ଭୁବନେଶ୍ବର : ତ୍ରିସ୍ତରୀୟ ନିର୍ବାଚନର ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୈତିକ ବୟାନଯୁଦ୍ଧ ଆରମ୍ଭ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହାକୁ ନିନ୍ଦା କରିବା ସହ ଶାସକ ଦଳ ହିଂସା ଓ ଅରାଜକତା ସୃଷ୍ଟି କରୁଛି ବୋଲି ଆକ୍ଷେପ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି। ଅପରପକ୍ଷରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛନ୍ତି।
/sambad/media/post_attachments/wp-content/uploads/2021/01/dharmendra-pradhan-a.jpg)
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି। ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ। କିନ୍ତୁ ଆଜି ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୁଳ, ହିନ୍ଦୋଳ, ଭଦ୍ରକ, କଣାସ, ଜଳେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି। ଏହା ଚିନ୍ତାଜନକ ଓ ଦୁଃଖଦାୟକ। ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ ଆସିବା ଅନୁଚିତ। ଶାସକ ଦଳର ହିଂସା ଓ ଅରାଜକତାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ। ରାଜ୍ୟରେ ପଞ୍ଚାୟତ ସ୍ତରରେ ଆହୁରି ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବେ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
/sambad/media/post_attachments/wp-content/uploads/2021/03/niranjan-patnaik.jpeg)
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘଟଣାକୁ ନିନ୍ଦା କରି ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ମାତ୍ର ରାଜ୍ୟର ବହୁ ସ୍ଥାନରେ ବୁଥ ଜବରଦଖଲ ଓ ବ୍ୟାପକ ହିଂସା ନଜରକୁ ଆସିଛି। ଏପରିକି ଗଣମାଧ୍ୟମର କର୍ମଚାରୀ ମଧ୍ୟ ଏହି ଆକ୍ରମଣରୁ ବର୍ତି ନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଆଜି ମିଛ ପ୍ରମାଣିତ ହୋଇଛି। ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ପୁଲିଂ ବୁଥରେ ସାଧାରଣ ଭୋଟରଙ୍କୁ ଧମକ ଓ ଭୟଭୀତ କରାଇ ଭୋଟ ଗ୍ରହଣ କେନ୍ଦ୍ରକୁ ନ ଆସିବା ଲାଗି ବାରଣ କରାଯାଇଛି। ରାଜ୍ୟରେ ଆଇନ ଶୃ୍ଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସି ଆସିଛି ଏସବୁ ଘଟଣାରୁ ସହଜରେ ଅନୁମାନ କରାଯାଇପାରେ। ଅର୍ଥବଳ, ବାହୁବଳ ଓ ହିଂସାତ୍ମକ ପନ୍ଥା ଦ୍ବାରା ତ୍ରିସ୍ତରୀୟ ପଞ୍ଚାୟତକୁ ଜିତିବା ଲାଗି ଶାସକ ବିଜେଡି ଉଦ୍ୟମ ଜାରି ରଖିଛି। ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବାକୁ ଚାହୁଁଥିବା ଦଳ ପଞ୍ଚାୟତ ନିର୍ବାଚନରେ ସାଧାରଣ ଲୋକ, ସାମ୍ବାଦିକଙ୍କ ମାଡ଼ ମାରି ଲହୁଲୁହାଣ କରିବା କେଉଁ ‘ଅହିଂସା’ ନୀତିରେ ଅନୁପ୍ରାଣିତ? ରାଜ୍ୟ ପୁଲିସ ପ୍ରଶାସନ ସରକାରୀ ଦଳର କର୍ମୀ ଭାବେ ବିଭିନ୍ନ ଅଞ୍ଚଳରେ ପୁଲିସ ଗାଡ଼ିରେ ଟଙ୍କା ବାଣ୍ଟିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଭୋଟ ଗ୍ରହଣ ସମୟରେ ଅରାଜକତା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ କହିଛନ୍ତି।
/sambad/media/post_attachments/wp-content/uploads/2020/03/pranab-prakash-das.jpg)
ବିରୋଧୀଙ୍କୁ ଜବାବ ଦେଇ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଛନ୍ତି ଯେ ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ। ଦୁଃଖର କଥା ହେଉଛି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜ଼ିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି। ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇ ଥିଲା। ବିଜେଡି ଆଶା କରୁଛି ଯେ ବିଜେପି ହିଂସାରୁ ନିବୃତ୍ତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ୱାରା ସୁଦୃଢ଼ କରିବ।