ଜୋର ଧରୁଛି କରୋନା କେଳେଙ୍କାରୀ ପ୍ରସଙ୍ଗ : ୧୩ ରାଜନୈତିକ ଦଳର ନେତା ଏକାଠି ହେଲେ, ୨୬ରେ ମାଷ୍ଟରକ୍ୟାଣ୍ଟିନ୍‌ରେ ପ୍ରତିବାଦ କାର୍ଯ୍ୟକ୍ରମ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବାକୁ ସଜବାଜ

ଭୁବନେଶ୍ବର : କୋଭିଡ଼୍ ସାମଗ୍ରୀ କିଣା ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହେବା ପରେ ଏବେ ୧୩ଟି ବିରୋଧୀ ରାଜନୈତିକ ଦଳକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଯୋଜନା କରୁଛି। ବିଜେପିକୁ ଛାଡ଼ି ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଆଜି ପୁଣି ଏକ ବୈଠକରେ ଏକାଠି ହୋଇ ଯୋଜନା ଚୂଡାନ୍ତ କରିଛନ୍ତି ଯେ ଆସନ୍ତା ୨୬ ତାରିଖ ଦିନ ସେମାନେ ରାସ୍ତାକୁ ଓହ୍ଲାଇବେ। କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୋଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ। ସେହିଦନ ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରାଯିବ। ଏତଦ୍‌ବ୍ୟତୀତ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ କାର୍ଯ୍ୟକ୍ରମ ହାତକୁ ନେବେ।

ଆଜି ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସଭାକକ୍ଷରେ ଏହି ବୈଠକ ବସିଥିଲା। ଏଥିରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା, ଏନ୍‌ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳ ପକ୍ଷରୁ ନିରଞ୍ଜନ ପଟ୍ଟନାୟକ, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମକୃଷ୍ଣ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଦେଶରେ ବଢ଼ି ବଢ଼ି ଚାଲିଛି । ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ‘ନମସ୍ତେ ଟ୍ରମ୍ପ’, ମଧ୍ୟପ୍ରଦେଶ ସରକାର ଗଠନରେ ବ୍ୟସ୍ତ ନରେନ୍ଦ୍ର ମୋଦୀ ସରକାର ଆରମ୍ଭରୁ କରୋନା ମୁକାବିଲାକୁ ଅଣଦେଖା କରିଛନ୍ତି। ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ନଦେଇ ଲକ୍‌ଡାଉନ / ସଟ୍‌ଡାଉନ ଇତ୍ୟାଦିକୁ ଗୁରୁତ୍ୱ ଦିଆଗଲା। ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ୍ ରହିଛି। ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ ଟେଷ୍ଟିଂ ବର୍ତମାନ ହେଉଛି। ଯାହାର ଫଳସ୍ୱରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି।

ରାଜନୈତିକ ଦଳମାନେ କହିଛନ୍ତି ଯେ ମୋଦୀ ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍‌ଡାଉନ ଘୋଷଣା କରିଥିଲେ। ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ । ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ଯାତନାର ଶିକାର ହେଲେ। ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍‌, ବସ ଚକତଳେ ଚାପି ହୋଇ ମୃତ୍ୟୁବରଣ କଲେ। ମୋଦୀ ସରକାରଙ୍କର ଅକ୍ଷମଣୀୟ ଦୂରଦୃଷ୍ଟିହୀନତା ଏଥିପାଇଁ ଦାୟୀ ବୋଲି କୁହାଯାଇଛି।

ସେହିଭଳି ରାଜ୍ୟ ବିରୋଧରେ ମଧ୍ୟ ସଂଗଠନମାନେ ଅସନ୍ତୋଷ ଝାଡ଼ିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି। କୋଭିଡ଼୍‌ କବଳରୁ ଜୀବନକୁ ରକ୍ଷାକରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକ ଆନ୍ତରିକତା ଦେଖାଉ ନାହାନ୍ତି। ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩ ହଜାର କୋଭିଡ ଟେଷ୍ଟିଂ ହେଉ ନାହିଁ। ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି। ସେମାନେ ଟେଷ୍ଟିଂ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ଫଳରେ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧୀ ରାଜନୈତିକ ଦଳମାନେ ଏକାଠି ହୋଇ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର