାଙ୍କର ଏହି ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି।

ସାକ୍ଷାତକାର ବେଳେ କେନ୍ଦ୍ରର ଅବହେଳା ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳର ଗୁରୁତ୍ୱ, ବିକାଶ ଏବଂ ରାଜ୍ୟରେ ମନ୍ତ୍ରୀ-ଅମଲାତନ୍ତ୍ର ସଂପର୍କରେ ମୁଖ୍ୟମନ୍ତ୍ରୀ ମନଖୋଲା ଆଲୋଚନା କରିଛନ୍ତି। ସରକାର-ବିରୋଧୀ ହାଓ୍ଵାକୁ ତାଙ୍କର ଭୟ ନାହିଁ, ସାଢ଼େ ଚାରି କୋଟି ଓଡ଼ିଆ ହେଉଛନ୍ତି ତାଙ୍କର ପରିବାର ଏବଂ ଏହି ପରିବାର ପାଇଁ ସେ ସମର୍ପିତ ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଗୋଟିଏ ବାର୍ତ୍ତା ଦେଇଛନ୍ତି ଯେ ବିଜେଡି ହିଁ ଓଡ଼ିଶାରେ ପଞ୍ଚମ ପାଳି ଆରମ୍ଭ କରିବ। ଏଥିପାଇଁ ଜନତା ଜନାର୍ଦ୍ଦନଙ୍କ ସମର୍ଥନ ଲୋଡ଼ିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଦରକାର। ଓଡ଼ିଶାର ବିକାଶରେ ଆଞ୍ଚଳିକ ଦଳ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା ବିଜେଡି ପ୍ରମାଣିତ କରିଛି। କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ପୋଲାଭରମ୍‌ ପ୍ରସଙ୍ଗରେ ଏବଂ ଏବେକାର ବିଜେପି ସରକାର ମହାନଦୀକୁ ନେଇ ଆମକୁ ଠକିଛନ୍ତି। ଆମ ସହ ବିଶ୍ୱାସଘାତ କରିଛନ୍ତି। ଏହା ସାଢେ ଚାରିକୋଟି ଓଡ଼ିଆ ଜାଣିଛନ୍ତି। ତେଣୁ ଆମେ ଯେଉଁଭଳି କେନ୍ଦ୍ରରେ ଶାସନ କରୁଥିବା ସରକାର ଠାରୁ ସମଦୂରତା ରକ୍ଷା କରିଛୁ ତାହା ଆଗାମୀ ଦିନରେ ବି ଜାରି ରହିବ।

ସେ କହିଛନ୍ତି ଯେ ବିଜେପି ଓଡ଼ିଶାରେ ଶାସନ କରିବାକୁ ସ୍ୱପ୍ନ ଦେଖୁଥିଲେ ହେଁ ଏହା ସାକାର ହେବନି। ଓଡ଼ିଶାବାସୀଙ୍କର ଆମ ଉପରେ ପୂରା ବିଶ୍ୱାସ ଅଛି। ଏହା ପୂର୍ବରୁ ପ୍ରମାଣିତ ହୋଇଛି ଓ ଆଗାମୀ ଦିନରେ ବି ପ୍ରମାଣିତ ହେବ। ଓଡ଼ିଶାବାସୀ କୃଷିର ବିକାଶରୁୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ମାତୃ ଓ ଶିଶୁ ମୃତ୍ୟୁହାର କମିବା, ଦାରିଦ୍ର୍ୟ ସୀମାରେଖା ଉପରକୁ ୮୦ଲକ୍ଷ ଲୋକଙ୍କୁ ନେବା ଦେଖୁଛନ୍ତି। ମୁଁ ଓ ମୋ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ତାହା ପ୍ରମାଣିତ ହୋଇଛି। କୌଣସି କ୍ଷେତ୍ରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି। ବିଜେଡି ସରକାର ଯେଉଁଭଳି ଉନ୍ନତିମୂଳକ କାର୍ଯ୍ୟ କରୁଛି ଏଠାରେ ସରକାରୀ ବିରୋଧୀ ହାଓ୍ଵା କାଟୁ କରିବନି। ମୋ ସରକାର ଏକ ଗଣତନ୍ତ୍ରର ସରକାର। ଏଠାରେ ମନ୍ତ୍ରୀ, ବିଧାୟକ ଓ ଅମଲା ସେମାନଙ୍କ କାର୍ଯ୍ୟ କରୁଛନ୍ତି। କେବଳ ଅମଲା ଶାସନ ଚାଲିଛି କହିବା ଭୁଲ୍‌ ବୋଲି ନବୀନ କହିଛନ୍ତି।

ସେ ଆହୁରି କହିଲେ, ଆମେ କୌଣସି ବିରୋଧୀକୁ ନ୍ୟୂନ ମଣୁନୁ। ଚାଲେଞ୍ଜରୁ ହିଁ ସୁଯୋଗ ସୃଷ୍ଟି କରିବୁ। ସେହିଭଳି କଂଗ୍ରେସକୁ ଅଣଦେଖା କରିହେବନି। ପଞ୍ଜାବ ଓ ଗୁଜୁରାଟରେ କଂଗ୍ରେସ ଯେପରି ସଫଳତା ପାଇଛି ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର