ବରଗଡ଼ : ୨୦୨୪ ପୂର୍ବରୁ ଯଦି ସଅଳ ନିର୍ବାଚନ ହୁଏ, ତେବେ ବରଗଡ଼ ଜିଲ୍ଲାରେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହେବ। ବିଶେଷକରି ଲୋକସଭା ଆସନ ନେଇ ଏକ ଗୋଳମାଳିଆ ସମୀକରଣ ହେବ। ଗତ ସାଧାରଣ ନିର୍ବାଚନରେ ବିଜେଡି ସମସ୍ତ ବିଧାନସଭା ଆସନ ହାତେଇ ଲୋକସଭାକୁ ହାତଛଡ଼ା କରିଥିଲା। ତେଣୁ ଏଥର ଲୋକସଭା ଆସନ ଉପରେ ମାତ୍ରାଧିକ ବଳ ଖଟାଇବ। ତେବେ ଦଳ ପାଇଁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ଏକ ଅଛିଣ୍ଡା ଗଣିତ ରହିଛି। ଗତ ଲୋକସଭା ନିର୍ବାଚନରେ ଦଳର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ ପରାସ୍ତ ହୋଇଥିଲେ। ତେଣୁ ଶ୍ରୀ ଆଚାର୍ଯ୍ୟ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଦେଖାଦେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।
ରେଢ଼ାଖୋଲରୁ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ରୋହିତ ପୂଜାରୀ ସମ୍ବଲପୁରମୁହାଁ ହେଉଥିବା ଚର୍ଚ୍ଚା ହେଉଛି। ଶ୍ରୀ ପୂଜାରୀଙ୍କ ବିଗତ ଦିନର ଗତିବିଧି ସମୀକ୍ଷକଙ୍କୁ ଏଭଳି ମତ ଦେବାକୁ ବାଧ୍ୟ କରୁଛି। ଯଦି ଏହି ଆକଳନ ବାସ୍ତବ ରୂପ ନିଏ, ତେବେ ଶ୍ରୀ ଆଚାର୍ଯ୍ୟ ନିଜ ପସନ୍ଦର ରେଢ଼ାଖୋଲ ଆସନରୁ ପୁଣି ଲଢ଼ୁଥିବା ଦେଖିବାକୁ ମିଳିବ। ଗତଥର ସେ ବରଗଡ଼ ଲୋକସଭା ଆସନ ହାରିଥିବାରୁ ତାଙ୍କୁ ପୁନର୍ବାର ଟିକଟ୍ ଦେବା ବଦଳରେ ରେଢ଼ାଖୋଲକୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଦଳ ସୁଯୋଗ ଦେଇପାରେ। ଏଭଳି ସ୍ଥିତିରେ ବିଜେଡି ପାଇଁ ବରଗଡ଼ ଲୋକସଭାରୁ କିଏ ଲଢ଼ିବ, ତାହା ବଡ଼ ପ୍ରଶ୍ନ। ବିଗତ ଦିନରେ ଉପନିର୍ବାଚନ ବେଳେ ମନ୍ତ୍ରୀ ନବ ଦାସଙ୍କ ଗତିବିଧିକୁ ଠଉରାଇ କିଛି ରାଜନୀତି ସମୀକ୍ଷକ ଭିନ୍ନ ମତ ରଖୁଛନ୍ତି। ଏହି ମତ ହେଲା, ଶ୍ରୀ ଦାସ ବରଗଡ଼ ଲୋକସଭା ଆସନରୁ ଲଢ଼ି ଝିଅ ଦୀପାଳିଙ୍କ ପାଇଁ ଝାରସୁଗୁଡ଼ା ବିଧାନସଭା ଆସନ ଛାଡ଼ି ଦେବେ।
କିନ୍ତୁ ନବ ଦାସ ଏବଂ ବର୍ତମାନର ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ମଧ୍ୟରେ ବଢ଼ୁଥିବା ନିବିଡ଼ତା ଏକ ଭିନ୍ନ ସମୀକରଣକୁ ଇଂଗିତ କରୁଛି। ଏହି ତଥାକଥିତ ସମୀକରଣ ଅନୁସାରେ, ଶ୍ରୀ ପୂଜାରୀଙ୍କୁ ବରଗଡ଼ର ନେତାଙ୍କ ଠାରୁ ଶତପ୍ରତିଶତ ସମର୍ଥନ ମିଳୁନାହିଁ। ନିକଟ ଭବିଷ୍ୟତରେ ସେ ବିଜେଡି ପ୍ରତି ଆକୃଷ୍ଟ ହେଲେ, ଏହା ଆଶ୍ଚର୍ଯ୍ୟଜନକ ଘଟଣାବଳୀ ହୋଇନପାରେ। ଏହି ପରିସ୍ଥିତିରେ ଶ୍ରୀ ପୂଜାରୀ ବ୍ରଜରାଜନଗର ଆସନରୁ ବିଜେଡିର ଟିକଟ୍ ପାଇପାରିବେ। ଯଦି ହିସାବ ଠିକ୍ ହୁଏ, ତେବେ ଇରାଶିଷ ଆଚାର୍ଯ୍ୟଙ୍କୁ ବିଜେପି ପକ୍ଷରୁ ଲୋକସଭା ଆସନ ଲଢ଼ିବାକୁ ମୌକା ମିଳିବ। ଭଟଲି ବିଧାନସଭା ଆସନ ପାଇଁ ବିଜେପି ବରିଷ୍ଠ ନେତା ସୁଶାନ୍ତ ମିଶ୍ରଙ୍କୁ ପ୍ରୟୋଗ କରିପାରେ। ବିଜେପି ନିମନ୍ତେ ଲୋକସଭା ଆସନ ପାଇଁ ବିକଳ୍ପ ରହିଛି। କିନ୍ତୁ ବିଜେଡି ଏଥିରେ ଦ୍ବିଧାରେ ପଡ଼ିପାରେ। କାରଣ ଲୋକସଭା ଟିକଟ୍ ପାଇଁ ଆଶାୟୀଙ୍କ ତାଲିକା ଲମ୍ବା। ଏଥିରେ ପ୍ରଭାସ ସିଂଙ୍କ ନାମ ନିଶ୍ଚିତ ଚର୍ଚ୍ଚାକୁ ଆସିବ। ତୃତୀୟ ମହଲା ସହ ଉତ୍ତମ ସଂପର୍କ ରଖି ଆସୁଥିବା କିଛି ନେତାନେତ୍ରୀ ବି ଟିକଟ୍ ଲବି ଚଳାଇବେ। ତେବେ ବିଜେଡି କେଉଁ ସୂ୍ତ୍ରରେ ଯାଇ ଉପଯୁକ୍ତ ପ୍ରାର୍ଥୀ ବାଛିବ, ତାହା ଆଗାମୀ ରାଜନୈତିକ ବାତାବରଣରୁ ଜଣାପଡ଼ିବ ବୋଲି କୁହାଯାଉଛି।