ଦଳୀୟ କାର୍ଯ୍ୟାଳୟ ଲାଗି ୧୨.୩୮ କୋଟି ଦେଇ ବିଜେଡି ଓ ୨୫.୮୧ କୋଟି ଟଙ୍କା ଦେଇ ବିଜେପି ଜମି କିଣିଛନ୍ତି

ରାଜନୈତିକ ଦଳମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର: ରାଜନୈତିକ ଦଳମାନଙ୍କୁ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବା ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ତାଙ୍କ ଅନୁଯାୟୀ ବିଜେଡିକୁ ୧ ଏକର ୧୮୩ ଡିସିମିଲ ଜାଗା ଯୋଗାଇ ଦିଆଯାଇଛି। ବେଞ୍ଚ ମାର୍କ ଅନୁଯାୟୀ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ଦରରେ ଏହି ଜମି ଯୋଗାଇ ଦିଆଯାଇଛି। ବିଜେଡି ୧୨ କୋଟି ୩୮ ଲକ୍ଷ ଟଙ୍କା ଦେଇ ଏହି ଜମି କିଣିଛି। ବିଜେପିକୁ ଦୁଇଟି ପ୍ଲଟ ଯୋଗାଇ ଦେଇଛନ୍ତି ସରକାର। ୨୫ କୋଟି ୮୧ ଲକ୍ଷ ଟଙ୍କା ଦେଇ ଏହି ଦୁଇଟି ପ୍ଲଟ କିଣିଛି ବିଜେପି।

ସେ ଆହୁରି କହିଛନ୍ତି ଯେ, ଅତୀତରେ ରାଜଧାନୀ ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟ ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କା ମୂଲ୍ୟରେ ୫୦୦ ଡିସିମିଲ, ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଏବଂ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮ ଶହ ୬୧ ଟଙ୍କା ୩୪ ପଇସା ମୂଲ୍ୟରେ ୧୨୯ ଡିସିମିଲ ପରିମିତ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଥିଲେ ।

ଏହି ବର୍ଷ ବିଜୁ ଜନତା ଦଳ ପ୍ରଚଳିତ ବେଞ୍ଚମାର୍କ ଭାଲୁଏସନ୍ ମୁତାବକ ଧାର୍ଯ୍ୟ ଏକର ପିଛା ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୦୦ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ଏବଂ ଭାରତୀୟ ଜନତା ପାର୍ଟି ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡେସିମିଲ୍ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଏବଂ ଏକର ପିଛା ବେଞ୍ଚମାର୍କ ଭାଲୁଏସନ ୨୯ କୋଟି ଟଙ୍କା ହିସାବରେ ୩୭୦ ଡେସିମିଲ୍ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଏହି ଭଳି ମୋଟ ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଛନ୍ତି ।

ସମ୍ବନ୍ଧିତ ଖବର