ବୀରମହାରାଜପୁର: ନିର୍ବାଚନ ତାରିଖ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ବଢୁଛି। ଏହା ସହିତ ଦଳ ବଦଳ ସହିତ ମିଶ୍ରଣ ପର୍ବ ଜାରି ରହିଛି। ଏକ ମାସ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ୫ ଜଣ ବରିଷ୍ଠ ନେତା ଆଜି ବିଜେପି ଶିବିରରେ ମିଶିଛନ୍ତି। ଏମାନେ ହେଲେ ପ୍ରେମାନନ୍ଦ ଜଟି, ହରିହର ପାତ୍ର, ପ୍ରମାଦ କୁମାର୍ ମହାପାତ୍ର, ଗଣେଶ ପଧାନ ଓ ରାଜେଶ ସେଠୀ।
ସୂଚନାଯୋଗ୍ୟ, ଦଳରୁ ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କୁ କଂଗ୍ରେସ ଟିକଟ ନମିଳିବାରୁ ଅସନ୍ତୁଷ୍ଟ ଥିବା ଯୁବ ସଙ୍ଗଠକ ତଥା ପୂର୍ବତନ ଜିଲ୍ଲା ଓବିସି ସଭାପତି ପ୍ରେମାନନ୍ଦ ଜଟି ଓ ବିଜେପିର ପୂର୍ବତନ ମଣ୍ଡଳ ସଭାପତି କଂଗ୍ରେସରେ ଯୋଗ ଦେଇ ଜିଲ୍ଲା ଓବିସି ସେଲର ସଭାପତି ହୋଇଥିଲେ। ସେ ମଧ୍ୟ ଗତମାସ ୨୪ ତାରିଖରେ ବିଜେଡ଼ିର ସାମିଲ ହୋଇଥିଲେ। କିନ୍ତୁ ବିଜେଡ଼ି ଅଣଦେଖା କରିବାରୁ ଶନିବାର ସନ୍ଧ୍ୟାରେ ସୁବଳୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି। ଏହା ସହିତ ବରିଷ୍ଠ କଂଗ୍ରେସ ନେତା ତଥା ସୁବଳୟା ସରପଂଚ ପ୍ରମୋଦ ମହାପାତ୍ର ୧୫ ଦିନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ମଧ୍ୟ କୈାଣସି ଦଳରେ ସାମିଲ ହୋଇନଥିଲେ ।
ଆଜି ସୁବଳୟାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ, ବିଜେପି ନେତା ପଦାର୍ଥ ଜଗଦଲାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ତାଙ୍କ ସହିତ ସପ୍ତାହେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ଅନୁସୂଚିତ ମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ସେଠୀଙ୍କ ପୁଣି ଘର ବାହୁଡ଼ା କରିଛନ୍ତି। ଗଣେଶ ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ବିଜେପି ଦଳରେ ସାମିଲ ହେବାପରେ ସୁବଳୟା, ଜଟେସିଙ୍ଘା ଓ ଖଣ୍ଡହଥା ପଞ୍ଚାୟତ ତଥା ବୀରମହାରାଜପୁର ବ୍ଲକରେ ଆହୁରି ଦଳ ସକ୍ରିୟ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/4bff4559-f2b9-469d-84ec-aafda30d3711.jpeg)
