ଭୁବନେଶ୍ବର: ଦୁଇ ସପ୍ତାହ ପୂର୍ବରୁ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଲେଖିଥିବା ସମ୍ପାଦକୀୟଙ୍କୁ ନେଇ ବିଜେଡି ନେତାମାନେ ହଠାତ୍ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ଗତକାଲି ଠାରୁ ଜଣଙ୍କ ପରେ ଜଣେ ନେତା ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ୍‌ କରି ଚାଲିଛନ୍ତି। ଗତକାଲି ନୟାଗଡ଼ ବିଧାୟକ ଅରୁଣ ସାହୁ କହିଲା ପରେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ୫-ଟି ସଚିବଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି। ସୌମ୍ୟରଞ୍ଜନ ସମ୍ପାଦକୀୟ ଜରିଆରେ ଉଠାଇଥିବା ପ୍ରସଙ୍ଗର କୌଣସି ଉତ୍ତର ନଦେଇ ସେମାନେ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଛନ୍ତି। ସୌମ୍ୟରଞ୍ଜନ ମଧ୍ୟ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି।

Advertisment

ଆଜି ଶଙ୍ଖ ଭବନରେ ଗଣମାଧ୍ୟମକୁ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ କହିଲେ ଯେ, ସୌମ୍ୟ ବାବୁ ଦଳରେ ରହି ବ୍ଲାକ୍‌ମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚିପାରିବେନି। ବିଗତ ଦିନରେ ସେ ବିଭିନ୍ନ ସ୍ତରରେ ବ୍ଲାକ୍‌ମେଲ୍‌ କରିଥିଲେ ଓ ଆଜି ମଧ୍ୟ କରୁଛନ୍ତି। କିନ୍ତୁ ଏହାର ପ୍ରଭାବ ବିଜେଡି ଉପରେ ପଡ଼ିବନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରି ସୌମ୍ୟ ବାବୁ ନିଜ ସମ୍ପାଦକୀୟ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଠାରୁ ଅଭିଯୋଗ ଆଣିଲା। ଏଥିରେ ଭୁଲ୍‌ କ’ଣ ରହିଲା? ସୌମ୍ୟ ବାବୁଙ୍କର କ’ଣ ଏଥିରେ ଅସୁବିଧା ହେଲା? ସେ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ଯାହା କହୁଛନ୍ତି ତାହାକୁ ଆମେ ବିରୋଧ କରୁଛୁ। ସେ ଏପରି କରିବା ଠିକ୍ ନୁହେଁ। ସାଧାରଣ ଜନତା ମଧ୍ୟ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜନୈତିକ ବୟାନବାଜିର ଉତ୍ତର ଦେଇପାରିବନି। ବ୍ଲାକ୍‌ମେଲିଂ କରିବା ଓ ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଆଦୌ ଠିକ୍ ନୁହେଁ।

ଜଣଙ୍କ ପରେ ଜଣେ ନେତା ସୌମ୍ୟଙ୍କୁ ଟାର୍ଗେଟ୍‌ କଲେ
ନେତାମାନେ ଚାପରେ କହୁଥିବା ଜଣାପଡ଼ୁଛି:ସୌମ୍ୟ

ଅରୁଣ ଓ ଅତନୁଙ୍କୁ କଡ଼ା ଜବାବ ରଖିଛନ୍ତି ସୌମ୍ୟରଞ୍ଜନ। ଅତନୁଙ୍କୁ କଟାକ୍ଷ କରି ସେ କହିଛନ୍ତି, ଅତନୁ ବାବୁ ଜଣେ ଅନୁଭବୀ ଲୋକ। ତାଙ୍କୁ କୁହାଯାଏ ପାଟକୁରା ଗାନ୍ଧୀଙ୍କ ପୁଅ। ହେଲେ ପାଟକୁରା ଗାନ୍ଧୀଙ୍କ ପୁଅ ଏତେ ଡାହା ମିଛ କଥା କହିଲେ, ତାହା ଗାନ୍ଧୀ ଶବ୍ଦ ପ୍ରତି ଅପମାନ ହେବ। ଯେଉଁମାନେ ମୋ ବିଷୟରେ କହୁଛନ୍ତି, ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି। ସେଥି ପାଇଁ ବ୍ଲାକ୍‌ମେଲିଂ ବ୍ଲାକ୍‌ମେଲିଂ ବାରମ୍ବାର କହୁଛନ୍ତି। ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ବ ବଢ଼ାଇବାକୁ ଚାହୁନି। ସେମାନେ ଏସବୁ କଥା ମନରୁ କହୁଥିବା ମୋତେ ବିଶ୍ବାସ ହେଉନି। ଏହା କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡ଼ୁଛି। ସେମାନେ କହିବାକୁ ବାଧ୍ୟ ହେଉଛନ୍ତି। ନହେଲେ ପେଟପାଟଣା ବୁଡ଼ିଯିବ। ଜଣେ ମନ୍ତ୍ରୀ ପଦ ହରାଇ ଗତକାଲି ପୁଣି ସେହି ମନ୍ତ୍ରୀ ପଦ କଥା କହିଲେ। ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ ଓ ଆଉ ଥରେ ହରାଇପାରନ୍ତି। ଏହି ନେତାମାନେ କେତେ ଅସହାୟ ତାହା ଜଣାପଡ଼ୁଛି। ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ବାର୍ଥ ପାଇଁ କ’ଣ ହେବା ଦରକାର ଓ କ’ଣ କହିବା ଦରକାର।

ମୁଁ ଦଳର ସ୍ବାର୍ଥ ପାଇଁ କହୁଛି, କାହା ମନକୁ ପାଇଲା ଓ ନପାଇଲା ମୋର କିଛି କହିବାର ନାହିଁ। ମୁଁ ବିଜେଡିର ସ୍ବାର୍ଥ ଓ ଓଡ଼ିଶାର ସ୍ବାର୍ଥ ପାଇଁ କହୁଛି। ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ବୋଲି ମୁଁ ଯାହା କହିଥିଲି, ଏବେ ଏମାନଙ୍କ ବକ୍ତବ୍ୟ ମୋ କଥାକୁ ପ୍ରମାଣିତ କରୁଛି। ଏହି ରାଜନେତାମାନେ ଏତେ ଅସହାୟ ଯେ ଉପରୁ ଯାହା କୁହାଯାଉଛି ତାହା ହିଁ କହିବାକୁ ବାଧ୍ୟ ହେଉଛନ୍ତି। ଦଳ ବଦଳ ଅଭିଯୋଗ ଉପରେ ସୌମ୍ୟ କଡ଼ା ଜବାବ ରଖି କହିଛନ୍ତି, ନବୀନ ବାବୁ ବି ମତ ପରିବର୍ତ୍ତନ କରନ୍ତି। ୧୯ ତାରିଖରେ କହିଲେ ଯେ ଆମେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା। କିନ୍ତୁ ସଂସଦରେ ଭୋଟ୍‌ ହେଲା ବେଳକୁ ମତ ବଦଳିଲା। ବିଜେପିକୁ ଆମେ ବିରୋଧ କରୁ। କିନ୍ତୁ ଜାତୀୟ ଦଳରେ ଏକ ପ୍ରସଙ୍ଗ ଆସିଲା ବିଜେପିକୁ ସମର୍ଥନ କରାଗଲା। ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ। ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା।