ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ଓଡ଼ିଶା-ଆନ୍ଧ୍ର ରାଜ୍ୟପାଳ ଓ ବିଭିନ୍ନ ଦଳର ନେତା

ଝାରସୁଗୁଡ଼ା: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି(୬୩)ଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ କାରଣରୁ କିଶୋର ମହାନ୍ତିଙ୍କର ମୃତ୍ୟୁ ହୋଇଛି। ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ‌ରାଜନୈତିକ ଦଳର ନେତାମ‌ୋନେ ଶୋକ ପ୍ରକାଶ କରିଛନ୍ତି।

କିଶୋର ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି। ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ। ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା। ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

କିଶୋର ମହାନ୍ତିଙ୍କ‌ ଦେହାନ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ କିଶୋର ମହାନ୍ତି ଆଜି ସକାଳୁ ନିଜ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ। ବିଧାୟକ ଶ୍ରୀ ମହାନ୍ତି ଝାରସୁଗୁଡାସ୍ଥିତ ପାଟି କାର୍ଯ୍ୟାଳୟରେ ସ୍ବର୍ଗତ ନଟବର ଲାଲ ଶର୍ମାଙ୍କ ବିୟୋଗରେ ଆୟୋଜିତ ଶୋକ ସଭାରେ ଯୋଗ ଦେଇଥିଲେ। ସେହି ସଭାରେ ଛାତିରେ କଷ୍ଟ ଅନୁଭବ କଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟରେ ଥିବା ପ୍ରଭାତ ଜୈନ ନର୍ସିଂ ହୋମକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, କିଶୋର ମହାନ୍ତି ଥିଲେ ପଶ୍ଚିମ ଓଡ଼ିଶାରେ ଜଣେ ଟାଣୁଆ ଓ ଅଭିଜ୍ଞ ରାଜନୀତିଜ୍ଞ। ସେ ଝାରସୁଗୁଡ଼ାରୁ ୩  ଥର ବିଧାୟକ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିରୁ ଲଢ଼ିଥିଲେ। ଏଥି ସହିତ କିଶୋର ମହାନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି (୨୦୦୮ ଅଗଷ୍ଟ ୧୯ରୁ ୨୦୦୯ ମେ’ ୨୫) ମଧ୍ୟ ହୋଇଥିଲେ। ସେହିପରି ସ୍ବର୍ଗତଃ କିଶୋର ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର)ର ଅଧ୍ୟକ୍ଷ (୨୦୧୪ ଜୁନ୍‌ ୧୯ରୁ ୨୦୧୯ ଜୁନ୍‌ ୧୮) ଦାୟିତ୍ବ ମଧ୍ୟ ତୁଲାଇଥିଲେ।

କିଶୋର ମହାନ୍ତିଙ୍କ ରାଜନୈକିକ କ୍ୟାରିୟର

୧୯୯୦-୧୯୯୫ ଝାରସୁଗୁଡ଼ା ବିଧାୟକ
୨୦୦୦ରୁ ୨୦୦୪ଝାରସୁଗୁଡ଼ା ବିଧାୟକ
୨୦୦୪ରୁ ୨୦୦୯ ଝାରସୁଗୁଡ଼ା ବିଧାୟକ
୨୦୧୯ ରୁ ଏଯାଏଁ ବ୍ରଜରାଜନଗର ବିଧାୟକ
୨୦୦୮ – ବାଚସ୍ପତି
୨୦୦୯ ନିର୍ବାଚନ ହାରିବା ପରେ ରାଜ୍ୟସଭାକୁ ଯାଇଥିଲେ
୨୦୧୪ ନିର୍ବାଚନ ହାରିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ

ସମ୍ବନ୍ଧିତ ଖବର