ରେଳ ବଜେଟ୍‌କୁ ନେଇ ରାଜନୈତିକ ପ୍ରତିକ୍ରିୟା

ରେଳ ବଜେଟ୍‌ ଓଡ଼ିଶା ପାଇଁ ନୈରାଶ୍ୟଜନକ: ପିସିସି ସଭାପତି
ଭୁବନେଶ୍ବର : ଏଥରକ ରେଳ ବଜେଟ୍‌ରେ ଆଶାନୁରୂପ ଭାବେ ଓଡ଼ିଶାକୁ କିଛି ମିଳିନାହିଁ। ରେଳ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଯେଉଁ ରାଜ୍ୟରେ ନିର୍ବାଚନ ଅଛି, ସେସବୁ ରାଜ୍ୟ ପାଇଁ ବଜେଟ୍‌ରେ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି। ପ୍ରତିବର୍ଷ ଓଡ଼ିଶା ରେଳବାଇକୁ ବହୁତ ରାଜସ୍ବ ଦେଉଛି। କିନ୍ତୁ ସେହି ତୁଳନାରେ ରାଜ୍ୟରେ ରେଳ ବିକାଶ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ ହେବା କଥା। କିନ୍ତୁ ତାହା ହେଉନାହିଁ। ୨୦୨୧-୨୨ ରେଳ ବଜେଟ୍‌ରେ ନୂଆ ରେଳ ଲାଇନ ସଂପ୍ରସାରଣ, ନୂତନ ଲାଇନ୍‌ ପାଇଁ କିଛି ଅର୍ଥ ବରାଦ କରାଯାଇନାହିଁ। ତେଣୁ ଏହା ରାଜ୍ୟ ପାଇଁ ନୈରାଶ୍ୟଜନକ ବୋଲି ପିସିସି ସଭାପତି କହିଛନ୍ତି।

ଓଡ଼ିଶାକୁ ପ୍ରତାରିତ କରାଯାଇଛି
ଓଡ଼ିଶାରୁ ପ୍ରତିବର୍ଷ ରେଳବାଇ ୧୫ରୁ ୧୮ ହଜାର କୋଟି ଟଙ୍କାର ରାଜସ୍ବ ପାଉଛି। କିନ୍ତୁ ରେଳ ବଜେଟ୍‌ରେ ରାଜ୍ୟ ପାଇଁ ମାତ୍ର ୪ରୁ ୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରି ବଦାନ୍ୟତାର ବାହାବା ନିଆଯାଉଛି। ଚଳିତ ବର୍ଷ ଓଡ଼ିଶାକୁ ୬ ହଜାର ୯୯୫ କୋଟି ଟଙ୍କା ମିଳିଥିବା ନେଇ ଓଡ଼ିଶାର ଜଣେ କେନ୍ଦ୍ର ମନ୍ତ୍ରୀ କହୁଥିବା ବେଳେ ବିଜେପି ମୁଖପାତ୍ର ୫ ହଜାର ୫୦୦ କୋଟି ମିଳିଛି ବୋଲି ଡିଣ୍ଡିମ ପିଟୁଛନ୍ତି। ଏହା କୌଣସି ବଦାନ୍ୟତା କିମ୍ବା ଅନୁକମ୍ପା ନୁହେଁ, କେବଳ ପ୍ରତାରଣା। ଯେତିକି ରାଜସ୍ବ ମିଳୁଛି ତାର ଅଧା ରେଳବାଇ ବିକାଶ କ୍ଷେତ୍ରରେ ରାଜ୍ୟକୁ ମିଳିବା ଦରକାର।
ଦିବାକର ନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ସିପିଆଇ

କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରାଯାଉଛି
ରେଳ ବଜେଟ୍‌ରେ ଓଡ଼ିଶାକୁ ହତାଶା ଦେଖିବାକୁ ପଡ଼ିଛି। ରାଜ୍ୟରେ ରେଳ ବିଭାଗ ବର୍ଷକୁ ୧୮ ହଜାର କୋଟି ଟଙ୍କା ଆୟ କରୁଥିବା ବେଳେ ସେହି ଅନୁପାତରେ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରାଯାଉନାହିଁ। କ୍ରମାଗତ ଭାବେ ଓଡ଼ିଶା କେନ୍ଦ୍ର ସରକାରଙ୍କ ଅବହେଳାର ଶିକାର ହେଉଛି। ତେଣୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦରେ ଓଡ଼ିଶାର ସାଂସଦ ଓ ବିଧାନସଭାରେ ବିଧାୟକମାନେ ନିନ୍ଦା ପ୍ରସ୍ତାବ ଆଣନ୍ତୁ।
ରବି ବେହେରା, ସଭାପତି, ସମାଜବାଦି ପାର୍ଟି, ଓଡ଼ିଶା ଶାଖା

ସମ୍ବନ୍ଧିତ ଖବର