ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ଓଡ଼ିଶା ନିର୍ମାଣ ପ୍ରସଙ୍ଗରେ ମତ ରଖିଲେ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତା

ଭୁବନେଶ୍ବର:  ‘କନକ ନ୍ୟୁଜ’ ପକ୍ଷରୁ ଆଜି ଅନୁଷ୍ଠିତ ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତା ଓଡ଼ିଶା ନିର୍ମାଣ  ପ୍ରସଙ୍ଗରେ ନିଜ ନିଜର ମତ ରଖିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୁ ଜନତା ଦଳ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କନକ୍ଲେଭରେ ମତ ଉପସ୍ଥାପନ କରିଛନ୍ତି। 

ଓଡ଼ିଶା ନିର୍ମାଣ  ଦାୟିତ୍ୱ ନେଇ ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ନିର୍ମାଣ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ମାଟି, ମା’ ଓ ମଣିଷକୁ ଭଲପାଉଥିବା ମଣିଷ । ଓଡ଼ିଶାର ଭାଷା ସଂସ୍କୃତି ଓ ଐତିହ୍ୟକୁ ବୁଝିବା ଦରକାର । ସାଧାରଣ ମଣିଷର ସ୍ୱପ୍ନ ସହ ନିଜକୁ ସାମିଲ କରିବା ପାଇଁ ପଡ଼ିବ । ଏବେ ଶିକ୍ଷା, ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି । ଜଳସେଚନ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ହେଲେ ରାଜ୍ୟରେ ଆଜିଯାଏ ମାତ୍ର ୩୨ ପ୍ରତିଶତ ଜମିରେ ଜଳସେଚନ ହୋଇଛି । ଓଡ଼ିଶାର ବିକାଶ ପାଇଁ କୃଷିର ବିକାଶ ନିହାତି ଆବଶ୍ୟକ । କୃଷିର ବିକାଶ ନ ହେଲେ ରାଜ୍ୟର ବିକାଶ ହେବା ଅସମ୍ଭବ । ଅନ୍ୟପଟେ ରାଜ୍ୟରେ ଯର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନାହିଁ । ସରକାର ଶୀତଳ ଭଣ୍ଡାର ପାଇଁ ଘୋଷଣା ପରେ ଘୋଷଣା କରିଚାଲିଛନ୍ତି । ହେଲେ କିଛି ହୋଇପାରୁନାହିଁ । ନିଯୁକ୍ତି, କୃଷି, ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ପ୍ରଯତ୍ନ କରିବା ଦରକାର ।

ସେହିପରି ଓଡ଼ିଶା ନିର୍ମାଣ କ୍ଷେତ୍ରରେ କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ସେନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି । ସେ କହିଛନ୍ତି ଯେ ଆଦି ଅନାଦି କାଳରୁ ଚାଲିଆସୁଥିବା ଭୁଲ ନିଷ୍ପତ୍ତିର  ନିରାକରଣ ନହେଲେ ଓଡ଼ିଶା ନିର୍ମାଣ ସମ୍ଭବ ନୁହେଁ । ଯେପରିକି ବିଶ୍ୱର ଏକ ମାତ୍ର ମନ୍ଦିର ୧୨ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି । କିନ୍ତୁ ବର୍ତ୍ତମାନ କିଛି ଇଂଜିନିୟରଙ୍କ ଡ଼ିଜାଇନ୍ ଏବଂ ଭୁଲ ନିଷ୍ପତ୍ତି ଯୋଗୁଁ କୋଣାର୍କ ମନ୍ଦିରର ଏଭଳି ଅବସ୍ଥା । ତେଣୁ ପ୍ରଥମେ ଓଡ଼ିଶା କ’ଣ ଜାଣିବା ଦରକାର । ୧୯୩୬ ମସିହାରେ ଯେତେବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା ତା’ପରଠାରୁ ଲୋକଙ୍କ ଆର୍ଥିକ ବ୍ୟବସ୍ଥାରେ କିପରି ସୁଧାର ଆସିବ ସେ ନେଇ ଚିନ୍ତାକରାଗଲା । କିନ୍ତୁ ଏବେ ଯୋଜନା ପରେ ଯୋଜନା ହେଉଛି ଫଳ ମିଳୁନି । ପ୍ରଥମେ ଯୁବ ଶକ୍ତି ଓ ଚାଷକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହା ହିଁ କଲେ ଓଡ଼ିଶା ନିର୍ମାଣ ହୋଇପାରିବ ବୋଲି କହିଛନ୍ତି ପିସିସି ସଭାପତି।

ଅପରପକ୍ଷେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ନିଜ ମତ ରଖି କହିଛନ୍ତି, ଓଡ଼ିଶା ନିର୍ମାଣ ଲାଗି  ପ୍ରଥମେ ଜାଣିବା ଦରକାର ଓଡ଼ିଶାର ସ୍ଥିତି କ’ଣ ରହିଛି । ୧୯୩୬ ମସିହାରେ ଯେତେବେଳେ ଓଡ଼ିଶାକୁ ଏକ ରାଜ୍ୟର ମାନ୍ୟତା ମିଳିଲା ଏହାପରେ ଏକ ସ୍ୱର୍ଣ୍ଣିମ ଓଡ଼ିଶା ଗଢ଼ିବା ପାଇଁ ସମସ୍ତେ ଉଦ୍ୟମ ଚଳାଇଲେ । ସ୍ୱାଧିନତା ପରେ ପରେ ରାଜ୍ୟର ବଜେଟ୍ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ୮୭ କୋଟି ଟଙ୍କାରେ ଥିଲା ଯାହା ବର୍ତ୍ତମାନ ୧ଲକ୍ଷ ୩୨ ହଜାର କୋଟି ଟଙ୍କାରେ ପହଁଚିଲାଣି । ରାଜ୍ୟର ଅଭିବୃଦ୍ଧି ବା ଗ୍ରୋଥ୍ ରେଟ୍ ଭାରତ ବର୍ଷର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ । ଓଡ଼ିଶା ନିର୍ମାଣ ରାଜ୍ୟର କୃଷକ ଓ ଯୁବକମାନଙ୍କୁ ନେଇ ହିଁ କରାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର