ଭୁବନେଶ୍ବର: କାହା ସ୍ବାର୍ଥରେ ବେଦାନ୍ତ କମ୍ପାନି ପାଇଁ ଓକିଲାତି କରୁଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ। ଏପରିକି ଏହି ତିନି ଦଳ ପ୍ରତିନିଧିମାନେ ପୃଥକ ଭାବରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁଭଳି ଭାବରେ ବିଭିନ୍ନ ଜନଆନ୍ଦୋଳନର ନେତୃମଣ୍ଡଳୀ ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମହାନ୍ତି ଏବଂ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାୟଗଡ଼ା ଏବଂ କଳାହାଣ୍ଡିର ଆଦିବାସୀବର୍ଗଙ୍କ ପାଖକୁ ଯାଇପାରିବେ ନାହିଁ ବୋଲି ଧମକ ଦେଲେ ଏହା ସମ୍ବିଧାନର ଧାରା ୨୧ରୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ।

Advertisment

ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମ୍ବିଧାନର ଧାରା ୫୧-ଏ(ଜି) ଅନୁସାରେ, ଅବିଚାରିତ ଖଣି ଖନନ ଦ୍ବାରା ପରିବେଶ ଧ୍ବଂସ ହେଉଥିଲେ ଏହାର ପ୍ରତିବାଦ ଏକ ସାମ୍ବିଧାନିକ କର୍ତ୍ତବ୍ୟ। ରାଜ୍ୟରେ ବେଦାନ୍ତ କମ୍ପାନି ପ୍ରତିବର୍ଷ ହଜାର-ହଜାର କୋଟି ଟଙ୍କାର ସେସ୍‌ ଠକୁଛନ୍ତି। କିନ୍ତୁ ଏଥିରେ ରାଜନୈତିକ ଦଳଗୁଡ଼ିକ ନିରବ କାହିଁକି ରହୁଛନ୍ତି? ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନ ଅନୁଯାୟୀ, ଗ୍ରାମସଭାର ବିନା ସହମତିରେ ପ୍ରାକୃତିକ ସମ୍ପଦକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ। ତେଣୁ ବେଆଇନ ଖଣି ଲିଜ୍‌ ପ୍ରଦାନକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଯଥାର୍ଥ ଅଟେ। ଜନଆନ୍ଦୋଳନ ନେତା, ପରିବେଶବିତ୍ ଏବଂ ସାମାଜିକ କର୍ମୀମାନେ ସେମାନଙ୍କୁ କେବଳ ସହଯୋଗ କରୁଛନ୍ତି। ବକ୍ସସାଇଟ ଶେଷ ହୋଇଗଲେ ପ୍ରକୃତି ମରିଯିବ ବୋଲି ସଚେତନ କରୁଛନ୍ତି। କାଶୀପୁର ଓ ବାଫିଳିମାଳିରେ ଚାଲିଥିବା ଖଣି ଖନନ ଯୋଗୁଁ ଝରଣା ଶୁଖିଗଲାଣି, ନଦୀ ବିଷାକ୍ତ ହେଲାଣି।

ସିଜିମାଳି, କୁଟ୍ରୁମାଳିରେ ଖଣି ଖନନ ହେଲେ କାଶୀପୁର ଥୁଆମୂଳ-ରାମପୁର ମରୁଭୂମି ପାଲଟିଯିବ। ଖଣି ଓ ଜଙ୍ଗଲ ହସ୍ତାନ୍ତର ଆଇନ ସମ୍ମତ ହୋଇନଥିବାରୁ ପରିବେଶ ମଞ୍ଜୁରୀ ପାଇ ଜନଶୁଣାଣି ଠିକ ନୁହେଁ। ବେଦାନ୍ତ ଏବଂ ମୈତ୍ରୀ ଭଳି କମ୍ପାନିର ଟଙ୍କାରେ ବିରୋଧ ବା ସମାଲୋଚନା ଜନ ଆନ୍ଦୋଳନକୁ ମାରିପାରିବ ନାହିଁ। ଜନଶୁଣାଣିର ଠିକ ପୂର୍ବରୁ ବେଦାନ୍ତର ଠିକା କମ୍ପାନି ମୈତ୍ରୀ ଓ ପୁଲିସ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଆଦିବାସୀ ଏବଂ ଦଳିତଙ୍କୁ ଗିରଫ କରି ମାଡ଼ ମାରିବା ଏବଂ ଜେଲରେ ରଖିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ଅଟେ। ଅଗଷ୍ଟ ୨୯ ତାରିଖରେ ପ୍ରଫୁଲ୍ଲ ସାମନ୍ତରାଙ୍କୁ କିଏ ଅପହରଣ କଲା ତା’ର କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କାଶିପୁର, ଗିରଫ କରାଯାଇଥିବା ନିୟମଗିରିର ଖଣି ବିରୋଧୀ ସମସ୍ତଙ୍କୁ ଖଲାସ, ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ଲକ୍ଷ୍ମୀପ୍ରିୟା ମହାନ୍ତି, ଇନସାଫର ନରେନ୍ଦ୍ର ମହାନ୍ତି, ଲୋହିଆ ଏକାଡେମିର ସମ୍ପାଦକ ଦେବରାୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।